ପୁରୀ : ଶ୍ରୀମନ୍ଦିରର ଭିତରକାଠ ନିକଟରେ ଦର୍ଶନ ବେଳେ ସୋମବାର ଦିନ ଭିଡ଼ ଅଣାୟତ୍ତ ହେବାରୁ ୮ଜଣ ଛାତ୍ରୀ ଚେତା ହରାଇଥିଲେ। ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ରୀମାନେ ହେଲେ, ସୁଭଦ୍ରା ଦାସ, ଲିଜା ଟୁଡୁ, ବିଷ୍ଣୁପ୍ରିୟା ବେହେରା, ଇତିଶ୍ରୀ ଜେନା, କୃଷ୍ଣା ପରିଡ଼ା ଓ ବର୍ଷାରାଣୀ ବେହେରା। ସେମାନେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ଅଧୀନ ହୃଦାନନ୍ଦ ସରକାରୀ ଉଚ୍ଚବିଦ୍ୟାଳୟରେ ପଢ଼ୁଛନ୍ତି।

Advertisment

ସୂଚନା ଅନୁସାରେ, ସୋମବାର ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ହୃଦାନନ୍ଦ ସରକାରୀ ଉଚ୍ଚବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ଶ୍ରୀମନ୍ଦିର ଆସିଥିଲେ। ରାତି ପ୍ରାୟ ସାଢ଼େ ସାତଟା ବେଳେ ଭିତରକାଠରୁ ଦର୍ଶନ ବେଳେ ଭକ୍ତଙ୍କ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଏହି ଭିଡ଼ ଭିତରେ ଦର୍ଶନ କରୁଥିବା ୭୦ଜଣ ଛାତ୍ରୀରୁ ୮ଜଣ ଅଣନିଃଶ୍ବାସୀ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ତଳେ ପଡ଼ିଯିବାରୁ କିଛି ଭକ୍ତ ବି ଛାତ୍ରୀମାନଙ୍କୁ ଚକଟି ଦେଇଥିଲେ। ପରେ ପାଖରେ ଥିବା ଅନ୍ୟ ଛାତ୍ରୀ ଓ ଶିକ୍ଷକମାନେ ପାଟି କରିବାରୁ ଗହଳି ଭିତରୁ ଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ପରେ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମୁଖ୍ୟ ଚିକିତ୍ସାଳୟରେ ଛାତ୍ରୀମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ଛାତ୍ରୀମାନେ ଭିଡ଼ରେ ରୁନ୍ଧି ହୋଇଯିବା ପରେ ଅମ୍ଳଜାନ ଅଭାବରୁ ଅଣନିଃଶ୍ବାସୀ ହୋଇଯାଇଥିଲେ। ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଅମ୍ଳଜାନ ଦିଆଯିବା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିଛି ବୋଲି ଡାକ୍ତର କହିଛନ୍ତି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଯତୀନ୍ଦ୍ରନାଥ ଦତ୍ତଙ୍କ କହିବା ମୁତାବକ, ଗତ ୨୪ ତାରିଖରେ ୭୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ମୟୂରଭଞ୍ଜରୁ ବସ୍‌ ବାହାରିଥିଲା। ଛାତ୍ରଛାତ୍ରୀଙ୍କ ସହ ୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଆସିଥିଲେ। ଭୁବନେଶ୍ବର ଆସି ଗତକାଲି ବୁଲାବୁଲି କରିବା ପରେ ଲିଙ୍ଗରାଜ ମନ୍ଦିର ନିକଟ ଏକ ଧର୍ମଶାଳାରେ ରହିଥିଲେ। ସୋମବାର ଦିନ ପୁରୀ ଆସିବା ପରେ ରାମଚଣ୍ଡୀ ମନ୍ଦିର ନିକଟ‌ରେ ‌ଭୋଜି କରି ଖାଇଥିଲେ। ସେଠାରୁ ପୁରୀ ଆସି ବେଳାଭୂମି ବୁଲିବା ପରେ ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ ସେମାନେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ବ୍ୟାରିକେଡ୍‌ ମଧ୍ୟରେ ଦେଢ଼ଘଣ୍ଟାରୁ ଅଧିକ ସମୟ ଛିଡ଼ା ହେବାପରେ ମନ୍ଦିରକୁ ପ୍ରବେଶ କରିଥିଲେ। ତଥାପି ଭିଡ଼ କମିନଥିଲା। ବାଇଶିପାହାଚ ଅତିକ୍ରମ କରିଛନ୍ତି କି ନାହିଁ, ସାତପାହଚ ନିକଟରେ ପୁଣି ଧାଡ଼ିରେ ରହିବାକୁ ପଡ଼ିଥିଲା। ବହୁ ସମୟ ଅପେକ୍ଷା କରି ସାତପାହାଚ ଦେଇ ଶ୍ରୀମନ୍ଦିରକୁ ପଶିଛନ୍ତି କି ନାହିଁ, ଭିଡ଼ ଭିତରେ ରୁନ୍ଧି ହୋଇଯାଇଥିଲେ ବୋଲି ସେ କହିଛନ୍ତି।

ତେବେ, ଗତ ଶନିବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି। ପ୍ରତିଦିନ ଦର୍ଶନ ବେଳେ ସାତପାହାଚ, ନାଟମଣ୍ଡପ, ବାହାର କାଠ ଓ ଭିତର କାଠରେ ଦର୍ଶନ ବେଳେ ଭିଡ଼ ଅଣାୟତ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି।