କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଖଣି ଅଛି, ପାଣି ଅଛି। ଏହାକୁ ବ୍ୟବହାର କରି ବ୍ୟବସାୟୀ ଓ ଶିଳ୍ପପତିମାନେ ମାଲାମାଲ ହେଉଛନ୍ତି। ଜିଲ୍ଲାର ଖଣି ରାଜସ୍ବରେ ସରକାରଙ୍କ ରାଜକୋଷ ମଧ୍ୟ ପରିପୂର୍ଣ୍ଣ ହେଉଛି। ହେଲେ କେନ୍ଦୁଝରବାସୀ ନିଜ ବଳରେ ନିଜ ପାଇଁ ମୁଠେ ଦାନା ଯୋଗାଡ଼ କରିବାକୁ ଅକ୍ଷମ ହେଉଛନ୍ତି। ଅର୍ଥାତ ଜିଲ୍ଲାର ମୋଟ ଜନସଂଖ୍ୟାର ୮୦ ପ୍ରତିଶତରୁ ଅଧିକ ଲୋକଙ୍କ ଭାତହାଣ୍ଡିକୁ ରାସନ ଚାଉଳର ଆବଶ୍ୟକତା ରହିଛି। ପଡ଼ି କାର୍ଡରେ ଚାଉଳ ନ ମିଳିଲେ ଅନେକ ଖାଇବାକୁ ଗଣ୍ଡେ ପାଇବେ ନାହିଁ। ଏ ହେଉଛି କେନ୍ଦୁଝର ଜିଲ୍ଲାର ବିକାଶର ଅସଲ ଚିତ୍ର।

Advertisment

କେନ୍ଦୁଝର ଏକ ଖଣିଖାଦାନ ଜିଲ୍ଲା ଭାବେ ସାରା ଦେଶରେ ପରିଚିତ। ଜିଲ୍ଲାରେ ୩୫ଟି ଖଣି କାର୍ଯ୍ୟକ୍ଷମ ରହିଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଛୋଟବଡ଼ ଶିଳ୍ପସଂସ୍ଥା ରହିଛି। ଏହି ଜିଲ୍ଲା ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କଠାର ସବୁଠ ଅଧିକ ରାଜସ୍ବ ଦେଉଛି। ଖାଲି ସେତିକି ନୁହେଁ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ପ୍ରାୟ ୯ ହଜାର କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଏହାସତ୍ତ୍ବେ ମଧ୍ୟ ଜିଲ୍ଲାବାସୀ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହୋଇପାରୁନି। ଜିଲ୍ଲାରେ ମୋଟ ଜନସଂଖ୍ୟା ହେଉଛି ୧୮ ଲକ୍ଷ ୧ ହଜର ୭୩୩। ଏଥିରୁ ୮ ଲକ୍ଷରୁ ଅଧିକ ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର। ଜିଲ୍ଲାର ୧୩ଟି ବ୍ଲକ୍‌ ମଧ୍ୟରୁ ଯୋଡ଼ା, ଚମ୍ପୁଆ, ହରିଚନ୍ଦନପୁର, ହାଟଡିହି, ଝୁମ୍ପୁରା, ବାଂଶପାଳ, କେନ୍ଦୁଝର ସଦର ବ୍ଲକ୍‌ରେ ଖଣି ରହିଛି। ଏଥିରୁ ମୋଟ ୮୯ଟି ପଞ୍ଚାୟତ ସିଧାସଳଖ ଖଣି ଦ୍ବାରା ପ୍ରଭାବିତ ହୋଇଛି। ଖଣିପାଇଁ ଲୋକେ ଭିଟାମାଟି ଛାଡ଼ିଛନ୍ତି। ସେମାନଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି। ହେଲେ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାକୁ ଉଦ୍ୟମ ନାହିଁ। ଫଳରେ ମହଙ୍ଗା ବଜାରରେ ପେଟକୁ ଦାନା ଯୋଗାଡ଼ କରିବା ଅନେକ ପରିବାର ପାଇଁ କଷ୍ଟକର।

କେନ୍ଦୁଝର ଜିଲ୍ଲାର ୩ ଲକ୍ଷ ୯୫ ହଜାର ୫୮୪ଟି ପରିବାର ଖାଦ୍ୟ ସୁରକ୍ଷା‌ ଯୋଜନାରେ ସାମିଲ ହୋଇ ରାସନ ପାଉଛନ୍ତି। ଏସବୁ ପରିବାରର ମୋଟ ୧୪ ଲକ୍ଷ ୭୩ ହଜାର ୮୦୬ଜଣ ଲୋକ ପଡ଼ିକାର୍ଡରେ ମିଳୁଥିବା ଚାଉଳ ଉପରେ ନିର୍ଭରଶୀଳ। ଯାହା କେନ୍ଦୁଝର ଜିଲ୍ଲାର ମୋଟ ଜନସଂଖ୍ୟାର ୮୦ ପ୍ରତିଶତରୁ ଅଧିକ ବୋଲି ଜଣାପଡ଼ିଛି। ଖଣି ଓ ଶିଳ୍ପାନୁଷ୍ଠାନରେ ଭର୍ତ୍ତି କେନ୍ଦୁଝର ଜିଲ୍ଲାର ଅଧିକାଂଶ ବାସିନ୍ଦା ଯଦି ଖାଦ୍ୟ ସଂକଟର ସମ୍ମୁଖୀନ ହେଉଛନ୍ତି, ତେବେ ଏଠାକାର ଲୋକଙ୍କ କିଭଳି ବିକାଶ ହୋଇଛି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ଖୋଦ୍‌ ଶାସକ ବିଜେଡି ଦଳର କବ୍‌ଜା‌ରେ ଏହି ଜିଲ୍ଲା ବର୍ଷବର୍ଷ ଧରି ରହିଆସିଛି। ଜିଲ୍ଲାର ୬ଟି ବିଧାନସଭା ଆସନରୁ ୫ଟିରେ ଓ ଗୋଟିଏ ଲୋକସଭା ଆସନରେ ବିଜେଡି ଦଳର ଜନପ୍ରତିନିଧି ଅଛନ୍ତି। ଶାସକ ଦଳକୁ ଜିଲ୍ଲାବାସୀ ଅକୁଣ୍ଠ ସମର୍ଥନ ଦେଇଥିଲେ ବି ଜିଲ୍ଲାର ଉନ୍ନତି ଶୂନ। ରାସନକାର୍ଡଧାରୀଙ୍କ ସଂଖ୍ୟା ଜିଲ୍ଲା ବିକାଶର ବାସ୍ତବ ଚିତ୍ରକୁ ପଦାରେ ପକାଇଛି।