ବୁର୍ଲା : ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ପାହାଡ଼ସିର୍ଗିଡ଼ାର ୮ ଜଣ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇ ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟ ୩ ଜଣ ଆଶୁଚିକିତ୍ସା ବିଭାଗରେ ଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଗୁରୁବାର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାହାଡ଼ସିର୍ଗିଡ଼ାରେ ସରସ୍ୱତୀ ପୂଜା, ସାଧାରଣତନ୍ତ୍ର ଦିବସ ଓ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀ ଅତି ଉତ୍ସାହର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସେଥିପାଇଁ କଲେଜ ପକ୍ଷରୁ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ତେବେ ଶୁକ୍ରବାର ଦିନ ୧୨ଟା ସମୟରୁ ଛାତ୍ରାବାସର କିଛି ଛାତ୍ରୀଙ୍କୁ ଝାଡ଼ାବାନ୍ତି ହୋଇଥିଲା। ପ୍ରାଥମିକ ଭାବେ କଲେଜ ଅଧ୍ୟକ୍ଷ ନିକଟସ୍ଥ ଡାକ୍ତରଙ୍କୁ ଡକାଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ରାତି ପ୍ରାୟ ୧୦ଟା ସମୟରେ ୮ ଜଣ ଛାତ୍ରୀଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା।
ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ
ବ୍ୟାସନଗର/ଦାନଗଦୀ : ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଖପୁରିଆପଦା ଶରତ ରାଉତ ଉଚ୍ଚବିଦ୍ୟାପୀଠର ଶତାଧିକ ଛାତ୍ରଛାତ୍ରୀ ସରସ୍ବତୀ ପୂଜା ଭୋଜି ଖାଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁରରୋଡ୍ର ଏକ ଘରୋଇ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।