ଭୁବନେଶ୍ୱର: ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୮୭ ହଜାର ୯୦ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇସାରିଛି। ଏଥିରୁ ୩ ପ୍ରତିଶତ ନମୁନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାକି ସବୁ ନେଗେଟିଭ ରିପୋର୍ଟ ଆସିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍‌ ଅନୁସାରେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ପୁରୁଷ ହେଉଛନ୍ତି ୮୦ ପ୍ରତିଶତ (୬୮୮୦)। ରାଜ୍ୟର ମୋଟ୍‌ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ପ୍ରତିଶତ (୧୭୨୦) ହେଉଛନ୍ତି ମହିଳା।

Advertisment

ଏଠାରେ ସ୍ପଷ୍ଟ ଭାବରେ କୁହାଯାଇ ପାରିବ ଯେ, ପୁରୁଷମାନେ ବାହାରକୁ ଅଧିକ ଯିବା ଆସିବା କରୁଥିବାରୁ ସେମାନେ ମହିଳାଙ୍କ ତୁଳନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି। ସଂକ୍ରମିତ ପୁରୁଷଙ୍କ ଯୋଗୁଁ ଘରେ ଥିବା ମହିଳାମାନେ ଆକ୍ରାନ୍ତ ହେଉଛନ୍ତି। ମାତ୍ର କିଛି କ୍ଷେତ୍ରରେ ମହିଳାମାନେ ସଂକ୍ରମଣର ଶିକାର ହେବାର ବ୍ୟକ୍ତିଗତ ଭାବେ ଦାୟୀ ବୋଲି କୁହାଯାଇପାରିବ।

ରାଜ୍ୟରେ ଚିହ୍ନଟ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ ଅଧିକାଂଶ ରୋଗୀ ଅଛନ୍ତି। ଏହି ବୟସ ବର୍ଗଙ୍କର ସଂଖ୍ୟା ହେଉଛି ୫୮୭୩ ଜଣ। ଏହା ପରେ ୪୧ରୁ ୬୦ ବର୍ଷ ବୟସ ବର୍ଗ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ସମୂହ। ଏହି ବୟସ ମଧ୍ୟରେ ୨୦୫୭ ଜଣ ମହାମାରୀ କରୋନାର ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧୪ ବର୍ଷ ବୟସରୁ କମ ବର୍ଷର ୩୫୩ ଜଣ କରୋନା ଆକ୍ରାନ୍ତର ଶିକାର ହୋଇଥିବା ବେଳେ ୬୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୧୮ ଜଣ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଭାଇରସ ପ୍ରତିଦିନ କିଛି ନା କିଛି ନୂଆ ରେକର୍ଡ ସୃଷ୍ଟି କରୁଛି। ଗତକାଲି ଦିନକରେ ସର୍ବାଧିକ ୫୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଦିନକରେ ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ୩୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଜୁଲାଇ ମାସର ୪ ଦିନରେ ୯ ଜଣଙ୍କର ମୃତ୍ୟୁ ହୋଇସାରିଛି। ଜୁଲାଇ ୧ ତାରିଖରେ ଜଣେ ଓ ଜୁଲାଇ ୨ ତାରିଖରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗଂଜାମ ଜିଲ୍ଲାରୁ ଏଯାଏଁ କରୋନାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜୁଲାଇ ମାସରେ ୭ ଜଣ ଜୀବନ ହରାଇଛନ୍ତି।