ବ୍ରହ୍ମପୁର: ହଳଦୀ ଯୋଗାଣ ନାଁରେ ନାସିକର ଜଣେ ବ୍ୟବସାୟୀଙ୍କ ଠାରୁ ୮୦ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ବଂସଡ଼ା ଥାନା ଅନ୍ତର୍ଗତ ତରଫରାଜପୁର ଗ୍ରାମର ଅଜୟ ନାୟକ, ନୂଆପଡ଼ା ନେତାଜୀପଲ୍ଲୀର ଗୁରୁଚାନ୍ଦ୍ର ବିଶ୍ୱାସ, ବାଲେଶ୍ୱରର ପ୍ରମୋଦ କୁମାର ମୁଖୀ ଓ ପଶ୍ଚିମବଙ୍ଗ ବଟକୃଷ୍ଣପୁର ମେନ୍ରୋଡ଼ର ଦେବସେନା ନନ୍ଦ। ଏହି ମାମଲାରେ ପୁଲିସ ୨୦ଲକ୍ଷ ଟଙ୍କା ଫ୍ରିଜ୍ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ନାସିକର ବ୍ୟବସାୟୀ ଅମଜାଦ୍ ବାବୁ ସାହାଙ୍କ ଏବିଏସ୍ ଟ୍ରେଡର୍ସ ନାମକ ଏକ କମ୍ପାନି ରହିଛି। ଗତମାସରେ ଅମଜାଦ୍ଙ୍କ କମ୍ପାନିକୁ ଥାନେ ଅଞ୍ଚଳର ପ୍ରିୟଙ୍କା ଏକ୍ସପର୍ଟ ନାମକ ଏକ କମ୍ପାନିରୁ ୧୨୦ ମେଟ୍ରିକ ଟନ୍ ହଳଦୀ ଯୋଗାଣ ପାଇଁ ଅର୍ଡର ମିଳିଥିଲା। ହଳଦୀ ସଂଗ୍ରହ କରିବାକୁ ଅମଜାଦ୍ ଏହି ବ୍ୟବସାୟରେ ସଂପୃକ୍ତ ଥିବା ବାଂଲାଦେଶର ସୌରଭ ଘୋଷ ଓରଫ ଗୁରୁଚାନ୍ଦ ବିଶ୍ବାସ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ଅମଜାଦ୍ଙ୍କ କମ୍ପାନିର ଏଜେଣ୍ଟ ସାନ୍ତନୁ ନାଗ ଓ ରାକେଶ ମଣ୍ଡଳଙ୍କ ଜରିଆରେ ସେ ସୌରଭ ଘୋଷଙ୍କ ସହ ଯୋଗାଯୋଗ କରିଥିଲେ। ଅମଜାଦ୍ ବ୍ରହ୍ମପୁର ଆସି ସୌରଭ ଘୋଷଙ୍କ ସହ ମିଶିଥିଲେ। ସୌରଭ ତାଙ୍କୁ ବ୍ରହ୍ମପୁରର ଲୋକାଲ ବ୍ୟବସାୟୀ ତଥା ବ୍ରହ୍ମପୁର ଖୋଡ଼ାସିଂ ଠାରେ ଥିବା ୟୁନିଭର୍ସାଲ ଏଗ୍ରୋ ଇନୋଭେସନ୍ କମ୍ପାନିର ମାଲିକ ପ୍ରମୋଦ କୁମାର ମୁଖୀଙ୍କ ସହ ସାକ୍ଷାତ କରାଇଥିଲେ।
ଏହି କମ୍ପାନିରୁ ହଳଦୀ ଯୋଗାଣ ହେବ ବୋଲି ଅମଜାଦ୍ଙ୍କୁ କୁହାଯିବା ସହ ଶୋଭନ୍ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମରେ ହଳଦୀ ମହଜୁଦ ଥିବା କୁହାଯାଇଥିଲା। ଅମଜାଦ୍ ଉକ୍ତ ଗୋଦାମକୁ ଯାଇ ମାଲ ଯାଞ୍ଚ କରିଥିଲେ। ଅମଜାଦ୍ ଗତମାସ ୧୮ ରୁ ଚଳିତ ମାସ ୧୧ ତାରିଖ ଭିତରେ ପ୍ରମୋଦ କୁମାର ମୁଖୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୮୦ ଲକ୍ଷ ଟଙ୍କା ପଠାଇଥିଲେ। ଚଳିତ ମାସ ୧୧ ତାରିଖରେ ୧୨୦ ମେଟ୍ରିକ୍ ଟନ୍ ହଳଦୀ ଏଠାରୁ ଟ୍ରକ୍ ଯୋଗେ ପଠାଇ ଦିଆଯିବ ବୋଲି ଅମଜାଦ୍ଙ୍କୁ କୁହାଯାଇଥିଲା। ଗତ ୧୧ ତାରିଖ ଦିନ ଟ୍ରକ୍ରେ ହଳଦୀ ଲୋଡ୍ ହୋଇଥିବା ନେଇ ଏକ ଭିଡିଓ ଅମଜାଦ୍ଙ୍କ ନିକଟକୁ ପଠାଯାଇଥିଲା। ତେବେ ହଳଦୀ ପହଞ୍ଚିବାରେ ବିଳମ୍ବ ହେବାରୁ ସେ ବାରମ୍ବାର ଫୋନ୍ କରି ବିଫଳ ହେବା ପରେ ଠକାମିର ଶିକାର ହୋଇଥିବା ଜାଣି ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/arrest-new-indian-express.jpg)