ଲୋକ ଅଦାଲତ: ରାଜ୍ୟରେ ୮ ହଜାର ୧୨୨ଟି ମାମଲା ଫୈସଲା

ଜରିମାନା ଓ କ୍ଷତିପୂରଣ ବାବଦରେ ୭୧ କୋଟି ୪୮ ଲକ୍ଷ ଟଙ୍କା ଆଦାୟ

କଟକ: ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୮ ହଜାର ୧୨୨ଟି ମାମଲାର ଆପୋସ ବୁଝାମଣା ଜରିଆରେ ଫୈସଲା ହୋଇଛି। ଜରିମାନା ଓ କ୍ଷତିପୂରଣ ବାବଦରେ ୭୧ କୋଟି ୪୮ ଲକ୍ଷ ୫୧ ହଜାର ୩୭୧ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରକ୍‌-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ସମାଧାନ କରାଯାଇଛି। ଫୈସଲା ହୋଇଥିବା ମାମଲା ଗୁଡିକ ମଧ୍ୟରୁ ୩୧୯ ଫୌଜଦାରୀ, ୮୨୧ ଚେକ୍ ବାଉନ୍ସ, ୩୪୮ଟି ବ୍ୟାଙ୍କ ଋଣ, ୯୦୩ଟି ମୋଟରଯାନ ଦୁର୍ଘଟଣାଜନିତ, ୪ଟି ଶ୍ରମିକଙ୍କ ସଂପର୍କିତ , ୫୫ଟି ବିଦ୍ୟୁତ ଓ ଜଳ ସଂପର୍କିତ, ୩୩୬ଟି ପାରିବାରିକ ଓ ବୈବାହିକ ବିବାଦ, ୩୯ଟି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ, ୧୨ଟି ଚାକରି ସଂକ୍ରାନ୍ତୀୟ, ୧୧୮୫ଟି ଦେୱାନୀ ଓ ୧୩୯୧ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଅନ୍ତର୍ଭୁକ୍ତ।

ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୫୨ ହଜାର ୪୧୬ଟି ମାମଲା ମଧୢରୁ ୨ ହଜାର ୭୦୯ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା କରାଯାଇଥିଲା। ସେହିଭଳି ୨୯ ହଜାର ୪୫୩ଟି ବିଚାରାଧୀନ ମାମଲା ମଧୢରୁ ୫ ହଜାର ୪୧୩ଟି ମାମଲା ଆପୋସ ବୁଝାମଣାରେ ଫୈସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି। ଏଥି ସହିତ ହାଇକୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ ୧୦୫ଟି ମାମଲାର ଫୈସଲା କରାଯାଇ ୫ କୋଟି ୭୫ ଲକ୍ଷ ୮୧ ହଜାର ୮ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧୀକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ଓ ତାଲୁକାସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସରରେ ଆଜି ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।

ସମ୍ବନ୍ଧିତ ଖବର