ତୃତୀୟ ଲହର ଆଶଙ୍କା ଏବେ ବି ଯାଇନି: ଜନସ୍ବାସ୍ଥ୍ୟ ନିର୍ଦେଶକ
ଦିନକରେ ୧୭୦ ପଜିଟିଭ୍, ୩ ମୃତ
ଭୁବନେଶ୍ବର : ରାଜ୍ୟର କରୋନା ଟିକାକରଣ ଧିମେଇ ଯିବା ସତ୍ବେ ୮୦ ପ୍ରତିଶତ ଯୋଗ୍ୟ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ଗତ ଦୁଇ ସପ୍ତାହ ହେବ ରାଜ୍ୟରେ ପ୍ରଥମ ଡୋଜ୍ ତୁଳନାରେ ଦ୍ବିତୀୟ ଡୋଜ୍ ଟିକାକରଣ ଅଧିକ ମାତ୍ରାରେ ହେଉଛି। ଆଜି ସୁଦ୍ଧା ରାଜ୍ୟରେ ୩କୋଟି ୮୫ଲକ୍ଷ ୧୧ହଜାର ୪୧୬ ଡୋଜ୍ ଟିକା ଦିଆ ସରିଥିବା ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।
ଡା.ପାଣିଗ୍ରାହୀ କହିଛନ୍ତି ଅନ୍ୟ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେଶରେ ଟିକାକରଣକୁ ଅଧିକ ତ୍ବରାନ୍ବିତ କରାଯାଉଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨କୋଟି ୬୧ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ଓ ୧କୋଟି ୨୧ଲକ୍ଷରୁ ଅଧିକ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ବର୍ତମାନ ୪୬ଲକ୍ଷ ଡୋଜ୍ ଟିକା ମହଜୁଦ ରହିଛି। ତେବେ ଯେଉଁମାନଙ୍କର ଦ୍ବିତୀୟ ଡୋଜ୍ ଟିକା ନେବା ସମୟ ହୋଇଗଲାଣି ସେମାନଙ୍କୁ କିଭଳି ଟିକା ଦିଆଯିବ ତାହାକୁ ଗୁରୁତ୍ବ ଦିଆଯାଉଛି। ଗତକାଲି ଦେଶରେ ଟିକାକରଣରେ ଓଡ଼ିଶା ଆଗରେ ରହିଥିଲା। ଗତକାଲି ଦେଶରେ ମୋଟ ୫ଲକ୍ଷ ଟିକାକରଣ ହୋଇଥିବା ବେଳେ ରାଜ୍ୟରେ ୧.୫୪ଲକ୍ଷ ଟିକାକରଣ ହୋଇପାରିଛି। ତେବେ ୟୁରୋପୀୟ ଦେଶରେ ବ୍ୟାପକ ଟିକାକରଣ ପରେ ବି ସଂକ୍ରମଣ ବଢ଼ୁଥିବା ନଜରକୁ ଆସୁଛି। ତେଣୁ ଦୁଇ ଡୋଜ୍ ଟିକା ନେବା ପରେ ବି କୋଭିଡ ନିୟମ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି।
ରାଜ୍ୟରେ ଆଜି ୨୨୫୦ ଟିକାକରଣ ଅଧିବେଶନରେ ୨ଲକ୍ଷ ୫୧ହଜାର ୮୮୯ଜଣ କରୋନା ଟିକା ନେଇଛନ୍ତି। ଏଥିରେ ଯୁବ ବର୍ଗ(୧୮-୪୪)ରେ ୫୫,୫୯୯ ପ୍ରଥମ, ୧,୧୮,୮୪୪ ଦ୍ବିତୀୟ ଓ ୪୫ବର୍ଷରୁ ଅଧିକ ୨୭,୭୪୨ ପ୍ରଥମ ଓ ୪୮,୬୮୭ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ୧୮-୪୪ବର୍ଗରେ ୭୫ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ସେହିପରି ୪୫ବର୍ଷରୁ ଅଧିକ ବର୍ଗରେ ୮୪ ପ୍ରତିଶତ ନିଜର ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏହାସହ ୨ଲକ୍ଷ ୮୫ହଜାର ୫୩୮ ଗର୍ଭବତୀଙ୍କୁ ଟିକା ଦିଆଗଲାଣି।
ଅପରପକ୍ଷରେ ଗତକାଲି ଦୀପାବଳି ପାଇଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୬୧, କଟକ ୧୯, ବାଲେଶ୍ବର-କେନ୍ଦ୍ରାପଡ଼ା ୧୧, ସମ୍ବଲପୁର ୯, ଯାଜପୁର ୮ ଓ ଷ୍ଟେଟ୍ ପୁଲରୁ ୧୪ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୧୦ଟି ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୨ହଜାର ୯୪୩କୁ ବୃଦ୍ଧି ପାଇଛି। ଆଉ ୩ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ଖୋର୍ଧା, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏ ମୃତକ ରହିଛନ୍ତି। ମୋଟ କରୋନା ମୃତୁସଂଖ୍ୟା ୮୩୫୦ରେ ପହଞ୍ଚିଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଦେଶରେ ତୃତୀୟ ଲହର ଆଶଙ୍କା ଏବେ ବି ଯାଇନାହିଁ। ତେଣୁ ଲୋକମାନଙ୍କୁ ଏଥିପାଇଁ ସତର୍କ ରହିବାକୁ ହେବ। ୟୁରୋପ ଓ ଚୀନ୍ରେ ସଂକ୍ରମଣ ବଢ଼ିବା ପଛରେ ରହିଛି ଡେଲ୍ଟା ଭାରିଏଣ୍ଟ। ମାତ୍ର ଆମେ ପୂର୍ବରୁ ଡେଲ୍ଟା ଭାରିଏଣ୍ଟକୁ ସାମ୍ନା କରିସାରିଥିବାରୁ ବିଶେଷ ଆତଙ୍କିତ ହେବାର କୌଣସି କାରଣ ନାହିଁ। ୩ମାସ ତଳେ ରାଜ୍ୟରେ ଲୋକମାନଙ୍କ ଭିତରେ ରୋକ ପ୍ରତିରୋଧ ଶକ୍ତି ୭୫ ପ୍ରତିଶତ ରହିଥିଲା। ଟିକାକରଣ ଜାରି ରହିଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଥିବା ଡା.ମିଶ୍ର କହିଛନ୍ତି। ରାଜ୍ୟରେ ଏବେ ୩୧୧୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି।