କାଠଗଡ଼ାରେ ୮ ବର୍ଷର ନାବାଳିକା: ଲାଗିଛି ୧୦୭ ଦଫା, ଭର୍ତ୍ସନା କଲେ ମାଜିଷ୍ଟ୍ରେଟ୍‌

ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ, ଡିସିପି ମାଗିଲେ ରିପୋର୍ଟ

ବାଲିପାଟଣା: ଭୁବନେଶ୍ବର ଅତିରିକ୍ତ ଡିସିପିଙ୍କ କୋର୍ଟରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ୧୦୭ ଦଫାରେ ଅଭିଯୁକ୍ତ ଜଣେ ୮ ବର୍ଷର ନାବାଳିକାକୁ କାଠଗଡ଼ାରେ ଠିଆ ହେବା ଦେଖିବାକୁ ମିଳିଥିଲା। ଶିଶୁ ସୁରକ୍ଷା ପାଇଁ ଯେଉଁ ପୁଲିସ ଅଣ୍ଟା ଭିଡ଼ିବା କଥା, ସେହି ପୁଲିସ ଜଣେ ୮ ବର୍ଷର ନାବାଳିକାକୁ କାଠଗଡ଼ାରେ ଦେଖି ବିସ୍ମିତ ହୋଇପଡ଼ିଥିଲେ ଖୋଦ୍‌ ମାଜିଷ୍ଟ୍ରେଟ୍‌। ଘଟଣା ଜାଣିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ଦାୟିତ୍ବହୀନତା ପାଇଁ ତଦନ୍ତ ଅଧିକାରୀଙ୍କୁ ଭର୍ତ୍ସନା‌ କରିଥିଲେ। ଖବର ପାଇ ଭୁବନେଶ୍ବର ଡିସିପି ତଦନ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଥାନା ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। ଆଜି ଏହି ସମ୍ବେଦନଶୀଳ ମାମଲାଟି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। କମିସନରେଟ୍‌ ପୁଲିସର ଏଭଳି ଦାୟିତ୍ବହୀନତାକୁ ନେଇ ବିଭିନ୍ନ ମହଲରୁ କଟୁ ସମାଲୋଚନା କରାଯାଇଛି।

ସୂଚନାନୁସାରେ ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଅଧୀନ ଦେଉଳିଧରପୁର ଗ୍ରାମର ଧର୍ମାନନ୍ଦ ଜେନା ଏବଂ ଅକ୍ଷୟ କୁମାର ଜେନାଙ୍କ ପରିବାର ମଧ୍ୟରେ ଗତ ଡିସେମ୍ବର ୧୫ରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ବାଲିପାଟଣା ଥାନାରେ ମାମଲା ରୁଜୁ ହୋଇଥିଲା। ଆଗକୁ ଗଣ୍ଡଗୋଳ ନ ବଢ଼ିବା ପାଇଁ ପୁଲିସ ଉଭୟ ପରିବାର ଲୋକଙ୍କ ବିରୋଧରେ ୧୦୭ ଦଫା ଲାଗୁ କରି ସମନ୍‌ ଜାରି କରିଥିଲା। ଏଥିରେ ଉକ୍ତ ୮ ବର୍ଷର ନାବାଳିକାର ନାମ ରହିଥିଲା। ତେବେ ବାପାଙ୍କ ନାମ ଓ ଠିକଣା ଠିକ୍‌ ଥାଇ ନାବାଳିକାଙ୍କ ବୟସ ୧୯ ବର୍ଷ ବୋଲି ଦର୍ଶାଯାଇଥିଲା। ଆଜି ଥିଲା ମାମଲାର ପ୍ରଥମ ଶୁଣାଣି। ତେଣୁ ନାବାଳିକାକୁ ଧରି ପରିବାରର ଅନ୍ୟ ଅଭିଯୁକ୍ତମାନେ ଭୁବନେଶ୍ବର ଅତିରିକ୍ତ ଡିସିପିଙ୍କ କୋର୍ଟରେ ହାଜର ହୋଇଥିଲେ। କାଠଗଡ଼ାରେ ନାବାଳିକାକୁ ଦେଖି ମାଜିଷ୍ଟ୍ରେଟ୍‌ ଚକିତ ହୋଇଯାଇଥିଲେ। ପରିବାର ଲୋକଙ୍କଠାରୁ ସମସ୍ତ କଥା ଶୁଣିବା ପରେ ମାଜିଷ୍ଟ୍ରେଟ୍‌ ଖୁବ୍ ବିରକ୍ତି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ କୁନି ପିଲାଟି କାଠଗଡ଼ାକୁ ଅଣାଯାଇଥିବାରୁ ଘଟଣାଟି ଆଜି କୋର୍ଟରେ ଉପସ୍ଥିତ ସମସ୍ତଙ୍କୁ ବ୍ୟଥିତ କରିଥିଲା।

ବାଲିପାଟଣା ଥାନା ପୁଲିସର ଏଭଳି ତଦନ୍ତ ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଏହି ଘଟଣାରେ ଡିସିପି ଉମାଶଙ୍କର ଦାଶ ବାଲିପାଟଣା ଥାନାଧିକାରୀଙ୍କୁ ତାଗିଦ୍‌ କରିବା ସହ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜୋନ୍‌-୪ ଏସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁଙ୍କ କହିବା କଥା ଭୁଲ୍‌ବଶତଃ ଏଭଳି ହୋଇଛି। ପ୍ରତିପକ୍ଷରେ ସେହି ନାଁରେ ୧୯ ବର୍ଷ ବୟସର ଜଣେ ଯୁବତୀ ଅଛନ୍ତି। ତାଙ୍କୁ ସମନ କଲାବେଳେ କପିପେଷ୍ଟ ଜନିତ କାରଣରୁ ଏଭଳି ତ୍ରୁଟି ହୋଇଯାଇଛି। ମାମଲାରୁ ନାବାଳିକାର ନାଁକୁ ବାଦ୍‌ ଦିଆଯିବ ବୋଲି ସେ କହିଛନ୍ତି। ତେବେ ଏ ନେଇ ଚାଇଲ୍ଡ ଲାଇନ ଅଧିକାରୀ ବେଣୁଧର ସେନାପତି କହିଛନ୍ତି ଯେ ଆଇପିସି ଧାରା ୮୨ ଅନୁସାରେ ୭ ବର୍ଷରୁ କମ୍ ବୟସର ଶିଶୁ କୌଣସି ଅପରାଧ ଘଟାଇଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବନାହିଁ। ସେହିପରି ଆଇପିସି ୮୩ ଅନୁସାରେ ୮ ବର୍ଷରୁ ୧୨ ବର୍ଷର ଶିଶୁ ଘଟାଇଥିବା ଅପରାଧର ଫଳାଫଳ ବାବଦରେ ଜାଣି ନ ଥିଲେ, ତାଙ୍କୁ ଗିରଫ କରାଯାଇ ପାରିବନାହିଁ। ଏହି କ୍ଷେତ୍ରରେ ଶିଶୁଟି ନିର୍ଯାତନାର ଶିକାର ହୋଇଛି।

ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଜୁଭେନାଇଲ ଜଷ୍ଟିସ(କିଶୋର ନ୍ୟାୟ) ଆଇନର ଧାରା ୭୫ ଅନୁସାରେ ତଦନ୍ତକାରୀ ଅଧିକାରୀ ଓ ଥାନାଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପାରିବ। ଏହି ଆଇନରେ ଦୋଷୀ ସାବ୍ୟସ୍ତ ହେଲେ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ଆସନ୍ତାକାଲି ଚାଇଲ୍ଡ ଲାଇନ ପକ୍ଷରୁ ଏ ସମ୍ପର୍କରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ପିଟିସନ୍ ଦାଖଲ କରାଯିବ। ଆଇନଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି ଯେ ଏହି ମାମଲାରେ ପୁଲିସ ସବୁ ସୀମାକୁ ଟପି ଯାଇଛି। ବ୍ରିଟିସ୍‌ ପୁଲିସ୍‌ ଭଳି ଆଚରଣ କରିଛି। ଦୋଷୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଆଇନଗତ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର