କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୮୦% ଅଧ୍ୟାପକ ପଦବି ଖାଲି, ପୂରଣ ପାଇଁ ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ  

ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଓ ଉଡାନ୍ ଯୋଜନାରେ ରାୟଗଡ଼ାକୁ ସାମିଲ୍ ଦାବି

ରାୟଗଡ଼ା: ରାଜ୍ୟସଭା ମୌସୁମୀ ଅଧିବେଶନରେ ଉଠିଛି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ। ଆଦିବାସୀ ଅଧ୍ୟୁଷିତ ଇଲାକାରେ ଉଚ୍ଚଶିକ୍ଷାର ବିକାଶ ଲାଗି ପ୍ରତିଷ୍ଠା ହୋଇଥିବା ବିଶ୍ୱବିଦ୍ୟାଳୟରେ ୮୦ ପ୍ରତିଶତ ଅଧ୍ୟାପକ ପଦବି ଖାଲି ପଡିଥିବାରୁ ତୁରନ୍ତ ପୂରଣ ପାଇଁ ପ୍ରଶ୍ନ ଉଠାଇବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶଙ୍କକୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ।

ଶ୍ରୀ ରାଓ ଚିଠିରେ ଉଲ୍ଲେଖ କରିଛନ୍ତି, ଅପହଞ୍ଚ, ପଛୁଆ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷିତ କରିବାର ଉଦ୍ଦେଶ୍ୟ ନେଇ ୨୦୦୯ ମସିହାରେ ୟୁପିଏ ସରକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଇତି ମଧ୍ୟରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ୧୧ ବର୍ଷ ବିତିଲାଣି। ହେଲେ ଆଜି ସୁଦ୍ଧା ବିଶ୍ୱବିଦ୍ୟାଳୟର ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟ କରିପାରୁନି। ଅଧିକାଂଶ ବିଭାଗରେ ସ୍ଥାୟୀ ଅଧ୍ୟାପକ ନଥିବାରୁ ଅସ୍ଥାୟୀ ଅଧ୍ୟାପକଙ୍କୁ ନେଇ ପାଠପଢ଼ା ଚାଲିଛି। ଯାହା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଦ୍ଧେଶ୍ୟକୁ ସାଧନ କରିପାରୁନି। ଅଧ୍ୟାପକ ସମସ୍ୟା, ଗୁଣାତ୍ମକ ଶିକ୍ଷାର ଅଭାବ, ବହୁ ପାଠ୍ୟକ୍ରମ ବିଭାଗର ଆରମ୍ଭ ହୋଇନଥିବା ଯୋଗୁ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଓଡ଼ିଶାର ବହୁ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଗି ବାହାର ରାଜ୍ୟର ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ୨୯ ଅଗଷ୍ଟ ୨୦୨୦ ରେ ବିଶ୍ୱବିଦ୍ୟାଳୟ ପରିସରରେ କିଛି ନୂତନ କୋଠା ସହ ଆବାସିକ କମ୍ପ୍ଲେକ୍ସର ଉଦଘାଟନ ହୋଇଛି। ହେଲେ ଏ ସବୁର ପରିଚାଳନା ପାଇଁ ମଧ୍ୟ ଆବଶ୍ୟକ କର୍ମଚାରୀ ନାହାନ୍ତି। ଖାଲି ପଡ଼ିଥିବା ପଦବି ପୂରଣ ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଗୁରୁତ୍ବ ଦେଉନଥିବାରୁ ବିଶ୍ୱବିଦ୍ୟାଳୟରେ କେବଳ କୋୀଠାକୁ ଛାଡ଼ିଲେ ଅନ୍ୟ କୌଣସି କ୍ଷେତ୍ରରେ ଅଗ୍ରଗତି କରିପାରିନି। କେବଳ ଆସୁଥିବା ଅନୁଦାନରେ ବିଶ୍ୱବିଦ୍ୟାଳୟର କୋଠାର ବିକାଶ ହିଁ ଚାଲିଛି ବୋଲି ରାଜ୍ୟସଭା ସାଂସଦ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ବହୁବାର ଚିଠି ଲେଖିଛନ୍ତି। ଯାହାର କୌଣସି ସୁଫଳ ମିଳିନି ବୋଲି ସାଂସଦ ଶ୍ରୀ ରାଓ ରାଜ୍ୟସଭାରେ ମତ ରଖିଛନ୍ତି। ଶ୍ରୀ ରାଓଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ନିଶଙ୍କ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ରାୟଗଡ଼ା ଜିଲ୍ଲାକୁ ଉଡ଼ାନ୍ ଯୋଜନାରେ ସାମିଲ୍ କରିବାକୁ ଶ୍ରୀ ରାଓ ଦାବି ରଖିଛନ୍ତି। ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାରେ ବିମାନ ବନ୍ଦରର ଆବଶ୍ୟକତା ଥିବାରୁ ତୁରନ୍ତ ଜମି ଚିହ୍ନଟ ପ୍ରକ୍ରିୟା, ସ୍ଥାନ ନିରୂପଣ କାମ ସାରି ନିର୍ମାଣ ଆରମ୍ଭ କରିବାକୁ ମତ ରଖିଛନ୍ତି। ରାୟଗଡ଼ାରୁ ୨୦୦ କିମି ଦୂରରେ ବିଶାଖାପାଟଣା ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବାରୁ ରାୟଗଡ଼ା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲେ ଭୁବନେଶ୍ବର, ଝାରସୁଗୁଡା, ହାଇଦ୍ରାବାଦ, ରାୟପୁର, ଦିଲ୍ଲୀ, ମୁମ୍ବାଇ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସହରକୁ ଆକାଶ ପଥରେ ଯୋଡ଼ି ହୋଇପାରିବ। ନୂଆ ରେଲୱେ ଡିଭିଜନ୍ ପରେ ରାୟଗଡ଼ାର ଗୁରୁତ୍ବ ବଢ଼ିଥିବାରୁ ତୁରନ୍ତ ଉଡାନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଶ୍ରୀ ରାଓ ରାଜ୍ୟସଭାରେ ମତ ରଖିବା ସହ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଅନ୍ୟପକ୍ଷରେ ଦୀର୍ଘ ଦିନର ଦାବି ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ନେଇ ପୁଣି ଥରେ ପ୍ରସଙ୍ଗ ଉଠାଇଛନ୍ତି ଶ୍ରୀ ରାଓ। ଓଡ଼ିଶା ସରକାର ନିଜ ତରଫରୁ ସମସ୍ତ ସବୁଜ ସଂକେତ ଦେଇ ସାରିଥିବା ବେଳେ କେନ୍ଦ୍ର ସରକାର ଘୋଷଣାରେ ବିଳମ୍ବ କରୁଥିବାରୁ ହଜାର ହଜାର ଝୋଡ଼ିଆ ସଂପ୍ରଦାୟ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ରାଓ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର