କରୋନାକୁ ହରାଇଲେ ୮୧ ବର୍ଷର ଗୋପୀନାଥ

ଭୁବନେଶ୍ବର/ଫୁଲବାଣୀ : ବୟସ୍କ ଲୋକମାନେ କରୋନା ପ୍ରତି ଅଧିକ ସମ୍ବେଦନଶୀଳ। ବିଶେଷକରି ୬୦ବର୍ଷରୁ ଅଧିକ ଲୋକମାନେ କରୋନାର ଶିକାର ହେଉଥିବା ନଜରକୁ ଆସୁଛି। ତେବେ କନ୍ଧମାଳ ଜିଲ୍ଲାର ଗୋପୀନାଥ ଡାକୁଆ ୮୧ ବର୍ଷ ବୟସରେ କରୋନାକୁ ହରାଇଛନ୍ତି। ୧୫ଦିନର ସଂଘର୍ଷ ପରେ ‌ଗୋପୀନାଥ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବୟସାଧିକ୍ୟ ସତ୍ତ୍ବେ ଦୃଢ଼ ମନୋବଳ ପାଇଁ ଗୋପୀନାଥ କରୋନା ଭଳି ମହାମାରୀକୁ ହରାଇ ପାରିଥିବା କୁହାଯାଉଛି। ତାଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର, ନର୍ସ ଓ ପାରାମେଡିକ୍‌ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

କନ୍ଧମାଳର ରାଇକିଆ ବ୍ଲକ୍‌ର ତଳ ଇନ୍ଦ୍ରଗଡ଼ା ଗାଁର ଗୋପୀନାଥ ଗଞ୍ଜାମ ଓ କନ୍ଧମାଳ ସୀମାରେ ଥିବା ଏକ ‌ହୋଟେଲକୁ ଯାଇ ବସାଉଠା କରିଥାନ୍ତି। ସେଠାରୁ ଗଞ୍ଜାମ ଲିଙ୍କ୍‌ରୁ ସେ ପ୍ରଥମେ ଅସୁସ୍ଥ ଅନୁଭବ କରିଥିଲେ। ଇନଫ୍ଲୁଏଞ୍ଜା ଓ କାଶ ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ ଚିକିତ୍ସିତ ହେଉଥିଲେ। ପରବର୍ତୀ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବା ସହିତ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଗତମାସ ୧୮ତାରିଖରେ ତାଙ୍କୁ ସ୍ଥାନୀୟ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲରେ ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍ (ଟିଏମ୍‌ସ)କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ସ୍ବାବ୍ ସଂଗ୍ରହ କରାଯାଇଥିଲା ଓ ରିପୋର୍ଟରେ ସେ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଯଦିଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା ତଥାପି ଚଳିତମାସ ୪ତାରିଖରେ ସେ ଫୁଲବାଣୀସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ। ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଆଜି ତାଙ୍କ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି। ଡିସ୍‌ଚାର୍ଜ ପୂର୍ବରୁ ଡାକ୍ତର ଓ ନର୍ସ ଏବଂ ଅନ୍ୟ କର୍ମଚାରୀ ତାଙ୍କୁ ପୁଷ୍ପଗୁଛ ଦେଇ ବିଦାୟ ଦେଇଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର