ବ୍ରହ୍ମପୁର: ଦେବସ୍ୱ, ବ୍ରହ୍ମସ୍ୱ ଓ ସର୍ବହରାଙ୍କ ସମ୍ପତ୍ତି ଲୁଟିବା ଅକ୍ଷମଣୀୟ ପାପ। ହେଲେ ଓଡ଼ିଆ ଜାତିର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ହଡ଼ପ ଚାଲିଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ବଡ଼ଠାକୁରଙ୍କ ସମ୍ପତ୍ତି ଲୁଟ୍‌ ହେଉଛି। ଖୋର୍ଦ୍ଧା ଓ ପୁରୀ ପରେ ଗଞ୍ଜାମ ଜିଲ୍ଲା ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ। ଶହ ଶହ ଏକର ଦେବୋତ୍ତର ସମ୍ପତ୍ତି ଜବରଦଖଲକାରୀଙ୍କ କବ୍‍ଜାରେ ଥିଲା ବେଳେ ପ୍ରଶାସନ ନିରବଦ୍ରଷ୍ଟା। ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମାଫିଆ ମହାପ୍ରଭୁଙ୍କ ମୂଲ୍ୟବାନ ସମ୍ପତ୍ତି କବ୍‌ଜା କରି ନେଉଛନ୍ତି, ତଥାପି ବଡ଼ବଡ଼ିଆ ବାବୁଙ୍କ ଉପରେ ସାମାନ୍ୟ ପ୍ରଭାବ ନାହିଁ। ଯେମିତି କାହାର କିଛି ଯାଏଆସେ ନାହିଁ।

Advertisment

ଜମି ଜବରଦଖଲରେ ଗଞ୍ଜାମ ରାଜ୍ୟରେ ତୃତୀୟ
ଜବରଦଖଲ ଜମିର ମୂଲ୍ୟ ୫୦୦ କୋଟିରୁ ଅଧିକ

ସୂଚନା ଅନୁସାରେ, ଓଡ଼ିଶାର ୨୩ଟି ଜିଲ୍ଲାରେ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୬୦,୪୨୬ ଏକର ପରିମିତ ଭୂସମ୍ପତ୍ତି ଚିହ୍ନଟ ହୋଇଛି। ଏଥିରୁ ୨୨,୩୬୫ ଏକର ଜମିର ସଂଶୋଧିତ ସ୍ବତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇପାରୁନାହିଁ। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୮୦୦.୭୦୧ ଏକର ଜମି ରହିଛି। କେଉଁ ତହସିଲ୍‌ରେ କେତେ ପରିମାଣର ଜମି ଜବରଦଖଲ ହୋଇଛି ତାହାର ଆକଳନ କରାଯାଉନି। କୌଣସି ତହସିଲଦାର ଏସମ୍ପର୍କିତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦେଉନାହାନ୍ତି। ବଡ଼ବଡ଼ିଆ ବାବୁମାନେ ବି ମହାପ୍ରଭୁଙ୍କ ଜମି ଲୁଟ୍ ବେଳେ ଆରାମରେ ଶୋଇ ପଡ଼ୁଛନ୍ତି। ସାରା ଦୁନିଆକୁ ରାହା ଦେଖାଉଥିବା କାଳିଆ ସାଆନ୍ତଙ୍କ ଜମିକୁ ଜବରଦଖଲମୁକ୍ତ କରିବାକୁ କାହାରି ହାତ ଯାଉନି। ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଏକ୍ଷେତ୍ରରେ ସ୍ପଷ୍ଟ ବାରି ହେଉଛି।

Cuttack: କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

ନିୟମିତ ବ୍ୟବଧାନରେ ପ୍ରଚଳିତ ବେଞ୍ଚ୍‌ମାର୍କ ମୂଲ୍ୟ ବୃଦ୍ଧି ପାଉଛି। ତେଣୁ ଜବରଦଖଲ ହୋଇଥିବା ଶ୍ରୀଜଗନ୍ନାଥଙ୍କ ମୋଟ ଭୂ-ସମ୍ପତ୍ତିର ମୂଲ୍ୟ କେତେ ହେବ ସେ ସଂକ୍ରାନ୍ତରେ ସରକାର ମଧ୍ୟ ହିସାବ କରିପାରୁନାହାନ୍ତି। ତେବେ ଶ୍ରୀମନ୍ଦିର ଜମିରେ ଯେଉଁ ଭାଗଚାଷୀମାନେ ଚାଷ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଠାରୁ ବାର୍ଷିକ ରାଜଭାଗ ଆକାରରେ କିଛି ଟଙ୍କା ଆଦାୟ କରାଯାଇଥାଏ। ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟ ପରିସର‌ରେ ଶ୍ରୀମନ୍ଦିର ପ୍ରଶାସନର ଏକ ଶାଖା କାର୍ଯ୍ୟାଳୟ ରହିଛି। ହେଲେ ତାହା ବି ଜଣେ ପିଅନଙ୍କ ଭରସାରେ ଚାଲୁଛି। ତେଣୁ ରାଜଭାଗ ଠାରୁ ନେଇ ଜମି ଲୁଟ୍‌ ଯାଏ, ଜିଲ୍ଲାରେ କେଉଁଠି କ’ଣ ଚାଲିଛି କେହି ଜାଣିବା ମୁସ୍କିଲ୍‌। ଚର୍ଚ୍ଚା ହେଉଛି, ମହାପ୍ରଭୁଙ୍କ ଜମିରେ ବେଆଇନ୍‌ କାମ ହେଉଛି। କେଉଁଠି ଖଣିଖାଦାନ ଥିଲେ ତାହା ଆଉ ସୁରକ୍ଷିତ ନଥିବ। ଦିଅଁଙ୍କୁ ଖାଇ ଖଟୁଲି ଖାଇବା ନୀତିରେ ଶ୍ରୀମନ୍ଦିର ସମ୍ପତ୍ତିର ଜବରଦଖଲ ବଢ଼ି ଚାଲୁଛି। ଏ ପରିପ୍ରେକ୍ଷୀରେ ତହସିଲଦାରମାନେ ଜବରଦଖଲ ମାମଲା କରିବା କଥା। ଅନ୍ୟପକ୍ଷ‌ରେ ବିଧାନସଭାରେ ନିକଟରେ ଆଇନମନ୍ତ୍ରୀ ଏ ସମ୍ପର୍କିତ ଉତ୍ତର ରଖିଛନ୍ତି। ଯେଉଁଥିରେ ଜମି ଜବରଦଖଲ ଉଚ୍ଛେଦ ଲାଗି ମାମଲା କଥା ଉଲ୍ଲେଖ ରହିଛି। ହେଲେ ସେହି ତାଲିକାରେ ଗଞ୍ଜାମ ଜିଲ୍ଲାର ନାଁ ନାହିଁ। ଅର୍ଥାତ୍‌ ୮୦୦ ଏକର ଜମି ଜବରଦଖଲ ଆଳରେ ଲୁଟ୍‌ ହୋଇଯିବା ପରେ ବି ପ୍ରଶାସନିକ ଅଧିକାରୀ ନିରବ ବସିଛନ୍ତି।

PMGSY: ଯାତାୟାତ ଯନ୍ତ୍ରଣା ଅସହ୍ୟ, ନୂତନ ରାସ୍ତା ନିର୍ମାଣ ପାଇଁ ଦାବି