୮ ହଜାର ଉପଭୋକ୍ତା ୧୧ ଘଣ୍ଟା ଅନ୍ଧାରରେ

ବାର୍ଷିକ ୯ କୋଟିର ଟେଣ୍ଡର, ମରାମତି ବେଳେ ଦେଖାନାହିଁ

ବାରିପଦା: ଡିସେମ୍ବର ୨ ତାରିଖ ରାତି ୨ଟାରୁ ତା’ ପରଦିନ ୩ ତାରିଖ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ପାଖାପାଖି ୧୧ ଘଣ୍ଟା କାଳ ଅନ୍ଧାରରେ ରହିଲେ ବାରିପଦା ସହରର ୮ ହଜାରରୁ ଅଧିକ ଉପଭୋକ୍ତା। ଯିଏ ବି ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କଲା, ଉତ୍ତର ପାଇଲା ୩୩ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିବାରୁ ଏମିତି ହୋଇଛି। ମରାମତି ଚାଲିଛି, ଅଳ୍ପ ସମୟ ମଧ୍ୟରେ ବିଜୁଳି ଆସିଯିବ। ହେଲେ ବିଦ୍ୟୁତ ସରବରାହ ଦୂରେ ଥାଉ, ୧୧ ଘଣ୍ଟା କାଳ ବିନା ବିଜୁଳିରେ ଦହଗଞ୍ଜ ହେଲେ ଉପଭୋକ୍ତା। ଅନ୍ୟପକ୍ଷରେ ମରାମତି କାର୍ଯ୍ୟ କିଏ କଲା ଓ କଣ ଘଟିଥିଲା, ସେ ସମ୍ପର୍କରେ ୮ ହଜାର ଉପଭୋକ୍ତା ଅନ୍ଧାରରେ ରହିଲେ।

ଚଳିତବର୍ଷ ଏପ୍ରିଲ ମାସରେ ମୟୂରଭଞ୍ଜରେ ବିଦ୍ୟୁତ୍‌ ଯୋଗାଣ ଦାୟିତ୍ୱ ନେଇଥିଲା ଟାଟା ପାୱାର। ତେବେ ୩୩/୧୧ କେଭି ବିଦ୍ୟୁତ ଷ୍ଟ୍ରକ୍‌ଚର‌୍ କାମ ପାଇଁ ଭିଜନ୍‌ ଇଣ୍ଡିଆ ସର୍ଭିସ୍‌ ନାମକ ଏକ ଘରୋଇ ସଂସ୍ଥାକୁ ୯ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ଦିଆଯାଇଥିଲା। ଏହି ସଂସ୍ଥା ସାରା ଜିଲ୍ଲାରେ ୩୩/୧୧ କେଭିର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ ଓ ଏଥିପାଇଁ ଉପଯୁକ୍ତ ଲାଇସେନ୍ସ ଥିବା କର୍ମଚାରୀଙ୍କୁ ନିୟୋଜିତ କରିବ ବୋଲି ଟାଟା ପାୱାର ସହ ଚୁକ୍ତି କରିଥିଲା। ୧ ଜାନୁଆରି ୨୦୨୧ରୁ ୩୦ ସେପ୍ଟେମ୍ବର ୨୦୨୨ ଯାଏ ଏହି କମ୍ପାନି ଟେଣ୍ଡର ପାଇଛି। ସେହିପରି ୧୧ କେଭି ଓ ଲୋ-ଟେନସନ୍‌ ବିଦ୍ୟୁତ ମରାମତି ପାଇଁ ହିନ୍ଦୁସ୍ଥାନ ଇଞ୍ଜିନିୟରିଂ କର୍ପୋରେଟ୍‌ ନାମକ ଅନ୍ୟ ଏକ ଘରୋଇ ସଂସ୍ଥାକୁ ଟେଣ୍ଡର ଦିଆଯାଇଛି।

ତେଣୁ ଗତକାଲି ୩୩ କେଭି ଲାଇନ୍‌ରେ ସମସ୍ୟା ଯୋଗୁଁ ବିଦ୍ୟୁତ୍‌ କାଟ୍‌ ହୋଇଥିବାରୁ ଏହାର ମରାମତି କାର୍ଯ୍ୟ ଭିଜନ୍‌ ଇଣ୍ଡିଆ ସର୍ଭିସ୍‌ କରିବା କଥା। କିନ୍ତୁ ଖବର ଦିଆଯାଇଥିଲେ ସୁଦ୍ଧା କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ୩୩ କେଭି ବିଦ୍ୟୁତ ମରାମତି ପାଇଁ ଜଣେ ବ୍ୟକ୍ତିଙ୍କ ପାଖରେ ଉପଯୁକ୍ତ ଲାଇସେନ୍ସ ଥିବା ଜରୁରୀ। କିନ୍ତୁ ସହରରେ ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ସମୟରେ ଭିଜନ୍‌ ଇଣ୍ଡିଆ କର୍ମଚାରୀଙ୍କର ଦେଖା ମିଳିନଥିଲା। ଫଳରେ ବାଧ୍ୟ ହୋଇ ହିନ୍ଦୁସ୍ଥାନ ଇଞ୍ଜିନିୟରିଂ ଓ ଟାଟା ପାୱାରର କର୍ମଚାରୀ ମିଳିତ ଭାବେ ମରାମତି କାର୍ଯ୍ୟ କରିଥିଲେ।

ମରାମତି ସମୟରେ କିଛି ହେଲ୍‌ପର୍‌ ଶ୍ରେଣୀର କର୍ମଚାରୀ ଷ୍ଟ୍ରକ୍‌ଚର୍‌ ଉପରେ ଚଢି ମରାମତି କାର୍ଯ୍ୟ କରୁଥିବାର ଫଟୋଚିତ୍ର ମଧ୍ୟ ରହିଛି। ଏଠାରେ ପ୍ରଶ୍ନ ଉଠୁଛି, କାହା ଅନୁମତିରେ ଏହି ତଳିଆ କର୍ମଚାରୀମାନେ ୩୩ କେଭି ଭଳି ବିପଦସଂକୁଳ ତଥା ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ମରାମତି କରୁଥିଲେ। ଏହି କାର୍ଯ୍ୟ ସମୟରେ କୌଣସି ଅଘଟଣ ଘଟିଥିଲେ ଏଥିପାଇଁ କିଏ ଦାୟୀ ରହିଥା’ନ୍ତା?

ଏପଟେ ଭିଜନ୍‌ ଇଣ୍ଡିଆ ସର୍ଭିସର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି; କମ୍ପାନି ୧ ବର୍ଷ ପାଇଁ ୯ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଟେଣ୍ଡର ନେଇଥିଲେ ବି ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସର୍ବନିମ୍ନ ସୁବିଧା ଯେମିତିକି ସୁରକ୍ଷା ଜୋତା, ବେଲଟ୍‌, ହେଲମେଟ୍‌, ଗ୍ଲୋବସ୍‌ ଆଦି ସୁରକ୍ଷା ଉପକରଣ ଯୋଗାଇନାହିଁ।

ଯେଉଁଥି ପାଇଁ କର୍ମଚାରୀ କାର୍ଯ୍ୟରୁ ବିମୁଖ ହେଉଛନ୍ତି। ସେହିପରି ହାଇ ଟେନସନ୍‌ ଲାଇସେନ୍ସ ଥିବା କର୍ମଚାରୀମାନେ ହିଁ ୩୩ କେଭି ଲାଇନ ମରାମତି କରିପାରିବାର ସରକାରୀ ନିୟମ ଥିବା ବେଳେ ସଂସ୍ଥା ନିୟୋଜିତ କରିଥିବା ଅନେକ କର୍ମଚାରୀଙ୍କ ପାଖରେ ଉକ୍ତ ଲାଇସେନ୍ସ ଅଛି କି ନାହିଁ, ତାହା ମଧ୍ୟ ତଦନ୍ତ ସାପେକ୍ଷ। ଏ ନେଇ ଟାଟା ପାୱାରର ଅଧୀକ୍ଷଣ ଯନ୍ତ୍ରୀ ହରିଶ ପଣ୍ଡାଙ୍କ କହିବା କଥା, ଏଭଳି କାମ ପାଇଁ ଉକ୍ତ ସଂସ୍ଥାକୁ ଆଇନ୍‌ଗତ ନୋଟିସ୍‌ ଜାରି କରାଯାଇଛି। ଭବିଷ୍ୟତରେ ଉକ୍ତ ସଂସ୍ଥାର କୌଣସି ଖାମଖିଆଲ କାର୍ଯ୍ୟକୁ ବରଦାସ୍ତ କରାଯିବନି। ଘଟଣା ସମ୍ପର୍କରେ ଜାଣିବା ପାଇଁ ଭିଜନ୍‌ ଇଣ୍ଡିଆର ଜିଲ୍ଲା ମୁଖ୍ୟ ରବୀନ୍ଦର ସିଂଙ୍କୁ ୯୩୧୨୧୪୪୪୮୮ ନମ୍ବରରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ବି ଫୋନ୍‌ ଲାଗିନଥିଲା।

ସମ୍ବନ୍ଧିତ ଖବର