ଭୁବନେଶ୍ବର: ୨୦୧୭ରୁ ୨୦୧୯ ମଧ୍ୟରେ ଓଡ଼ିଶାରେ ୨୭୪ ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଛି। ସେହିପରି ୬୫୫ ବର୍ଗ କିଲୋମିଟର ଗଛ ଲଗାଯାଇଥିବା ଅଞ୍ଚଳ ବୃଦ୍ଧି ପାଇଛି। ଜଙ୍ଗଲ ପରିଚାଳନାର ବିଭିନ୍ନ ମାପକାଠିରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଛି ଓ ଜାତୀୟ ସ୍ତରରେ ଷଷ୍ଠ ସ୍ଥାନ ହାସଲ କରିଛି। ଫରେଷ୍ଟ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ(ଆଇଏସ୍ଏଫ୍ଆର୍)ରେ ଏହି ତଥ୍ୟ ଦର୍ଶାଯାଇଛି। ଆଜି ଲୋକସେବା ଭବନରେ କାମ୍ପା ପାଣ୍ଠିର ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି କର୍ତ୍ତୃପକ୍ଷ ବୈଠକରେ ଏହି ସୂଚନା ଦିଆଯାଇଛି। କାମ୍ପା ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ କଲା ପରେ ଏହି ଫଳ ମିଳିଛି ବୋଲି କୁହାଯାଇଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କାମ୍ପା ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ସ୍ତରରେ ତଦାରଖ ଉପରେ ଗୁରୁତ୍ବାରୋପ କରିଥିଲେ। ଜଙ୍ଗଲ ବଢ଼ାଇବା ପାଇଁ ଜୈବ ବିବିଧତାର ସଂରକ୍ଷଣ ଗୁରୁତ୍ବପୂର୍ଣ୍ଣ ବୋଲି ଦର୍ଶାଇବା ସହ ଭିତରକନିକା ଅଞ୍ଚଳରେ ହେନ୍ତାଳ ବଣର ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮୦୩.୬୫ କୋଟି ଟଙ୍କାର ବାର୍ଷିକ ଆକ୍ସନ୍ ପ୍ଲାନ୍କୁ ମଞ୍ଜୁରି ଦିଆଯାଇଥିଲା। ଏହି ପ୍ରକଳ୍ପ ଅଧୀନରେ ହେକ୍ଟର ପିଛା ୧୬୦୦ ଟଙ୍କା ହିସାବରେ ୧୫୦୦ ହେକ୍ଟର ଜମିରେ ବୃକ୍ଷରୋପଣ କରାଯିବ। ଅଗ୍ନି ନିରାପତ୍ତା ଲାଇନ୍ର ରକ୍ଷଣାବେକ୍ଷଣ ପାଇଁ ୪୧.୧୩ କୋଟି ମଞ୍ଜୁର କରାଯାଇଛି। କାମ୍ପା ସିଇଓ ଉମା ନନ୍ଦୁରୀ କହିଥିଲେ, ଓଡ଼ିଶାରେ ୫୫୫୩୪.୪୦ ହେକ୍ଟର ଜଙ୍ଗଲ ଜମି ଅନ୍ୟ କାମ ପାଇଁ ବ୍ୟବହାର ହୋଇଛି। ତାହା ବଦଳରେ ୭୨,୬୦୬.୫୭ ହେକ୍ଟର ଜମିରେ ନୂଅା ଜଙ୍ଗଲ ସୃଷ୍ଟି କରାଯାଇଛି। ବୈଠକରେ ଉନ୍ନୟନ କମିସନର୍ ସୁରେଶ ଚନ୍ଦ୍ର ମହାପାତ୍ର, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଏ କେ ମୀନା ଓ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟରେ ୨୭୪ ବର୍ଗ କିମି ଜଙ୍ଗଲ ବଢ଼ିଛି, କାମ୍ପା ପାଣ୍ଠିରୁ ୮୦୩ କୋଟି ଟଙ୍କାର ଆକ୍ସନ୍ ପ୍ଲାନ୍ ମଞ୍ଜୁର
/sambad/media/post_attachments/wp-content/uploads/2020/02/facebook_1533015215864.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)