ବେଲଗୁଣ୍ଠା : ବୟସ ମାତ୍ର ୮। ଯେଉଁ ବୟସରେ ଖେଳକୁଦ କରିବା କଥା ସେ ବୟସରେ ତାଙ୍କୁ ଘାରିଛି ଏକ ନିଆରା ନିଶା। ତାହା ହେଲା, ପୁରୁଣା ମୁଦ୍ରା ସଂଗ୍ରହ କରିବା। ସେ ଇତି ମଧ୍ୟରେ ୫୦ରୁ ଅଧିକ ପୁରୁଣା ମୁଦ୍ରା ସଂଗ୍ରହ କରି ସାରିଲାଣି। ଏହି ବାଳକ ଜଣଙ୍କ ହେଉଛନ୍ତି, ବେଲଗୁଣ୍ଠା ବ୍ଲକ୍ ଅଧୀନ ପାଇଲିପଡ଼ା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସରୋଜ ପ୍ରଧାନଙ୍କ ପୁତ୍ର ସାତ୍ତ୍ବିକ ରାଜ୍।
ତାଙ୍କ ନିଶା ଏବେ ପୁରୁଣା ମୁଦ୍ରା ସଂଗ୍ରହ କରିବା। ଖୁବ୍ କମ୍ ବୟସରୁ ସେ ଏହି ମୁଦ୍ରା ସଂଗ୍ରହରେ ଲାଗି ପଡ଼ିଛନ୍ତି। ଇତି ମଧ୍ୟରେ ତାଙ୍କ ପାଖରେ ବିଭିନ୍ନ ପ୍ରକାରର ୫୦ରୁ ଅଧିକା ପୁରୁଣା ମୁଦ୍ରା ରହିଛି। ସେ ତାଙ୍କ ଜେଜେ ବାପା ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଞ୍ଚାନନ ପ୍ରଧାନ ଓ ଜେଜେ ମା’ ପ୍ରତିମା ପ୍ରଧାନଙ୍କ ଠାରୁ ପ୍ରେରଣା ପାଇ ଏପରି କରୁଥିବା କୁହନ୍ତି। ପୁରୁଣା ଅଣା, ଦୁଇ ଅଣା, ଏକ ପଇସା, ପାଞ୍ଚ ପଇସା ଠାରୁ ଆରମ୍ଭ କରି ତମ୍ବା ପିତଳ ଓ ରୁପା ମୁଦ୍ରାଟିଏ ପାଇଲେ ତାକୁ ସେ ସାଇତି ରଖନ୍ତି। ସେହିପରି ସେ ତାଙ୍କ ସମ୍ପର୍କୀୟ, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ଠାରୁ ଏହି ମୁଦ୍ରା ସଂଗ୍ରହ କରନ୍ତି।
ସାତ୍ତ୍ଵିକଙ୍କ ମା’ ପୂଜା ମଧ୍ୟ ଜଣେ ଶିକ୍ଷୟିତ୍ରୀ। ସାତ୍ତ୍ବିକ ହିନ୍ଦୀ, ଓଡ଼ିଆ ଓ ଇଂରାଜୀ ଭାଷାରେ ସ୍ପଷ୍ଟ କଥାବର୍ତ୍ତା କରିପାରନ୍ତି। ଏହା ସେ ଲେଖା ପଢ଼ାରେ ମଧ୍ୟ ଦକ୍ଷ। ଏବେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ସାତ୍ତ୍ଵିକ ବଡ଼ ହେଲେ ଜଣେ ମହାକାଶ ବିଜ୍ଞାନୀ ହେବାର ସ୍ଵପ୍ନ ରଖିଛନ୍ତି। ଅଧିକାଂଶ ସମୟରେ ସେ ମୋବାଇଲ୍ ଓ ୟୁ-ଟ୍ୟୁବରୁ ମହାକାଶ ବିଜ୍ଞାନ ଓ ପୁରୁଣା ମୁଦ୍ରା ବିଷୟରେ ନୂଆ ନୂଆ ଅନୁସନ୍ଧାନମୂଳକ ଭିଡ଼ିଓ ଦେଖନ୍ତି। ନିଜେ ମଧ୍ୟ ପୁରୁଣା ମୁଦ୍ରା ଉପରେ ୨ଟି ଭିଡ଼ିଓ ପ୍ରସ୍ତୁତ କରି ୟୁଟୁବରେ ଛାଡ଼ିଛନ୍ତି। ତାଙ୍କ ଶିକ୍ଷକ ସିଷ୍ଟର୍ ବିଜୟଲକ୍ଷ୍ମୀ ତାଙ୍କୁ ନେଇ ଗର୍ବ ଅନୁଭବ କରିବା ସହ ସେ ସ୍ଥାନୀୟ ଅଞ୍ଚଳ ପାଇଁ ଦିନେ ଗୌରବ ଆଣିବେ ବୋଲି କହିଥିଲେ। ସେହିପରି ତାଙ୍କ ବାପା ମଧ୍ୟ କରୋନା ଯୋଦ୍ଧା ଭାବେ ସମ୍ମାନିତ ହୋଇଛନ୍ତି।