ଗଞ୍ଜାମ: କବିସୂର୍ଯ୍ୟନଗର ଅଞ୍ଚଳରେ ପିଲାଚୋର ଆତଙ୍କ, ୮୦ ଅଟକ 

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ପିଲାଚୋର ଆତଙ୍କ ଦେଖାଯାଇଛି। ସନ୍ଦେହରେ ପୁଲିସ ସୋମବାର ୮୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ଏକ ସପ୍ତାହେ ହେବ, ସାରା ରାଜ୍ୟରେ ପିଲାଚୋରିକୁ ନେଇ ଭୟର ବାତାବରଣ ଦେଖାଦେଇଛି। ସୋସିଆଲ ମିଡିଆରେ ଖେଳି ଯାଇଥିବା ଏକ ଗୁଜବ ରାଜ୍ୟରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ବିଭିନ୍ନ ସ୍ଥାନରେ ଲୋକମାନେ ସନ୍ଦିଗ୍ଧମାନଙ୍କୁ ମାଡ଼ ମାରି ଲହୁଲୁହାଣ କରୁଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଗଣମାଧ୍ୟମକୁ କହିଛନ୍ତି, ଏହା ଏକ ଗୁଜବ। ଏଭଳି ଗୁଜବ ପ୍ରତି ଆଦୌ ଧ୍ୟାନ ଦିଅନ୍ତୁ ନାହିଁ। ଯଦି କେହି ଆଇନକୁ ହାତକୁ ନେଇ କୌଣସି ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରନ୍ତି, ସେମାନଙ୍କ ବିରୋଧରେ ପୁଲିସ ପକ୍ଷରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମିଳିଥିବା ସୂଚନା ମୁତାବକ, ଏକ ସପ୍ତାହ ହେବ ବିଭିନ୍ନ ସୋସିଆଲ ମିଡିଆରେ କେତେକ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କ ଫଟୋ, ଭିଡିଓ ଆଦି ସୋସିଆଲ ମିଡିଆରେ ଘୂରି ବୁଲିବା ଆରମ୍ଭ କରିଥିଲା। ଯେଉଁଥିରେ କୁହାଯାଇଛି କି, ବିହାରରୁ ୫ଶହ ଯୁବକ ଆସିିଛନ୍ତି। ସେମାନେ ଛୋଟ ପିଲାଙ୍କୁ ଚୋରି କରି ନେବା ସହ ସେମାନଙ୍କ ଆଖି ତାଡ଼ି ନେଉଛନ୍ତି। ଏପରିକି କିଡନି ଓ ହାର୍ଟ ମଧ୍ୟ କାଢ଼ି ନେଉଛନ୍ତି ବୋଲି ଗୁଜବ ହେଉଛି। ସେମାନେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଏଭଳି କାଣ୍ଡ ଭିଆଇଛନ୍ତି। ସେଠାରୁ ସେମାନଙ୍କ ମଧ୍ୟରେ କିଛି ପୁଲିସ ହାତରେ ଧରାପଡ଼ିବା ପରେ ଘଟଣାର ପର୍ଦାଫାସ ହୋଇଛି। ସେମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ୍‌ ଓଡ଼ିଶାରେ ପ୍ରବେଶ କରିଛନ୍ତି।

କୋରାପୁଟ, ରାୟଗଡ଼ା ପରେ ଏହି ଗ୍ୟାଙ୍ଗ୍‌ ଖୋର୍ଧା ଜିଲ୍ଲାକୁ ଟାର୍ଗେଟ କରିଛନ୍ତି। ଏଭଳି ଗୁଜବ ପ୍ରଚାର ହେବା ପରେ ଗତ ଦୁଇ ଦିନ ହେବ କୋରାପୁଟର ବୋରିଗୁମ୍ମା, ଗଞ୍ଜାମର ଖଲ୍ଲିକୋଟ, ରାୟଗଡ଼ା, କନ୍ଧମାଳର ବାଲିଗୁଡା, ବ୍ରହ୍ମପୁର, ଭୁବନେଶ୍ୱରର ନୂଆପଲ୍ଲୀ ଅଞ୍ଚଳରେ ପିଲାଚୋରି ସନ୍ଦେହରେ ଅନେକଙ୍କୁ ଆକ୍ରମଣ ହୋଇଛି। ବିଶେଷକରି ଫେରିବାଲା, ଅଣ ଓଡ଼ିଆ ଲୋକ ଏହି ଆକ୍ରମଣର ଶିକାର ହେଉଛନ୍ତି। ବେଳକୁ ବେଳ ସୋସିଆଲ ମିଡିଆରେ ଏହାର ପ୍ରଚାର ବଢ଼ି ଚାଲିଛି। ଫଳରେ ସାରା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାରେ ଲାଗିଛି।

 

ସମ୍ବନ୍ଧିତ ଖବର