ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଦିନରେ ନିର୍ଦ୍ଧାରିତ ଲକ୍ଷ୍ୟର ୮୧ ପ୍ରତିଶତ ଟିକାକରଣ ହୋଇଛି। ଆଜି ରାଜ୍ୟରେ ମୋଟ ୧୩ ହଜାର ୨୯୨ ଜଣ ଲୋକ କରୋନା ଟିକା ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ୧୬ ହଜାର ୩୧୬ ଜଣଙ୍କୁ ଟିକା ଦେବା ଲକ୍ଷ୍ୟ ରଖାଯାଇଥିଲା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ୫ଟି ଜିଲ୍ଲାରେ ଶତପ୍ରତିଶତ ଟିକାକରଣ ହୋଇଛି। ସେଗୁଡ଼ିକ ହେଲା ଭଦ୍ରକ ( ୧୦୯ପ୍ରତିଶତ), କୋରାପୁଟ (୧୦୫ ପ୍ରତିଶତ), ଅନୁଗୁଳ (୧୦୦ ପ୍ରତିଶତ), ବାଲେଶ୍ବର (୧୦୦ ପ୍ରତିଶତ) ଓ କନ୍ଧମାଳ (୧୦୦ପ୍ରତିଶତ)। ସୁବର୍ଣ୍ଣପୁରରେ ସର୍ବନିମ୍ନ ୫୧ ପ୍ରତିଶତ ଅର୍ଥାତ ୨୦୦ରୁ ୧୦୧ ଜଣ ଟିକା ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ବଲାଙ୍ଗୀର ଜିଲ୍ଲାରେ ୫୭, ବୌଦ୍ଧ ଜିଲ୍ଲାରେ ୯୩, କଟକ ଜିଲ୍ଲାରେ ୭୬, ଦେବଗଡ଼ ଜିଲ୍ଲାରେ ୭୫, ଢେଙ୍କାନାଳ ଜିଲ୍ଲାରେ ୭୦, ଗଜପତି ଜିଲ୍ଲାରେ ୯୩, ଗଂଜାମ ଜିଲ୍ଲାରେ ୮୬, ଜଗତସିଂହପୁର ଜିଲ୍ଲାରେ ୭୨, ଯାଜପୁର ଜିଲ୍ଲାରେ ୮୮, ଝାରସୁଗୁଡ଼ା ଜିଲ୍ଲାରେ ୮୦, କଳାହାଣ୍ଡି ଜିଲ୍ଲାରେ ୭୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୪, କେନ୍ଦୁଝର ଜିଲ୍ଲାରୁ ୫୪ ଓ ଖୋର୍ଦ୍ଧା ଜିଲ୍ଲାରେ ୮୧ ପ୍ରତିଶତ ଟିକାକରଣ ହୋଇଛି।
ମାଲକାନଗିରି ଜିଲ୍ଲାରେ ୮୪, ମୟୂରଭଂଜ ଜିଲ୍ଲାରେ ୮୫, ନବରଂଗପୁର ଜିଲ୍ଲାରେ ୭୨, ନୟାଗଡ଼ ଜିଲ୍ଲାରେ ୬୪, ନୂଆପଡ଼ା ଜିଲ୍ଲାରେ ୬୪, ପୁରୀ ଜିଲ୍ଲାରେ ୮୪, ରାୟଗଡ଼ା ଜିଲ୍ଲାରେ ୮୭, ସମ୍ବଲପୁର ଜିଲ୍ଲାରେ ୭୫ ଓ ସୁନ୍ଦରଗଡ଼ ଜିଲ୍ଲାରେ ୭୮ ପ୍ରତିଶତ ଟିକାକରଣ ହୋଇଛି। ରାଜ୍ୟରେ ଆଜି ମୋଟ ୧୬ ହଜାର ୩୧୪ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୩ ହଜାର ୨୯୨ ଜଣଙ୍କୁ ଟିକା ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଟିକାକରଣକୁ ଆଜି ପୂର୍ବାହ୍ଣ ସାଢ଼େ ୧୦ଟାରେ ଶୁଭାରମ୍ଭ କରିଥିଲେ। ଏହା ପରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ବିରଂଚି ନାୟକ, ସୁନ୍ଦରଗଡ଼ରେ ଜଣେ ଷ୍ଟାଫ ନର୍ସ ଓ ଗଂଜାମରେ ଜଣେ ଡାକ୍ତର ପ୍ରଥମେ ଟିକା ନେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ୩ ଜଣଙ୍କ ସହିତ କଥା ହୋଇଥିଲେ। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଝାରସୁଗୁଡ଼ାରୁ ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ୍ତ କୁମାର ଜେନା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଦିନ ୧୧ଟାରେ ରାଜ୍ୟର ଅନ୍ୟ ଟିକା କେନ୍ଦ୍ରରେ ଟିକା ଦାନ ଆରମ୍ଭ ହୋଇଥିଲା।
ଟିକାକରଣର ପ୍ରଥମ ଦିନରେ ଆଜି ରାଜ୍ୟ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି, ଅଖିଳ ଭାରତ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡାକ୍ତର ଗୀତାଂଜଳି ବତ୍ମାନାବନେ, କିମ୍ସର ନିର୍ଦ୍ଦେଶକ ପ୍ରଦୀପ କୁମାର ପଟ୍ଟନାୟକ, ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜର ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ପଣ୍ଡା, ଯକ୍ଷ୍ମା ଓ ଛାତିରୋଗ ବିଭାଗ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡାକ୍ତର ମନୋରଂଜନ ପଟ୍ଟନାୟକ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ପ୍ରମୁଖ ଟିକା ନେଇଥିଲେ।