୮ ସଂଘ ଜାରିରଖିବେ ଆନ୍ଦୋଳନ: ବୈଠକକୁ ଡାକିଲେ, ଦାବି ପୂରଣ ପାଇଁ ସମୟ ମାଗିଲେ

ଆନ୍ଦୋଳନ ଭଣ୍ଡୁର ପାଇଁ ସରକାରଙ୍କ ଉଦ୍ୟମ, ଓହରିଲେ ୨ ସଂଘ, ଅଭିଭାବକ ସାମିଲ ପରେ ଚେତା ପଶିଲା

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ୧୦ଟି ପ୍ରାଥମିକ ଶିକ୍ଷକ ସଙ୍ଗଠନ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ। ୧୧ ଦିନ ଧରି ରାଜ୍ୟରେ ପାଠପଢ଼ା ଠପ୍‌ ହେବା ପରେ ଶିକ୍ଷକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ ମହାସଚିବ ଚାରୁଲତା ମହାପାତ୍ରଙ୍କୁ ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ସ୍ଥଗିତ କରାଇଛନ୍ତି। ମାତ୍ର ୧୦ଟି ସଙ୍ଗଠନ ମଧ୍ୟରୁ ଦୁଇଟି ସଂଘ ଆନ୍ଦୋଳନ ସ୍ଥଗିତ ରଖିବା ସପକ୍ଷରେ ଯାଇଥିବା ବେଳେ ବାକି ୮ଟି ସଙ୍ଗଠନ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହସ୍ତକ୍ଷେପ ନ କରି ଲକ୍ଷାଧିକ ଶିକ୍ଷକଙ୍କ ହକ୍‌ ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏଥିପାଇଁ ଯେଉଁ ଅପ୍ରିତିକର ପରିସ୍ଥିତି ଉପୁଜିବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶିକ୍ଷକ ସଙ୍ଗଠନଗୁଡ଼ିକ ନେତାମାନେ ଚେତାବନୀ ଦେଇଛନ୍ତି।

ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ସକାଳୁ ଅଭିଭାବକମାନେ ରା‌ସ୍ତାକୁ ଓହ୍ଲାଇଥିଲେ। ଓଡ଼ିଶା ଅଭିଭାବକ ମହାସଂଘ ଡାକରାରେ ଗାଁଠୁ ସହର ପର୍ଯ୍ୟନ୍ତ ଅଭିଭାବକ ବିଭିନ୍ନ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶିକ୍ଷକଙ୍କ ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ। ଆନ୍ଦୋଳନର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଡାକିଥିଲେ। ଅପରାହ୍ଣ ୧ଟାରେ ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସମେତ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଅର୍ଥ ବିଭାଗ, ଗଣଶିକ୍ଷା ବିଭାଗ, ଆଇନ ବିଭାଗ, ସାଧାରଣ ପ୍ରଶାସନ ବିଭାଗର ସଚିବମାନେ ଉପସ୍ଥିତ ରହିଥିଲେ। ପ୍ରାୟ ୩ ଘଣ୍ଟା ଧରି ଶିକ୍ଷକମାନଙ୍କ ୩ ଦଫା ଦାବି ଉପରେ ବ୍ୟାପକ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଗୋଟିଏ ବି ଦାବି ଏବେ ପୂରଣ କରିବା ସମ୍ଭବପର ନୁହେଁ ବୋଲି ବୈଠକରେ ଉପସ୍ଥିତ ଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବମାନେ ରୋକଠୋକ୍‌ ଶୁଣାଇ ଦେଇଥିଲେ। ଦାବିଗୁଡ଼ିକ ପୂରଣ କରିବାକୁ ଆହୁରି ସମୟ ଦରକାର। ‌ତେଣୁ ଏବେ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବାକୁ ଶିକ୍ଷକ ନେତାମାନଙ୍କ ଉପରେ ଚାପ ପକାଯାଇଥିଲା।

ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ କୌଣସି ସୁଫଳ ମିଳି ନ ଥିବାରୁ ଅଧିକାଂଶ ଶିକ୍ଷକ ନେତା ଅସନ୍ତୋଷ ପ୍ରକାଶ କରିଥିଲେ। ଅପରାହ୍ଣରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ର ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହେବା ସହ ମନ୍ତ୍ରୀ ଓ ସଚିବଙ୍କ ପ୍ରତିଶ୍ରୁତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ତେବେ ସେଠାରେ ଅଧିକାଂଶ ଶିକ୍ଷକ ସଙ୍ଗଠନ ଆନ୍ଦୋଳନ ଜାରି ରଖିବାକୁ ମତ ରଖିଥିବା ବେଳେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ ଓ ଓପିଟିଏ ଆନ୍ଦୋଳନରୁ ଓହରିବା ସପକ୍ଷରେ ମତ ରଖିଥିଲେ। ଯେଉଁଥିପାଇଁ ଶିକ୍ଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଫେଡେରେସନ୍‌ ମହାସଚିବ ଶ୍ରୀମତୀ ମହାପାତ୍ର ଘୋଷଣା କରିଥିଲେ ଯେ ଏବେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା। ଧାର୍ଯ୍ୟ ସମୟ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣିଥରେ ଆନ୍ଦୋଳନ କରାଯିବ। ପରବର୍ତ୍ତୀ ସମୟରେ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଶ୍ରୀମତୀ ମହାପାତ୍ର ଜଣାଇଛନ୍ତି ଯେ ସଙ୍ଗଠନର ଦାବିଗୁଡ଼ିକୁ ରାଜ୍ୟ ସରକାର ସକରାତ୍ମକ ଭାବେ ଆଲୋଚନା କରିଛନ୍ତି। କ୍ୟାଡରରେ ବହୁ ଅସଙ୍ଗତି ରହିଛି ଏବଂ ତାହାକୁ ସଜାଡ଼ିବା ପାଇଁ ସମୟ ଆବଶ୍ୟକ।

ରାଜ୍ୟ ସରକାର ନିଶ୍ଚିତ ଭାବେ ଦାବିଗୁଡ଼ିକ ପୂରଣ କରିବେ। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଶିକ୍ଷକମାନଙ୍କ ଦାବିଗୁଡ଼ିକ ତୁରନ୍ତ ପୂରଣ କରିବା ପାଇଁ କଳା ଓ କ୍ରୀଡ଼ା ଶିକ୍ଷକ, ଗଣଶିକ୍ଷକଙ୍କ ସମସ୍ୟା ତୁରନ୍ତ ପୂରଣ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ତେଣୁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଉପରେ ଆସ୍ଥା ପ୍ରକଟ କରି ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି। ଯଦି ରାଜ୍ୟ ସରକାର ଦେଇଥିବା ସମୟ ସୀମା ମଧ୍ୟରେ ଦାବି ପୂରଣ ନ କରନ୍ତି ତେବେ ସଙ୍ଗଠନ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଶ୍ରୀମତୀ ମହାପାତ୍ର ଜଣାଇଛନ୍ତି। ଅନ୍ୟପକ୍ଷରେ ଶ୍ରୀମତୀ ମହାପାତ୍ରଙ୍କ ନିଷ୍ପତ୍ତିକୁ ବିରୋଧ କରୁଥିବା ୮ଟି ଶିକ୍ଷକ ସଙ୍ଗଠନର ନେତୃବୃନ୍ଦଙ୍କ ବୈଠକ ବସିବା ସହ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ(ୟୁପିଟିଏଫ୍‌), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଅଲଓଷ୍ଟା), ପଶ୍ଚିମ ଓଡ଼ିଶା ଶିକ୍ଷକ ଫୋରମ୍‌, ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ, ପିଷ୍ଟା, ଏକ୍ସ-କ୍ୟାଡର ଶିକ୍ଷକ ସଂଘ, ଗଣଶିକ୍ଷକ, କନିଷ୍ଠ ଶିକ୍ଷକ ସଂଘର ନେତାମା‌ନେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀମତୀ ମହାପାତ୍ର ଏକପାଖିଆ ଭାବେ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରୁ ଓହରିବା ସହ ନିଷ୍ପତ୍ତିର ପୁର୍ନବିଚାର କରିବାକୁ ଅଲଓଷ୍ଟା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର