ପୁରୀ: ବିପଦରେ ୮ଶହ ବର୍ଷର ପ୍ରାଚୀନ ଶ୍ରୀଶଙ୍କରାନନ୍ଦ ମଠର ଐତିହ୍ୟ କୀର୍ତ୍ତିରାଜି। ମଠର ସମ୍ମୁଖ ଭାଗ ବିପଜ୍ଜନକ ଅବସ୍ଥାରେ ଝୁଲି ରହିଛି। ଶିଡ଼ି ଭାଙ୍ଗିଗଲାଣି। ଦେଳବେଦିର ସ୍ଥିତି ଦୟନୀୟ। ପ୍ରବେଶ ଦ୍ବାର ଭାଙ୍ଗିରୁଜି ଯାଇଛି। ଏବେ ବି ବହୁ ଐତିହ୍ୟ କୀର୍ତ୍ତିରାଜି ମଠ ମଧ୍ୟରେ ମହଜୁଦ ଅଛି। କିନ୍ତୁ ତା’ର ରକ୍ଷଣାବେକ୍ଷଣ ନେଇ ପ୍ରକ୍ରିୟା ଆରମ୍ଭ ହେଲାନାହିଁ। ସର୍ବପ୍ରାଚୀନ ମଠ ହୋଇଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ସଂରକ୍ଷିତ ତାଲିକାରେ ସ୍ଥାନ ଦେବା ନେଇ ଦାବି ହୋଇଛି। ମାତ୍ର ନା ଏଏସ୍ଆଇ ଆଗ୍ରହ ଦେଖାଉଛି, ନା ଏନେଇ ସରକାରୀ ସ୍ତରରେ ଆନ୍ତରିକତା ପ୍ରକାଶ ପାଉଛି। ଫଳରେ ମଠର ଐତିହ୍ୟ କୀର୍ତ୍ତି ମାଟିରେ ମିଶିଯିବା ନେଇ ଆଶଙ୍କା ଦେଖା ଦେଇଛି।
ଶ୍ରୀଶଙ୍କରାନନ୍ଦ ମଠ ଟ୍ରଷ୍ଟ ବୋର୍ଡର ସଭାପତି ଦୁର୍ଗା ପ୍ରସାଦ ମିଶ୍ର ଓ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ଆଠଶହ ବର୍ଷ ପୁରାତନ ଏହି ଐତିହ୍ୟସମ୍ପନ୍ନ ମଠର ସୁରକ୍ଷା ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛନ୍ତି। ମରାମତି ପାଇଁ ଅର୍ଥ ମଧ୍ୟ ଆସୁଛି। କିନ୍ତୁ ମଠର ସ୍ଥିତି ଏତେ ଦୟନୀୟ ଯେ ଯଦି ଶୀଘ୍ର ସମ୍ପୂର୍ଣ୍ଣ ମଠ ଓ ଐତିହ୍ୟ କୀର୍ତ୍ତିରାଜିକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରା ନଯାଏ ତେବେ ମଠ ସମ୍ପୂର୍ଣ୍ଣ ଧ୍ବଂସ ପାଇଯିବ। ନିକଟରେ ୧୦ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲେ ହେଁ ଏଥିରେ କେବଳ ମଠ ମଧ୍ୟରେ ଥିବା ମନ୍ଦିରର କିଛି କାମ କରିବା ସମ୍ଭବ ହୋଇପାରିଛି। ଐତିହ୍ୟ ବିଶାରଦ ଡ. ମିଶ୍ର କହିଛନ୍ତି, ଶିବ ଭକ୍ତ ବାଳବ୍ରହ୍ମାନନ୍ଦ ସ୍ବାମୀ ଦକ୍ଷିଣ ଭାରତରୁ ଆସି ଗଜପତିଙ୍କ ସନନ୍ଦ ଦେଇ ଏହି ମଠ ସ୍ଥାପନ କରାଇଥିଲେ। ଶ୍ରୀଶଙ୍କରାନନ୍ଦଙ୍କ ପାଣ୍ଡିତ୍ୟ, ନିଷ୍ଠା ଓ ମହାପ୍ରଭୁଙ୍କ ପ୍ରତି ସମର୍ପିତ ମାନସିକତାକୁ ଦେଖି ଗଜପତି ମହାରାଜା ତାଙ୍କୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ଦେଇଥିଲେ।
ଶ୍ରୀଲୋକନାଥ ଓ ମଙ୍ଗଳା ନଦୀ ଉପତ୍ୟକାରେ ଥିବା ଶ୍ରୀକପିଳେଶ୍ବର ମନ୍ଦିରର ଦାୟିତ୍ବ ମଧ୍ୟ ନେଇଥିଲେ। ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଢେଙ୍କାନାଳ କପିଳାସରେ ଥିବା ଶ୍ରୀଚନ୍ଦ୍ରଶେଖରଙ୍କ ପରିଚାଳନା ଭାର ମଧ୍ୟ ଗ୍ରହଣ କରିଥିଲା ଏହି ମଠ। ପୁରୀ ମଠର ଗୋଟିଏ ଶାଖା କପିଳାସରେ ଓ ଭୁବନେଶ୍ବରରେ ଆଜି ବି ଅଛି। ଶ୍ରୀଶଙ୍କରାଚାର୍ଯ୍ୟ ପୁରୁଷୋତ୍ତମ କ୍ଷେତ୍ରକୁ ଆସି ପ୍ରଥମେ ଶଙ୍କରାନନ୍ଦ ମଠରେ ଅବସ୍ଥାନ କରିଥିଲେ। ଶ୍ରୀଶଙ୍କରାଚାର୍ଯ୍ୟ ପୀଠର ପ୍ରଥମ ଜଗଦ୍ଗୁରୁ ପଦରେ ଅଭିଷିକ୍ତ ହୋଇଥିବା ଶ୍ରୀପଦ୍ମପାଦାଚାର୍ଯ୍ୟ ସମୁଦ୍ରକୂଳରେ ପୀଠ ନିର୍ମାଣ ଶେଷ ପର୍ଯ୍ୟନ୍ତ ଶ୍ରୀଶଙ୍କରାନନ୍ଦ ମଠରେ ରହିଥିଲେ। ଏହି ମଠର ସ୍ବାମୀ ଶ୍ରୀଧରସ୍ବାମୀ ଭାଗବତର ସର୍ବଶ୍ରେଷ୍ଠ ଟୀକା ରଚନା କରିଥିଲେ। ତାଙ୍କ ଉପାସିତ ଶ୍ରୀନୃସିଂହ ବିଗ୍ରହ ମଠରେ ଏବେ ବି ଉପାସିତ।
ଗଙ୍ଗବଂଶର ଅନଙ୍ଗଭୀମ ଦେବ ପ୍ରଥମ ସନନ୍ଦରେ ମଠକୁ ଶ୍ରୀମନ୍ଦିର ପରିଚାଳନା, ମଠ ପାଇଁ ମହାପ୍ରସାଦ ଖଞ୍ଜା ଦେଇଥିଲେ। ରାଜା ଭାନୁଦେବ ଦ୍ବିତୀୟ ସନନ୍ଦରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଏବଂ ଏକାମ୍ରରେ ମଠ ପ୍ରତିଷ୍ଠା ଅଧିକାର ଦେଇଥିଲେ। ରାଜା ନରସିଂହଦେବ ତୃତୀୟ ସନନ୍ଦରେ ଶ୍ରୀଲୋକନାଥ ମନ୍ଦିର ପରିଚାଳନା ଏବଂ ଓଡ଼ିଶାର ଶିବ ମନ୍ଦିରମାନଙ୍କରେ ପର୍ଯ୍ୟବେକ୍ଷଣ ଦାୟିତ୍ବ ଦେଇଥିଲେ। ରାଜା ପ୍ରତାପ ଭାନୁଦେବ ଚତୁର୍ଥ ସନନ୍ଦରେ କପିଳେଶ୍ବର ମନ୍ଦିର ଅଧିକାରୀ ଉପାଧି ଦେଇଥିଲେ। ପଞ୍ଚମ ସନନ୍ଦରେ ଶ୍ରୀମନ୍ଦିରକୁ ଦୁଇଟି ମଶାଲ ନେଇ ଯିବାର ଅଧିକାର ଦେଇଥିଲେ। ଏହାବ୍ୟତୀତ ଶ୍ରୀଭାନୁଦେବଙ୍କଠୁ ନେଇ ମୟୂରଭଂଜର ଯଦୁନାଥ ଭଞ୍ଜଙ୍କ ପର୍ଯ୍ୟନ୍ତ ରାଜାମାନେ ୨୮ ଗ୍ରାମର ତାମ୍ରପତ୍ର ଦେଇଥିଲେ। ମାତ୍ର ମଠର ମଠାଧୀଶ ଦୀର୍ଘବର୍ଷ ହେଲା ନରହିବାରୁ ଧୀରେଧୀରେ ସବୁ ଅଧିକାର ଲୁପ୍ତ ହୋଇଯାଇଛି। ତେଣୁ ଏହି ସର୍ବପ୍ରାଚୀନ ମଠକୁ ଏଏସ୍ଆଇ ସଂରକ୍ଷିତ ସ୍ମାରକୀ ଘୋଷଣା କରାଯାଇ ସମ୍ପୂର୍ଣ୍ଣ ଭାବେ ଏହାର ଦାୟିତ୍ବ ନେବାକୁ ଡ. ମିଶ୍ର ଦାବି କରିଛନ୍ତି।