ରାଉରକେଲା: ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀ ହିଁ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦେଉଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ(ବିଇଓ)ଙ୍କ ପ୍ରସ୍ତବକ୍ରମେ ଆବଶ୍ୟକ ତନଖିପରେ ଏହି ପଦୋନ୍ନତି ଦିଆଯାଉଥିଲା। ତେବେ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହେଉଥିଲା। ସମସ୍ତ ମାନଦଣ୍ଡ ପୂରଣ କରୁଥିବା ଯୋଗ୍ୟହିତାଧିକାରୀଙ୍କୁ ଅଣଦେଖା କରି ମନମର୍ଜି ନିଜ ପସନ୍ଦର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ପଦୋନ୍ନତି ଦିଆଯାଉଥିଲା। ଜିଲ୍ଲାରେ ଏଭଳି ପାତରଅନ୍ତର ନୀତିର ଏକାଧିକ ଉଦାହରଣ ବିଗତ ଦିନରେ ଦେଖିବାକୁ ମିଳିଥିଲା। ଏବେ କିନ୍ତୁ ଏଥିରେ ଅଙ୍କୁଶ ଲାଗିଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ସମ୍ଭାବ୍ୟ ପଦୋନ୍ନତି ତାଲିକାକୁ ପ୍ରାଥମିକ ଶିକ୍ଷାନିର୍ଦେଶାଳୟକୁ ପଠାଯାଉଛି। ସେଠାରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ପରେ ତାଲିକାରେ ଆନୁଷ୍ଠାନିକ ମୋହର ବାଜୁଛି। ସମାନ ଶୈଳୀରେ ସୁନ୍ଦରଗଡ଼ ଜିଲ୍ଲାର ୮୧୪ ଜଣ ଶିକ୍ଷକଶିକ୍ଷୟିତ୍ରୀ ପଦୋନ୍ନତି ପାଇଛନ୍ତି।
ପ୍ରଥମେ ବିଇଓଙ୍କ ମାଧ୍ୟରେ ପଦୋନ୍ନତିଯୋଗ୍ୟ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଚୟନକରି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ତାଲିକା ଦାଖଲ କରାଯାଇଥିଲା। ପରେ ଗତ ମେ’ ୨୬ ତାରିଖରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପଦୋନ୍ନତି କମିଟି(ଡିଏଲ୍ପିସି)ରେ ପୁନର୍ବାର ଛାନ୍ଭିନ୍କରି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏଡି ତାଲିକାକୁ ସ୍ବୀକୃତି ପାଇଁ ପ୍ରାଥମିକ ଶିକ୍ଷାନିର୍ଦେଶାଳୟକୁ ପଠାଯାଇଥିଲା। ଶେଷରେ ଏହି ପ୍ରସ୍ତାବକୁ ସ୍ବୀକୃତି ମିଳିଛି। ଗତ ୩୧ ତାରିଖରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ମୋଟ୍ ୮୧୪ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ପଦୋନ୍ନତିକୁ ସ୍ବୀକୃତି ଦେଇଛନ୍ତି। ଏଥିରେ ଲେବଲ-୪ରୁ ୪୬୮ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଲେବଲ୍-୩କୁ ଏବଂ ଲେବଲ୍-୫ର ୩୪୬ ଜଣଙ୍କୁ ଲେବଲ୍-୪କୁ ପଦୋନ୍ନତି ପାଇଁ ସ୍ବୀକୃତି ମିଳିଛି।
ଉଲ୍ଲେଖଯୋଗ୍ୟ, ଲେବଲ୍-୩ ପଦୋନ୍ନତି ପାଇଁ ସ୍ବୀକୃତିପ୍ରାପ୍ତ ୪୬୮ ଜଣଙ୍କ ମଧ୍ୟରୁ ପ୍ରାଥମିକ ସ୍କୁଲର ବରିଷ୍ଠ ପ୍ରଧାନଶିକ୍ଷକଭାବେ ୧୩ ଜଣ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଭାବେ ୪୫୫ ଜଣଙ୍କୁ ପଦୋନ୍ନତି ପାଇବେ। ସେହିଭଳି ଲେବଲ-୪କୁ ପଦୋନ୍ନତି ପାଇଁ ସ୍ବୀକୃତିପ୍ରାପ୍ତ ୩୪୬ ଜଣଙ୍କ ମଧ୍ୟରୁ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକଭାବେ ୧୨୮ ଜଣ, ଗ୍ରାଜୁଏଟ୍ ଟିଚର୍(କଳା) ୮୪ ଓ ଗ୍ରାଜୁଏଟ୍ ଟିଚର୍(ବିଜ୍ଞାନ) ୧୩୪ ଜଣଙ୍କୁ ପଦୋନ୍ନତି ମିଳିବ।
ପ୍ରକାଶଥାଉକି, ପ୍ରାୟ ୩/୪ ବର୍ଷ ପୂର୍ବେ ଜିଲ୍ଲାର ଶିକ୍ଷକଙ୍କ ପଦୋନ୍ନତି, ବଦଳି ପ୍ରକ୍ରିୟାରେ ବ୍ୟାପକ ପାତରଅନ୍ତର ହେଉଥିବା ଅଭିଯୋଗ ଆସିଥିଲା। ଉଭୟ ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ଶିକ୍ଷାଧିକାରୀଙ୍କ ଏକଛତ୍ରବାଦ ନୀତି ଦେଖିବାକୁ ମିଳିଥିଲା। ବଦଳି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ରାଜ୍ୟ ଶିକ୍ଷା ବିଭାଗ ଅନଲାଇନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ। ‘ଓଡ଼ିଶା ଟିଚର୍ ଟ୍ରାନ୍ସଫର୍ ପୋର୍ଟାଲ୍’ ମାଧ୍ୟମରେ ହିତାଧିକାରୀମାନେ ଆବେଦନ କଲେ, ସେମାନଙ୍କୁ ନିଜ ପସନ୍ଦର ସ୍କୁଲକୁ ଯିବାର ପ୍ରାବଧାନ କରାଯାଇଥିଲା। ତେବେ ଏହି ଅନଲାଇନ୍ ବ୍ୟବସ୍ଥା ପରବର୍ତ୍ତୀ ସମୟରେ ପ୍ରହସନରେ ପରିଣତ ହୋଇଥିଲା। ୱେବ୍ସାଇଟ୍ରେ ସ୍କୁଲର ଖାଲିପଡ଼ିଥିବା ଶିକ୍ଷକ ସଂଖ୍ୟାକୁ ସାର୍ବଜନୀନ କରାଯାଉନଥିଲା। ଫଳରେ ଆଶାୟୀ ଶିକ୍ଷକଶିକ୍ଷୟିତ୍ରୀ ପସନ୍ଦର ସ୍କୁଲ ଚୟନ କରିବାରୁ ବଞ୍ଚିତ ହୋଇଥିଲେ। ଏମିତିକି କେତେବେଳେ ୱେବସାଇଟ୍ ଅଚଳ ରହୁଥିବାବେଳେ କେତେବେଳେ ଖୋଲୁଥିଲେ ମଧ୍ୟ ଆବେଦନ ପ୍ରକ୍ରିୟାରେ ବହୁ ସମସ୍ୟା ଉପୁଜିଥିଲା। ଏବେ ପଦୋନ୍ନତି ପ୍ରକ୍ରିୟାରେ ସରକାର ପ୍ରଥମଥର ପାଇଁ ନୂଆ ପଦକ୍ଷେପ ନେଇଥିବାରୁ ପଦୋନ୍ନତି ପ୍ରକ୍ରିୟାରେ ପାରଦର୍ଶିତା ଆସିବବୋଲି ଶିକ୍ଷାବିତ୍ ମତବ୍ୟକ୍ତ କରିଛନ୍ତି।