ଝିଅକୁ ଗଳାକାଟି ହତ୍ୟା: କନ୍ୟାହନ୍ତା ବାପାକୁ ୧୦ ବର୍ଷ ଜେଲ୍‌

ବାରିପଦା: ୪ ବର୍ଷ ତଳେ ବାରିପଦା ସଦର ଥାନା ଗୋବର୍ଦ୍ଧନଶୋଳ ଗାଁରେ ଘଟିଥିବା ଏକ ନୃଶଂସ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ୮ ବର୍ଷର ଝିଅକୁ ଗଳା କାଟି ହତ୍ୟା କରିବା ଅଭିଯୋଗରେ ବାପ ସନିଆ ଦେହୁରୀ (୪୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍ ପ୍ରଦୀପ ପଟ୍ଟନାୟକ।

୨୦୧୮ ମସିହା ମେ’ ୩୦ ତାରିଖ ସକାଳେ କୌଣସି କଥାକୁ ନେଇ ପତ୍ନୀଙ୍କ ସହ ଝଗଡ଼ା ହେବା ପରେ ସନିଆ କାମକୁ ବାହାରିଯାଇ ଅପରାହ୍ନରେ ଘରକୁ ଫେରିଥିଲା। ତେବେ ସକାଳର କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପତ୍ନୀ ଓ ୩ ଝିଅଙ୍କୁ ଗୋଟିଏ ରୁମ୍‌ରେ ବନ୍ଦ କରି ସମସ୍ତଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲା ସନିଆ। ତେବେ ପତ୍ନୀ ଓ ଝିଅମାନଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଧାଇଁ ଆସି ‌ଘର କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଏହାରି ଭିତରେ ରକ୍ତମୁଖା ହୋଇ ପଡ଼ିଥିବା ସନିଆ ହାତରେ ଧରିଥିବା ଧାନକଟା ଦା’ରେ ୮ ବର୍ଷର ସାନଝିଅର ଗଳା କାଟି ଦେଇଥିଲା। ଏହି ବୀଭତ୍ସ ହତ୍ୟାକାଣ୍ଡ ସେ ସମୟରେ ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣା ପରଠାରୁ ଜେଲ୍‌ରେ ଥିବା ସନିଆକୁ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ସରକାରଙ୍କ ପକ୍ଷରୁ ପିପି ସସ୍ମିତା ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର