ସ୍ଵାମୀଙ୍କ ମୃତ୍ୟୁର ୧୦ ବର୍ଷ ପରେ ବି ୮୦ ବର୍ଷର ବୃଦ୍ଧା ଜଣକ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଅଯୋଗ୍ୟ

ସରକାର ଓ ପ୍ରଶାସନର ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକରେ ଜଣେ ବୃଦ୍ଧା ୮୦ ବର୍ଷ ଅତିକ୍ରମ କରିଲେଣି । ସେହିଭଳି ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ନା ବିଧବା ଭତ୍ତା ନା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ବିବେଚିତ ନହେବା ଘଟଣା ସାଧାରଣ ରେ ଉଦବେଗର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣୀଗୁମା ପଞ୍ଚାୟତର ଦୁର୍ଗମ ପାହାଡ଼ ଘେରା ଗାଁ ପିତମଣ୍ଡି ଗାଁର କ୍ଷମା ମାଝୀଙ୍କ ବୟସ ବର୍ତ୍ତମାନ ୮୦ ବର୍ଷକୁ ଅତିକ୍ରମ କରିସାରିଲାଣି । ସେହିଭଳି ତାଙ୍କ ସ୍ଵାମୀ ବିଶି ମାଝୀଙ୍କ ଦେହାନ୍ତ ହୋଇ ୧୦ ବର୍ଷ ହେଲାଣି । ଆଜିପର୍ଯ୍ୟନ୍ତ କ୍ଷମା ନା ବିଧବା ଭତ୍ତା ନା ବାର୍ଦ୍ଧକ୍ୟ ଭତ୍ତା ପାଇବା ଯୋଗ୍ୟ ହୋଇପାରିନାହାନ୍ତି । ସେହିଭଳି କ୍ଷମା ମାଝୀଙ୍କ ଆଧାରକାର୍ଡ଼ ନଥିବାରୁ ଚାଉଳ ମଧ୍ୟ ପାଉନାହାନ୍ତି । ବାର୍ଦ୍ଧକ୍ୟ ଯୋଗୁଁ ଚାଲିବୁଲି ପାରୁନଥିବା ବେଳେ ବାଡ଼ି ସାହାଯ୍ୟରେ କଷ୍ଟେମଷ୍ଟେ ଠିଆ ହେଉଛନ୍ତି । ବଳ ବୟସ ନ ଥିବା ଯୋଗୁଁ କାମଧନ୍ଦା କରିପାରୁ ନାହାନ୍ତି । ହାତରେ ଟଙ୍କା ନ ଥିବା ଯୋଗୁଁ ଔଷଧ ଟିକେ କିଣି ପାରୁନାହାନ୍ତି । ଅନ୍ୟ ପକ୍ଷରେ ସରକାର ଗରିବ ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି । ହେଲେ ଲାଭଖୋର ପଞ୍ଚାୟତ ପ୍ରତିନିଧି ଠାରୁ ଆରମ୍ଭ କରି ଅଧିକାରୀ ଓ କର୍ମଚାରୀ ମାନଙ୍କ ଯୋଗୁଁ ବହୁ ଅଯୋଗ୍ୟ ଯୋଗ୍ୟ ହେଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଅଯୋଗ୍ୟ ହେବା ନେଇ ସରକାର ଓ ପ୍ରଶାସନର ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେବଳ କ୍ଷମା ନୁହେଁ କଳାହାଣ୍ଡି ଜିଲ୍ଲାରେ କ୍ଷମା ଭଳି ହଜାର ହଜାର ବୃଦ୍ଧ, ବୃଦ୍ଧା ବିଧବା ମହିଳା ଅଛନ୍ତି ଯିଏକି ଅନେକ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ତେଣୁ ତୁରନ୍ତ କ୍ଷମା ମାଝୀଙ୍କୁ ଭତ୍ତା ସହିତ ରାସନକାର୍ଡ଼ ଯୋଗାଇଦେବା ସହ ଜିଲ୍ଲାରେ ଥିବା ବୃଦ୍ଧ, ବୃଦ୍ଧା ବିଧବା ମହିଳାଙ୍କୁ ଚିହ୍ନଟ କରି ସରକାରୀ ଯୋଜନାରେ ସାମିଲ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର