ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସରକାର ପୂଜା ଭେଟି ଦେଇଛନ୍ତି। କେନ୍ଦ୍ରୀୟ ଟିକସରେ ଭାଗ ବାବଦ କିସ୍ତି ଆକାରରେ ୧,୭୮,୧୭୩ କୋଟି ଟଙ୍କା ଜାରି କରାଯାଇଛି। ସେଥିରୁ ଓଡ଼ିଶାକୁ ୮୦୬୮ କୋଟି ଟଙ୍କା ମିଳିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ରାଶି ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ଗତି ଦେବା ସହିତ ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ଉତ୍ସବ ଋତୁକୁ ଦୃଷ୍ଟିରେ ରଖି କର ହସ୍ତାନ୍ତର ବେଳେ ଗୋଟିଏ କିସ୍ତି ଅଗ୍ରିମ ଆକାରରେ ପ୍ରଦାନ କରାଯାଇଛି। ଏହି ପାଣ୍ଠି ଦ୍ବାରା ରାଜ୍ୟଗୁଡ଼ିକ ସେମାନଙ୍କ ପୁଞ୍ଜି ବ୍ୟୟକୁ ତ୍ବରାନ୍ବିତ କରିବା ସହ ସେମାନଙ୍କ ବିକାଶ ଓ କଲ୍ୟାଣମୂଳକ ବ୍ୟୟ ଲାଗି ପାଣ୍ଠି ଯୋଗାଇପାରିବେ। ସାଧାରଣତଃ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ମାସିକ ୮୯,୦୮୬.୫୦ କୋଟି ଟଙ୍କାର କର ହସ୍ତାନ୍ତର କରିଥାନ୍ତି। ମାତ୍ର ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଅକ୍ଟୋବର ମାସ ପାଇଁ ଏକସଙ୍ଗେ ଦୁଇଟି କିସ୍ତିର ରାଶି ଜାରି କରାଯାଇଛି। କର ହସ୍ତାନ୍ତର ପ୍ରକ୍ରିୟାରେ ଉତ୍ତରପ୍ରଦେଶକୁ ସର୍ବାଧିକ ୩୧,୯୬୨ କୋଟି ଟଙ୍କା ଦିଆଯାଇଥିବା ବେଳେ ବିହାରକୁ ୧୭,୯୨୧ କୋଟି ଟଙ୍କା, ମଧ୍ୟପ୍ରଦେଶକୁ ୧୩,୯୮୭ କୋଟି ଟଙ୍କା, ପଶ୍ଚିମବଙ୍ଗକୁ ୧୩,୪୦୪ କୋଟି ଟଙ୍କା, ମହାରାଷ୍ଟ୍ରକୁ ୧୧୨୫୫ କୋଟି ଟଙ୍କା ଓ ରାଜସ୍ଥାନକୁ ୧୦,୭୩୭ କୋଟି ଟଙ୍କା ଦିଆଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସରକାର ୨୩,୪୮,୯୮୦ କୋଟି ଟଙ୍କା ହସ୍ତାନ୍ତର କରିବେ ଯାହା ୨୦୨୩-୨୪ ତୁଳନାରେ ୧୧.୯ ପ୍ରତିଶତ ଅଧିକ। ସେହିପରି, ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରୁ ରାଜ୍ୟଗୁଡ଼ିକୁ ୧୨,୪୭,୨୧୧ କୋଟି ଟଙ୍କା ହସ୍ତାନ୍ତର କରାଯିବ ଯାହା ପୂର୍ବବର୍ଷ ତୁଳନାରେ ୧୦.୪ ପ୍ରତିଶତ ଅଧିକ।
/sambad/media/agency_attachments/2024-07-24t043029592z-sambad-original.webp)