ସୁସ୍ଥ ହେଲେ ୮୦୮ ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୫,୨୦୦

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ ଆଜି ଏକ ବଡ଼ ଧରଣର ସଫଳତା ମିଳିଛି । କରୋନା ଯୋଦ୍ଧାମାନେ ନିୟମିତ ଭାବେ ଉଦ୍ୟମ ଜାରି ରଖିଥିବାରୁ ରାଜ୍ୟର ୨୨ଟି ଜିଲ୍ଲାରୁ ଆଜି ୮୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୧୫ ହଜାର ୨୦୦ରେ ପହଞ୍ଚିଛି । ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାୟଗଡ଼ା ଜିଲ୍ଲାରୁ ୬୧ ଜଣ, କଟକ ଜିଲ୍ଲାରୁ ୩୫ ଜଣ, ମାଲକାନଗିରି ଜିଲ୍ଲାରୁ ୩୦ ଜଣ, ଗଜପତି ଜିଲ୍ଲାରୁ ୨୨ ଜଣ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରୁ ୧୯ ଜଣ ଲେଖାଏଁ, ବରଗଡ଼ ଓ ଭଦ୍ରକ ଜିଲ୍ଲାରୁ ୧୮-୧୮ ଜଣ, ବୌଦ୍ଧ ଜିଲ୍ଲାରୁ ୮ ଜଣ, ଝାରସୁଗୁଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରୁ ୭ ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ, ଅନୁଗୁଳ, ଯାଜପୁର ଓ ପୁରୀ ଜିଲ୍ଲାରୁ ୨-୨ ଜଣ ଓ କୋରାପୁଟ ଏବଂ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୪ ଲକ୍ଷ ୩୩ ହଜାର ୫୭୮ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏଥିରୁ ଏଯାଏଁ ୨୨ ହଜାର ୬୯୩ଟି ନମୁନା ରିପୋର୍ଟ ପଜିଟିଭ ଆସିଛି । ମୋଟ ୧୫ ହଜାର ୨୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୨୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏବେ ୭ ହଜାର ୩୪୦ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧିତ ଖବର