ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୮୧ କୋଟିପତି : ବିଜେଡିରୁ ୨୭, ବିଜେପିରୁ ୨୩

ଏଡିଆର ସର୍ଭେ ରିପୋର୍ଟ

ଭୁବନେଶ୍ବର : ଆସନ୍ତା ୨୯ ତାରିଖରେ ହେବ ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟର ନିର୍ବାଚନ। ଏଥିରେ କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ ଜଗତ୍‌ସିଂହପୁର ଲୋକସଭା ଏବଂ ଏସବୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ ୮୬୬ଜଣଙ୍କ ମଧ୍ୟରୁ ୮୫୪ଜଣ ପ୍ରାର୍ଥୀ ନିଜେ ସତ୍ୟପାଠରେ ଉଲ୍ଲେଖ କରିଥିବା ବିଭିନ୍ନ ତଥ୍ୟକୁ ନେଇ ବିଶ୍ଳେଷଣ ହୋଇଛି। ଏହି ପର୍ଯ୍ୟାୟର ନିର୍ବାଚନରେ ମୋଟ ୮୧ଜଣ କୋଟିପତି ପ୍ରାର୍ଥୀ ହୋଇଛନ୍ତିି। ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ରୋଚକ ତଥ୍ୟ ଅନୁଯାୟୀ ଏହି ନିର୍ବାଚନରେ ୨ଜଣ ପ୍ରାର୍ଥୀ ନିଜକୁ ସାକ୍ଷର ବୋଲି ଘୋଷଣା କରିଥିବା ବେଳେ ୫ଜଣ ୫ମ ଶ୍ରେଣୀ ଓ ୧୪ଜଣ ୮ମ ଶ୍ରେଣୀ ପାସ୍‌ କରିଥିବା ଦର୍ଶାଇଛନ୍ତିି।

ଆଜି ଓଡ଼ିଶା ଇଲେକ୍‌ସନ୍‌ ୱାଚ୍‌ ଓ ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌) ଏକ ସାମ୍ବାଦିକ ସମ୍ମିଳନୀରେ ଏକ ସର୍ଭେ ରିପୋର୍ଟ ମାଧ୍ୟମରେ ଏଭଳି ଅନେକ ତଥ୍ୟ ଉପସ୍ଥାପିତ କରିଛନ୍ତି। ଏହି ସର୍ଭେ ରିପୋର୍ଟ ଅନୁଯାୟୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ୫୨ଜଣଙ୍କ ମଧ୍ୟରୁ ମାତ୍ର ୭ଜଣ ପ୍ରାର୍ଥୀ ଅର୍ଥାତ୍‌ ୧୩ ପ୍ରତିଶତ ନିଜ ନିଜ ସତ୍ୟପାଠରେ ସେମାନଙ୍କର ନାମରେ ଅପରାଧିକ ମାମଲା ଥିବା ଦେଖାଇଛନ୍ତି। ସେହିପରି ଆହୁରି ୬ଜଣ ପ୍ରାର୍ଥୀ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଯିବା, ରାଜକୋଷର କ୍ଷତି ସାଧିତ କରିବା, ଆକ୍ରମଣ, ଅପହରଣ, ଦୁଷ୍କର୍ମ, ଦୁର୍ନୀତି, ମହିଳାଙ୍କ ବିରୁଦ୍ଧରେ ଅପରାଧ ଭଳି ଗୁରୁତର ଅପରାଧିକ ମାମଲାରେ ଜଡ଼ିତ ଥିବା ସ୍ବୀକାର କରିଛନ୍ତିି। ଲୋକସଭା ପ୍ରାର୍ଥୀମାନଙ୍କ ମଧ୍ୟରୁ ବିଜେପିର ୪ଜଣ ପ୍ରାର୍ଥୀଙ୍କ ନାମ‌େର ଅପରାଧ ଏବଂ ୪ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି। ତେବେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ତାଙ୍କ ନାମରେ ୫ଟି ଅପରାଧିକ ମାମଲା ଥିବା ଦର୍ଶାଇଛନ୍ତିି। କଂଗ୍ରେସ ଦଳରୁ କେହି ପ୍ରାର୍ଥୀ ନିଜ ନାମରେ କୌଣସି ଅପରାଧ ଥିବା ସତ୍ୟପାଠରେ ଦର୍ଶାଇ ନାହାନ୍ତିି। ବିଜେଡିର ୬ଜଣ ପ୍ରାର୍ଥୀଙ୍କ ନାମରେ ଆଦୌ ଅପରାଧିକ ମାମଲା ନାହିଁ।

ବିଧାନସଭା କ୍ଷେତ୍ରରେ ବି ବିଜେପିର ୪୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ୨୪ଜଣଙ୍କ ନାମରେ ଅପରାଧିକ ମାମଲା, ୧୦ଜଣଙ୍କ ନାମରେ ସଙ୍ଗିନ ଅପରାଧିକ ମାମଲା ରହିଛି। କଂଗ୍ରେସର ୩୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ଜଣଙ୍କ ବିରୁଦ୍ଧରେ ଅପରାଧ ଓ ଆଉ ୧୦ଜଣଙ୍କ ନାମରେ ସଙ୍ଗିନ ଅପରାଧିକ ମାମଲା ରହିଛି। ବିଜେଡିର ୩୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ଜଣଙ୍କ ବିରୁଦ୍ଧରେ ଅପରାଧ ଓ ୧୦ଜଣ ବିରୋଧରେ ସଙ୍ଗିନ ଅପରାଧିକ ରେକର୍ଡ ରହିଛି। ମୋଟ ୩୩୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୨ଜଣ ସେମାନଙ୍କର ନାମରେ ଅପରାଧିକ ମାମଲା ଥିବା ଦର୍ଶାଇଛନ୍ତିି। ‌୫୨ଜଣଙ୍କ ବିରୋଧରେ ଗୁରୁତର ଅପରାଧ ରହିଛି। ୩ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା, ୧୧ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ୮ଜଣଙ୍କ ବିରୋଧରେ ମହିଳାଙ୍କୁ ଅତ୍ୟାଚାର, ଅସଦାଚରଣ ଭଳି ସଙ୍ଗିନ ଅପରାଧିକ ମାମଲା ଥିବା ସଂପୃକ୍ତ ପ୍ରାର୍ଥୀମାନେ ମାନିଛନ୍ତି। ଏଭଳି ଅପରାଧିକ ପୃଷ୍ଠଭୂମି ଅର୍ଥାତ୍‌ ଯେଉଁଠି ତିନି ବା ଅଧିକ ସଂଖ୍ୟକ ଅପରାଧିକ ମାମଲା ଥିବା ପ୍ରାର୍ଥୀମାନେ ଲଢ଼ୁଛନ୍ତି, ସେହିଭଳି ୯ଟି ବିଧାନସଭା କ୍ଷେତ୍ରକୁ ରେଡ୍‌ ଆଲର୍ଟ ଭାବେ ବିବେଚନା କରାଯାଇଛି। ସେହି ଆସନଗୁଡ଼ିକ ହେଉଛି ପାରାଦୀପ, ଜଳେଶ୍ବର, ମୋରଡ଼ା, ବାଲେଶ୍ବର, ପାଟକୁରା, ସୁକିନ୍ଦା, ଜଗତ୍‌ସିଂହପୁର, ସୋର ଓ ମାହାଙ୍ଗା।

ଶେଷ ପର୍ଯ୍ୟାୟର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ବାଲେଶ୍ବର ଲୋକସଭା ଆସନ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତିଙ୍କର ସ୍ଥାବର ଅସ୍ଥାବର ସଂପତ୍ତିର ମୂଲ୍ୟ ୧୦୪ କୋଟି ଟଙ୍କାରୁ ଅଧିକ। ତାଙ୍କ ପଛରେ ଅଛନ୍ତିି ସେହି ଆସନରୁ ଲଢ଼ୁଥିବା ବିଜେଡି ପ୍ରାର୍ଥୀ ସାଂସଦ ରବୀନ୍ଦ୍ର କୁମାର ଜେନା। ତାଙ୍କ ସଂପତ୍ତିର ମୂଲ୍ୟ ୭୨ କୋଟି ଟଙ୍କାରୁ ଅଧିକ। ସେହିପରି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ‌େହାଇଥିବା ବୈଜୟନ୍ତ ପଣ୍ଡାଙ୍କ ନାମରେ ରହିଛି ୫୭ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି। ତେବେ ବୈଜୟନ୍ତଙ୍କର ନିଜସ୍ବ ବାର୍ଷିକ ଆୟ ସର୍ବାଧିକ। ଗତ ୨୦୧୭-୧୮ରେ ସେ ୯.୫୪ କୋଟି ଟଙ୍କା ଆୟ କରିଥିବା ଦର୍ଶାଇଛନ୍ତିି। ତେବେ ନବଜ୍ୟୋତି ସବୁଠାରୁ ଅଧିକ ଋଣଗ୍ରସ୍ତ। ତାଙ୍କର ସଂପତ୍ତିର ମୂଲ୍ୟ ପ୍ରାୟ ୧୦୪ କୋଟି ଥିବା ବେଳେ ଋଣ ପରିମାଣ ୧୦୭ କୋଟିରୁ ଅଧିକ ଟଙ୍କା ବୋଲି ସେ ଦର୍ଶାଇଛନ୍ତିି।

ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାବର ଅସ୍ଥାବର ସଂପତ୍ତିର ମୂଲ୍ୟ ୬୦.୩୪ କୋଟି ଟଙ୍କା। ତାଙ୍କ ତଳେ ରହିଛନ୍ତି କଂଗ୍ରେସର ଜଗତ୍‌ସିଂହପୁର ପ୍ରାର୍ଥୀ ଚିରଞ୍ଜୀବ ବିଶ୍ବାଳ। ଚିରଞ୍ଜୀବଙ୍କ ସଂପତ୍ତିର ମୂଲ୍ୟ ୩୩.୮୯ କୋଟି ଟଙ୍କା। ସେହିପରି ବିଜେଡିର ଧର୍ମଶାଳା ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟଙ୍କ ନାମରେ ୧୭.୨୪ କୋଟି ମୂଲ୍ୟର ସଂପତ୍ତି ରହିଛି। ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତଙ୍କର ସଂପତ୍ତି ମୂଲ୍ୟ ୧୫.୮୩ କୋଟି ଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରୀତିରଂଜନ ଘଡ଼ାଇଙ୍କର ୧୧.୫୯ କୋଟି, ବିଜେଡି ପ୍ରାର୍ଥୀ ପ୍ରତାପ ଜେନାଙ୍କର ୯.୬୪ କୋଟି ଟଙ୍କାର ସଂପତ୍ତି ରହିଥିବା ସଂପୃକ୍ତ ପ୍ରାର୍ଥୀମାନେ ଦେଖାଇଛନ୍ତି।

ମହିଳା ପ୍ରତିନିଧିତ୍ବ ପ୍ରସଙ୍ଗ ନେଇ ବ୍ୟାପକ ଆଲୋଚନା ସତ୍ତ୍ବେ ଏଥର ବିଭିନ୍ନ ରାଜନୈତିକ ଦଳ ସେ ନେଇ ଗୁରୁତ୍ବ ଦେଇନଥିବା ସ୍ପଷ୍ଟ ହୋଇଛି। ଶେଷ ପର୍ଯ୍ୟାୟର ନିର୍ବାଚନରେ ମାତ୍ର ୧୦.୨ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗରୁ ଜଣାଯାଇଛି, ଏଥର ୨ଜଣ ପ୍ରାର୍ଥୀ ନିଜକୁ ସାକ୍ଷର ବୋଲି ଦର୍ଶାଇଛନ୍ତି। ୫ଜଣ ୫ମ ଶ୍ରେଣୀ, ୧୪ଜଣ ୮ମ ଶ୍ରେଣୀ, ୬୦ଜଣ ପ୍ରାର୍ଥୀ ୧୦ମ ଶ୍ରେଣୀ ପାସ୍‌ କରିଛନ୍ତିି। ସେହିପରି ୨୫ରୁ ୩୦ ବର୍ଷ ବୟସର ୨୬ଜଣ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ବେଳେ ୩୧ରୁ ୪୦ ବର୍ଷ ବୟସର ୭୮ଜଣ, ୪୧ରୁ ୫୦ ବର୍ଷ ବୟସର ୭୪ଜଣ ପ୍ରାର୍ଥୀ ହୋଇଛନ୍ତି। ୮୧ ବର୍ଷରୁ ଅଧିକ ବୟସର ଜଣେ ପ୍ରାର୍ଥୀ ମଧ୍ୟ ମଇଦାନକୁ ଓହ୍ଳାଇଛନ୍ତିି।

ସମ୍ବନ୍ଧିତ ଖବର