ଯାଜପୁର: କଳାପଥର ଲୁଟ୍ କରି କଳା ଟଙ୍କା ଉପାର୍ଜନ କରିବା ପାଇଁ ବର୍ଷବର୍ଷ ଧରି ଧର୍ମଶାଳାର ବିକାଶକୁ ପଛ କରିଦିଆଯାଇଛି। ଖାସ୍ ଏଥିପାଇଁ ଆଇଓସିଏଲ୍ ପକ୍ଷରୁ ଧର୍ମଶାଳା ଡଙ୍କାରୀ ମୌଜାରେ ପ୍ରସ୍ତାବିତ ୮ ହଜାର କୋଟି ଟଙ୍କାର ତୈଳ ଭଣ୍ଡାର (ଅଏଲ୍ ରିଜରଭର୍) ପ୍ରକଳ୍ପକୁ କରାଇ ନ ଦେବା ଲାଗି ଆରମ୍ଭ ହୋଇଛି ଷଡ୍ଯନ୍ତ୍ର। ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ରେ ଅର୍ଥ ମଞ୍ଜୁର ହେବା ଓ ମୁଖ୍ୟମନ୍ତ୍ରୀ ଏମ୍ଓୟୁ ସ୍ବାକ୍ଷର କରିଥିଲେ ବି ଜାଣିଶୁଣି ଏଥିରେ ପ୍ରାୟୋଜିତ ବିଳମ୍ବ କରାଯାଉଛି। ପ୍ରକଳ୍ପ ପାଇଁ ରାଜ୍ୟ ଶିଳ୍ପ ସଚିବ ଓ ଯାଜପୁର ଜିଲ୍ଲାପାଳଙ୍କ ଚିଠିକୁ ଯାଜପୁର ଜିଲ୍ଲା ଲଘୁ ଖଣିଜ ଉପନିର୍ଦେଶକ (ଡିଡିଏମ୍) ଚାପି ଦେଇଛନ୍ତି। ତେବେ ଏ ସବୁ କେବଳ କଳାପଥର ଲୁଟ୍କୁ ସୁଯୋଗ ଦେବା ପାଇଁ କରାଯାଉଥିବା ଗୁରୁତର ଅଭିଯୋଗ ହୋଇଛି।
ତଥ୍ୟ ମୁତାବକ, ଧର୍ମଶାଳାର ଡଙ୍କାରୀ ମୌଜା ଖାତା ନମ୍ବର ୨୨୧, ପ୍ଲଟ୍ ନଂ ୬୦୦ରେ ୪୦୦ ଏକର ଜମିରେ ୮ହଜାର କୋଟି ଟଙ୍କା ବ୍ୟୟରେ ତୈଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ପ୍ରକଳ୍ପକୁ ନେଇ କୌଣସି ଅଗ୍ରଗତି ଘଟୁନାହିଁ। ଯାଜପୁର ଜିଲ୍ଲା ଲଘୁ ଖଣିଜ ବିଭାଗ ଏଥିରେ ଅନ୍ତରାୟ ସାଜିଛି। ପ୍ରକଳ୍ପ ପାଇଁ ଡଙ୍କାରୀ କଳାପଥର ଖାଦାନ ବନ୍ଦ କରିବାକୁ ଗତ ୧୬.୪.୨୦୨୫ରେ ଜିଲ୍ଲାପାଳ ଚିଠି ନମ୍ବର ୫୭୬୮ରେ ଲଘୁ ଖଣିଜ ଉପନିର୍ଦ୍ଦେଶକ (ଡିଡିଏମ୍)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖାଦାନରେ ମାତ୍ରାଧିକ ବ୍ଲାଷ୍ଟିଂ ଓ ଖନନ କାରଣରୁ ତୈଳ ଭଣ୍ଡାର ପ୍ରକଳ୍ପ ପାଇଁ ସମସ୍ୟା ଉପୁଜିବ ଦର୍ଶାଇ ଏହାକୁ ବନ୍ଦ କରିବାକୁ କୁହାଯାଇଥିଲା। ମାତ୍ର ଡିଡିଏମ୍ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ୩ ମାସ ହେବ ଚାପି ରଖିଛନ୍ତି। ଧର୍ମଶାଳା ତହସିଲ ଅଞ୍ଚଳ କଳାପଥର ଲୁଟ୍ର ପ୍ରମୁଖ କେନ୍ଦ୍ର ପାଲଟିଛି। ଏଠାରେ ମାସକୁ ପ୍ରାୟ ୧୫ ଲକ୍ଷ ଟନ୍ କଳାପଥର ଲୁଟ୍ ହେଉଛି। ଲିଜ୍ ଓ ଅଣଲିଜ୍ କଳାପଥର ଖାଦାନ ଲୁଟ୍ରୁ ଏକ ସିଂହ ଭାଗ ସିଧାସଳଖ ପକେଟ୍କୁ ଯାଉଛି। ପଥର ବ୍ୟବସାୟୀଙ୍କ କହିବା କଥା, ଲିଜ୍ ଖାଦାନରୁ ଟନ୍ ପିଛା ୧୦୦ ଟଙ୍କା ଓ ଅଣଲିଜ୍ ଖାଦାନ ବା ଅଦାଲତରେ ଜରିମାନା ହୋଇଥିବା ଖାଦାନରୁ ଟନ୍ ପିଛା ୩୦୦ ଟଙ୍କା ଆଦାୟ କରାଯାଉଛି। ଅର୍ଥାତ ମାସକୁ ୧୫ କୋଟି ଟଙ୍କା ଆୟ ହେଉଛି। ଉପରୁ ତଳ ପର୍ଯ୍ୟନ୍ତ ଭାଗ ସମସ୍ତଙ୍କ ପାଖରେ ପହଞ୍ଚିଯାଉଛି। ତେଣୁ ପ୍ରକଳ୍ପ ହେଲେ ସିଧାସଳଖ ମାସକୁ ୧୫ କୋଟି ଟଙ୍କା କ୍ଷତି ହେବାର ଆଶଙ୍କା ଥିବାରୁ ଏଥିରେ ବିଳମ୍ବ କରାଯାଉଥିବା ଅଭିଯୋଗ ହୋଇଛି। ମାଫିଆମାନେ ଚକ୍ରାନ୍ତ କରି ବିକାଶକୁ ଦାବି ଦେବାକୁ ବସିଛନ୍ତି।
ଲିଜ୍ ଖାଦାନରୁ ଟନ୍ ପିଛା ୧୦୦, ଅଣଲିଜ୍ରୁ ୩୦୦ ଟଙ୍କା ନେଉଛି କିଏ?
ସୂଚନାଯୋଗ୍ୟ, ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ୧୧୩ ଏକର ଜମିରେ ଏବେ ୧୩ଟି ସୈରାତ ଚାଲିଛି। ସେଥିରୁ କିଛି ଲିଜ୍ ଓ ଆଉ କିଛି ଅଣଲିଜ୍ ସୈରାତ ରହିଛି। ଏ ସମସ୍ତ ସୈରାତକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଥିଲେ ବି ଏହା କରାଯାଉନାହିଁ। କାଗଜପତ୍ରରେ ଏହାକୁ ବନ୍ଦ ଦର୍ଶାଇ ଉକ୍ତ ୧୩ ଖାଦାନରୁ ମାସିକ ପ୍ରାୟ ୧୫ କୋଟି ଟଙ୍କାର କଳାପଥର ଲୁଟ୍ କରାଯାଉଛି। ଏଠାରେ ରହିଥିବା ୧୩ଟି ସୈରାତ ନମ୍ବର ୧-ଶ୍ରୀବାସ ଜେନା (୧୨ ଏକର), ସୈରାତ ୨/୩ ଏସ୍ଟି ମିନେରାଲ୍ ୪ ଏକର, ସୈରାତ ନଂ ୧/୪୮ ଏକର (ଲିଜ୍ ହୋଇନଥିବା ଅଞ୍ଚଳ), ସୈରାତ ନଂ ୫ ଲକ୍ଷ୍ମୀ ଏକ୍ସପୋର୍ଟ ୧୫ ଏକର, ରଙ୍ଗା ପ୍ରଧାନ ସୈରାତ ୯ ଏକର, ସୈରାତ ନଂ ୧୮ ଲକ୍ଷ୍ମୀ ଏକ୍ସପୋର୍ଟ ୭ ଏକର, ସୈରାତ ୧୭ ପିଜେ ମିନେରାଲ୍ ୫ ଏକର, ସୈରାତ ନଂ ୪/୭ ନିରଞ୍ଜନ ରାଉତ ୧୨ ଏକର, ସୈରାତ ନଂ ୩/୯ ନିରଞ୍ଜନ ରାଉତ ୪ ଏକର, ସୈରାତ ନଂ ୫/୧୦ ନାରାୟଣ ରାଉତ ୫ ଏକର, ସୈରାତ ୭/୧୨ ନାରାୟଣ ରାଉତ ୧୨.୫ ଏକର, ସୈରାତ ନଂ ୯/୮ ଜ୍ୟୋତ୍ସ୍ନା ଜେନା ୧୨ ଏକର, ସୈରାତ ନଂ ୬/୧୧ ମହେନ୍ଦ୍ର ସ୍ୱାଇଁ ୭ ଏକର, ଏହିଭଳି ଡଙ୍କାରୀ ପାହାଡ଼ର ମୋଟ ୧୧୩ ଏକର ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିଲେ ମଧ୍ୟ ଏ ସମସ୍ତ ଖାଦାନରୁ କଳାପଥର ଉତ୍ତୋଳନ ହେଉଛି। ଶିଳ୍ପ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ମାର୍ଚ୍ଚ ୨୯ ତାରିଖରେ ପତ୍ର ସଂଖ୍ୟା ୪୫୦୩ରେ ଯାଜପୁର ଜିଲ୍ଲାପାଳଙ୍କୁ ପ୍ରକଳ୍ପ ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ। ଏହି ଚିଠି ସହ ଜିଲ୍ଲାପାଳ ଡିଡିଏମ୍ଙ୍କୁ ଦେଇଥିବା ଚିଠି ଉପରେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଯାହାର ଫାଇଦା ଉଠାଇ ଲଘୁ ଖଣିଜ ମାଫିଆ ଧର୍ମଶାଳାରେ ୨୦ରୁ ଅଧିକ ପାହାଡ଼ ଗିଳି ସାରିଲେଣି।