ବାଲେଶ୍ୱର/ଭୋଗରାଇ : ଗୋଆରେ ହୋଟେଲ୍ବୟ ଭାବେ କାମ କରୁଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ୨ ଭାଇଙ୍କ ମୃତ୍ୟୁ ପରେ ୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। କାଳେ ସେମାନେ କୌଣସି ଭୂତାଣୁଜନିତ ରୋଗରେ ଆକ୍ରାନ୍ତ ହୋଇଥିବେ, ସେଥିପାଇଁ ସମସ୍ତ ଅସୁସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଥିଲା। ଫଳରେ ଆଜି ଅସୁସ୍ଥମାନେ ବାଲେଶ୍ୱର ଷ୍ଟେସନ୍ରେ ପହଂଚିବା ପରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ସହ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ; ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁରର ଅମୂଲ୍ୟ ଜେନାଙ୍କ ତିନିପୁଅ ଉତ୍ତମ (୨୨), ବରେନ୍ଦ୍ର (୨୮) ଓ ମନୋରଂଜନ (୨୫) ଗୋଆ ସ୍ଥିତ ଅନ୍ତରାଇ ହୋଟେଲ୍ ଓ ରେସ୍ତୋରାଁରେ ହୋଟେଲ୍ବୟ ଭାବେ କାମ କରୁଥିଲେ। ବର୍ଷେ ହେବ ଉତ୍ତମ ସେଠାରେ କାମ କରୁଥିବା ବେଳେ ୧୩ ଦିନ ତଳେ ନିଜର ଦୁଇଭାଇଙ୍କ ସହ ପଞ୍ଚାୟତର ଗୌତମ ଜେନା (୨୨), ଶୁକଦେବ ଜେନା (୨୦), ରାଜେନ୍ଦ୍ର ପରିଡ଼ା (୧୮), ଜୟଦେବ ଜେନା (୨୫), ବିଶ୍ୱରଂଜନ ଜେନା (୨୪), ରତନ ଜେନା (୧୮), ତପନ ଦଳେଇ (୧୮)ଙ୍କୁ ସେ ସାଙ୍ଗରେ ନେଇଯାଇ ଉକ୍ତ ହୋଟେଲ୍ କାମରେ ଲଗାଇଥିଲେ। ତେବେ ଗତ ୪ ଦିନ ତଳେ ଉତ୍ତମ ହଠାତ୍ ଅସୁସ୍ଥ ହେବା ସହ ମୃତ୍ୟୁ ଘଟିଥିଲା। ବଡ଼ଭାଇ ବରେନ୍ଦ୍ରଙ୍କ ଦେହରେ ବି ସମାନ ଲକ୍ଷଣ ପ୍ରକାଶ ପାଇଥିଲା। ଜ୍ୱର, କାଶ ଓ ପେଟବ୍ୟଥା ହୋଇ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ମୃତକଙ୍କ ଭାଇ ମନୋରଂଜନଙ୍କ ସହ ଅନ୍ୟ ୭ ଜଣ ଅସୁସ୍ଥ ଥିବା ସୂଚନା ମିଳିଥିଲା। କୌଣସି ଭୂତାଣୁ ଜନିତ ରୋଗରେ ଶିକାର ହୋଇ ଦୁଇଭାଇ ମୃତ୍ୟୁ ଘଟିଥିବା ଓ ଅନ୍ୟମାନେ ଅସୁସ୍ଥ ହୋଇଥିବା ବେଳେ ଭୋଗରାଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।