ଫୁଲବାଣୀ : କନ୍ଧମାଳ ଜିଲ୍ଲାକୁ ଆସୁଥିବା ୮୦ ପ୍ରତିଶତ ରାସାୟନିକ ସାର ଗଞ୍ଜେଇ ଚାଷରେ ବ୍ୟବହାର ହେଉଛି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିସ୍ମୟ ଲାଗୁଥିଲେ ବି ଏହା ପଛରେ ସତ୍ୟତା ରହିଛି। ରାଇକିଆ, ଫିରିଙ୍ଗିଆ ଓ ବାଲିଗୁଡ଼ା ଭଳି ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ବ୍ଲକ୍‌ରେ ଅନ୍ୟ ବ୍ଲକ୍‌ ତୁଳନାରେ ସର୍ବାଧିକ ସାରର ପ୍ରୟୋଗ ହେଉଛି। ଏହି ପରିପ୍ରେକ୍ଷୀରେ ଏହି ଖବରର ଗୁରୁତ୍ବ ବହୁଗୁଣିତ ହୋଇଛି।

Advertisment

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ୨୦୨୨ ଖରିଫ ଋତୁରେ କନ୍ଧମାଳ ଜିଲ୍ଲାରେ ମୋଟ ୨,୨୭୯ ମେଟ୍ରିକ ଟନ୍‌ ସାର ପ୍ରୟୋଗ ହୋଇଥିଲା। ସେଥି ମଧ୍ୟରୁ ସର୍ବାଧିକ ଫିରିଙ୍ଗିଆ ଓ ବାଲିଗୁଡ଼ା ବ୍ଲକ୍‌ରେ ବ୍ୟବହାର ହୋଇଛି। ୨୦୨୨ ଖରିଫ ଋତୁରେ କନ୍ଧମାଳ ଜିଲ୍ଲାରେ ୬୧୯ ମେଟ୍ରିକ ଟନ୍‌ ୟୁରିଆ ସାର ବ୍ୟବହାର ହୋଇଥିବା ବେଳେ ୩୫୩ ମେଟ୍ରିକ ଟନ୍‌ ଡିଏପି, ୬୬୧ ମେଟ୍ରିକ ଟନ୍‌ ଏନ୍‌ପିକେଏସ୍‌, ୨୮୯ ମେଟ୍ରିକ ଟନ୍‌ ଏସ୍‌ଏସ୍‌ପି ସାର ବ୍ୟବହୃତ ହୋଇଛି। କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ସବୁଠୁ ଅଧିକ ପରିମାଣର ୩୭୫ ମେଟ୍ରିକ ଟନ୍‌ ସାରର ପ୍ରୟୋଗ ହୋଇଥିଲା ଓ ତା' ତଳକୁ ଟିକାବାଲି ବ୍ଲକ୍‌ରେ ୩୦୩ ମେଟ୍ରିକ ଟନ୍‌, ବାଲିଗୁଡ଼ା ବ୍ଲକ୍‌ରେ ୨୯୧ ମେଟ୍ରିକ୍‌ ଟନ୍‌, ଫିରିଙ୍ଗିଆ ବ୍ଲକ୍‌ରେ ୨୩୭ ମେଟ୍ରିକ୍‌ ଟନ୍‌ ସାର ପ୍ରୟୋଗ ହୋଇଛି।

ସଂରକ୍ଷିତ ଜଙ୍ଗଲରେ ଖୋଳାଯାଇଛି ପୋଖରୀ, ପମ୍ପ୍‌ ଯୋଗେ ମଡ଼ା ଯାଉଛି ପାଣି

publive-image

ସେହିଭଳି ଫୁଲବାଣୀ ବ୍ଲକ୍‌ରେ ୨୦୦ ମେଟ୍ରିକ ଟନ୍‌, ଖଜୁରୀପଡ଼ା ବ୍ଲକ୍‌ରେ ୧୪୧ ମେଟ୍ରିକ ଟନ୍‌, କୋଟଗଡ଼  ବ୍ଲକ୍‌ରେ ୯୩ ମେଟ୍ରିକ ଟନ୍‌, ତୁମୁଡ଼ିବନ୍ଧ ବ୍ଲକ୍‌ରେ ୬୪ ମେଟ୍ରିକ ଟନ୍‌, ଚକାପାଦ ବ୍ଲକ୍‌ରେ ୫୭ ମେଟ୍ରିକ ଟନ୍‌, ଘୁ.ଉଦୟଗିରି ବ୍ଲକ୍‌ରେ ୧୮୭ ମେଟ୍ରିକ୍‌ ଟନ୍‌, ଦାରିଙ୍ଗିବାଡ଼ି ବ୍ଳକ୍‌ରେ ୧୫୬ ମେଟ୍ରିକ ଟନ୍‌ ଓ କ.ନୂଆଗାଁ ବ୍ଲକ୍‌ରେ ୧୭୫ ମେଟ୍ରିକ ଟନ୍‌ ସାରର ପ୍ରୟୋଗ ହୋଇଛି। ତେବେ ରାଇକିଆ, ଟିକାବାଲି, ଫିରିଙ୍ଗିଆ ଏବଂ ବାଲିଗୁଡ଼ା ଭଳି ପାର୍ବତ୍ୟାଞ୍ଚଳରେ ଖରିଫ ଧାନ ଫସଲରେ ଏତେ ପରିମାଣରେ ସାର ବ୍ୟବହାର ହେଉଛି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି।

ନାମ େଗାପନ ରଖି ଜଣେ କୃଷି ଅଧିକାରୀ କହିଛନ୍ତି, ଏ ସବୁ ବ୍ଲକ୍‌ର ଘଞ୍ଚ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଛି ଓ ଖରିଫ ଫସଲ ପାଇଁ ଆସୁଥିବା ସାର ଏହି ଗଞ୍ଜେଇ ଚାଷରେ ବ୍ୟବହୃତ ହେଉଛି। ଗତବର୍ଷ ଫିରିଙ୍ଗିଆ ଓ ବାଲିଗୁଡ଼ା ପୁଲିସ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରି ସେଠାରେ ଶହ ଶହ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହୋଇଥିବା ଠାବ କରିଥିଲା। ଘଞ୍ଚ ଜଙ୍ଗଲମାନଙ୍କରେ ଗଞ୍ଜେଇ ମାଫିଆମାନେ ବହୁ ସଂଖ୍ୟାରେ କୃତ୍ରିମ ପୋଖରୀ ଖନନ କରି ସେଠାରୁ ଉଚ୍ଚ ମାନର ରିହାତି ପମ୍ପ୍‌ସେଟ୍‌ ଜରିଆରେ ଗଞ୍ଜେଇ ଚାଷ ଜମିକୁ ପାଣି ମଡ଼ାଉଥିବା ଜଣାପଡ଼ିଥିଲା। ଗଞ୍ଜେଇ ଗଛକୁ ଶୀଘ୍ର ବଢ଼ାଇବା ପାଇଁ ମାଫିଆମାନେ ବହୁ ପରିମାଣରେ ୟୁରିଆ ଓ ଡିଏପି ସାରର ପ୍ରୟୋଗ କରୁଛନ୍ତି ବୋଲି ଜଣେ କୃଷି ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଚାଷୀଙ୍କ ପାଇଁ ଆସୁଥିବା ରାସାୟନିକ ସାର ଗଞ୍ଜେଇ ମାଫିଆଙ୍କ ହାତକୁ ଚାଲିଯିବା ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି। ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇ ସଂରକ୍ଷିତ ଜଙ୍ଗଲମାନଙ୍କରେ କରାଯାଉଥିବା ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଗଲେ ଏହାର ପର୍ଦ୍ଦାଫାସ ହୋଇପାରନ୍ତା।

publive-image Sambad

ସୂଚନାଯୋଗ୍ୟ, ଜିଲ୍ଲାର ବିଭିନ୍ନ ଜଙ୍ଗଲମାନଙ୍କରେ ବ୍ୟବସ୍ଥିତ ଭାବେ ଏବଂ ଗୁପ୍ତ ଭାବେ ଗଞ୍ଜେଇ ଚାଷ କରାଯାଉଛି। ଏଥିରେ ବନ ବିଭାଗ କର୍ମଚାରୀଙ୍କଠାରୁ ଆରମ୍ଭ କରି ରାଜସ୍ବ ବିଭାଗ, ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିବା ନେଇ ବହୁ ସମୟରେ ଅଭିଯୋଗ ହେଉଛି। ଫୁଲବାଣୀ, ବାଲିଗୁଡ଼ା ଓ ବୌଦ୍ଧ ସହରର କେତେକ ଗଞ୍ଜେଇ ମାଫିଆ ଏ ଚାଷକୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଗଞ୍ଜେଇ ଚାଷ ହୋଇଗଲା ପରେ ଏହି ମାଫିଆମାନଙ୍କ ସହାୟତାରେ କନ୍ଧମାଳ ଜିଲ୍ଲା ବାହାରକୁ ଚାଲାଣ କରାଯାଇଥାଏ। ଯଦିଓ ମଝିରେ ମଝିରେ ପୁଲିସ ହାତରେ ଏମାନେ ଧରା ପଡ଼ିଥାନ୍ତି। ମାତ୍ର, ବହୁ ପରିମାଣରେ ଗଞ୍ଜେଇ ଜିଲ୍ଲା ବାହାରକୁ ଚାଲାଣ କରିବାରେ ମାଫିଆମାନେ ସଫଳ ହେଉଛନ୍ତି। ପୁଲିସ ବିଭାଗର ଅବହେଳା ହେଉ କିମ୍ବା ଜ୍ଞାତସାରରେ ଏ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ହେଉଛି ବୋଲି ସ୍ଥାନୀୟ ଅଞ୍ଚଳରୁ ବାରମ୍ବାର ଅଭିଯୋଗ ହେଉଛି।