ଘରୋଇ ଆମ୍ବୁଲାନ୍ସ ଧକ୍କାରେ ୮ ବର୍ଷର ବାଳିକା ମୃତ, ଉତ୍ତେଜନା ଦେଖାଯିବା ପରେ ଯାନବାହନ ଚଳାଚଳ ଠପ୍‌

ପାରଳାଖେମୁଣ୍ଡି: ଏକ ଘରୋଇ ଆମ୍ବୁଲାନ୍ସ ଧକ୍କା ଦେବାରୁ ଆଜି ଜଣେ ୮ ବର୍ଷର ଝିଅର ଅସ୍ବାଭାବିକ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କତଲକଇଠା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ୮ବର୍ଷର ଝିଅ ମୃତ ଘଟିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଉକ୍ତ ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ମୃତଦେହକୁ ଧରି ରାସ୍ତାରୋକ କରିଛନ୍ତି। ଏହି ରାସ୍ତାରୋକ ଯୋଗୁଁ  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି-ମୋହନା ରାସ୍ତାରେ ସମ୍ପୂର୍ଣ୍ଣ ଭାବେ ଗାଡି ଚଳାଚଳ ବନ୍ଦ ରହିଛି।

ସୂଚନା ଅନୁସାରେ ରାୟଗଡ ପଟରୁ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ପାରଳାଖେମୁଣ୍ଡି ଆଡକୁ ଯାଉଥିବା ବେଳେ କତଲକଇଠା ଗ୍ରାମର ବି.ଲକ୍ଷ୍ମୀ (୮)ଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ବାଳିକାର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ଗଜପତି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି। ଏହା ସହ ପାରଳାଖେମୁଣ୍ଡି, ଗୁରାଣ୍ଡି ଏବଂ ରାୟଗଡ ଥାନାର ଅଧିକାରୀ ଏବଂ କର୍ମଚାରୀ ମାନେ ମୁତୟନ ରହିଛନ୍ତି।

ସମ୍ବନ୍ଧିତ ଖବର