ଅନୁଗୁଳ : ସାରା ଦେଶରେ ଯେବେ କରୋନା କାୟା ବିସ୍ତାର କରି ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲୁଥିଲା, ଠିକ୍ ସେତିକିବେଳେ ତାଳଚେର ଅଞ୍ଚଳର ଜଣେ ସୁନା ଝିଅ ସ୍ନେହାଲ୍ଙ୍କ ପାଇଁ ଲକ୍ଡାଉନ୍ ସାଜିଥିଲା ବରଦାନ। ଆଉ ତାଙ୍କ କ୍ୟାରିଅରରେ ଯୋଡ଼ି ହୋଇ ଯାଇଥିଲା ଏକ ବିଶ୍ଵ ରେକର୍ଡ। ୮ ବର୍ଷର କୁନିଝିଅ ସ୍ନେହାଲ୍ ମାତ୍ର ୨୨ ଦିନରେ ୮୮ ପୃଷ୍ଠାର ଜଗନ୍ନାଥଙ୍କ ଅକୁହା କାହାଣୀ ଲେଖି ବେଶ୍ ଚର୍ଚ୍ଚିତ ହୋଇଛନ୍ତି।
ତାଳଚେର ଅଞ୍ଚଳର ନନ୍ଦିରା କୋଲିୟରୀରେ ମାଇନିଂ ଇଞ୍ଜିନିୟର ଭାବେ କାର୍ଯ୍ୟରତ ସୁଶିଲ କୁମାର ବରାଳଙ୍କ ଆଠ ବର୍ଷର ଅଲିଅଳି ଝିଅ ସ୍ନେହାଲ ବରାଳ । ବର୍ତ୍ତମାନ ସେ ତାଳଚେର ଏମ୍ସିଏଲ୍ କଳିଙ୍ଗ କ୍ଷେତ୍ରର ଡିଏଭି ପବ୍ଲିକ୍ ସ୍କୁଲ୍ରେ ଜଣେ ୩ୟ ଶ୍ରେଣୀର ଛାତ୍ରୀ। ଆଦ୍ୟ କାଳରୁ ସ୍ନେହାଲ ନିଜର ଅଦମ୍ୟ ଇଚ୍ଛାଶକ୍ତି ତଥା ଗଭୀର ଅଧ୍ୟବସାୟ ବଳରେ ପ୍ରତିଟି କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରାଇ ଆସିଛନ୍ତି। ବିଭିନ୍ନ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଛାପ ତିଆରି କରିବା ପରେ ଏବେ ପୁଣି ଯୋଡ଼ିଦେଇଛନ୍ତି ନିଜ କ୍ୟାରିଅର୍ରେ ଆଉ ଏକ ସଫଳତାର କାହାଣୀ। ଗତ ମାସରେ ବିଶ୍ବ ସ୍ତରରେ ହୋଇଥିବା ଏକ ଅନ୍ ଲାଇନ୍ ପ୍ରତିଯୋଗିତାରେ ସ୍ନେହାଲ ଭାଗ ନେଇ ମାତ୍ର ୨ ମିନିଟ ୨୫ ସେକେଣ୍ଡରେ ବିଶ୍ବର ୧୯୫ଟି ଦେଶର ନାମ ଏବଂ ସେଗୁଡ଼ିକର ରାଜଧାନୀର ନାମ ନିର୍ଭୁଲ୍ ଭାବେ କହି ସେ ଅନ୍ତର୍ଜାତୀୟ ସ୍ତରରେ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ। ଏଥିଲାଗି ତାଙ୍କୁ ଆୟୋଜକ ସଂସ୍ଥା ପକ୍ଷରୁ ମେଡାଲ୍ ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ , ଛୋଟ ବେଳରୁ କେବେ ଚିତ୍ରାଙ୍କନ କରି ଇସ୍ରୋ ଦ୍ୱାରା ପୁରସ୍କୃତ ହୋଇଛନ୍ତି ତ ପୁଣି କେବେ ଅଲିମ୍ପିଆଡ୍ରେ ବାଜି ମାରି ସ୍ଵର୍ଣ୍ଣ ପଦକ ଆଉ କେବେ ସ୍କୁଲ ସ୍ତରରେ ହୋଇ ପାରିଛନ୍ତି ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର। ପାଠପଢାରୁ ଚିତ୍ରାଙ୍କନ ସବୁ କ୍ଷେତ୍ରରେ ସେ ବେଶ୍ ପ୍ରଶଂସିତ ହୋଇ ଆସୁଥିବା ବେଳେ ଏବେ ନିକଟରେ ସେ ‘ଜଗନ୍ନାଥ ମହାପ୍ରଭୁଙ୍କ କିଛି ଅକୁହା କାହାଣୀକୁ ଲେଖି ବେଶ୍ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
‘ସମ୍ବାଦ’କୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ଜଗନ୍ନାଥଙ୍କ ଏହି ଅକୁହା କାହାଣୀକୁ ଇଂରାଜୀ ଭାଷାରେ ସେ ମାତ୍ର ୨୨ ଦିନରେ ଲେଖି ସମ୍ପୂର୍ଣ୍ଣ କରିଛନ୍ତି। ଖୁବ୍ ଶୀଘ୍ର ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଶ୍ବବାସୀଙ୍କ ଆରାଧ୍ୟ ଦେବତାଙ୍କ ପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଏହି ୮୮ ପୃଷ୍ଠାର ପୁସ୍ତକକୁ ତାଙ୍କ ହାତରେ ଉନ୍ମୋଚନ କରାଇବାର ଲକ୍ଷ୍ୟ ରଖିଛନ୍ତି। ଝିଅର ଏଭଳି ଗୋଟିଏ ପରେ ଗୋଟିଏ ରେକର୍ଡ ପାଇଁ ବାପା ମାଙ୍କ ଖୁସି କହିଲେ ନ ସରେ। ସ୍ନେହାଲ ତାଙ୍କ ଅଜାଆଈଙ୍କ ଆଦର୍ଶ ଏବଂ ବାପାମାଙ୍କ ସଂସ୍କାର ତଥା ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ପୁସ୍ତକ ରଚନା କରିବାରେ ସଫଳ ହୋଇପାରିଥିବା କହିଛନ୍ତି। ଆଗାମୀ ଦିନରେ ଜଣେ ଆଇଏଏସ୍ ଅଫିସର୍ ହୋଇ ଲୋକଙ୍କ ସେବା କରିବା ତାଙ୍କର ଲକ୍ଷ୍ୟ ବୋଲି ସ୍ନେହାଲ୍ କହିଛନ୍ତି।