ଅପରେସନ୍ ପରୀ-୩ : ରାଜ୍ୟ ବାହାରୁ ଉଦ୍ଧାର ହେଲେ ୮୨ ଜଣ ଶିଶୁ

ଭୁବନେଶ୍ବର : ନିଖୋଜ ଶିଶୁମାନଙ୍କ ଠାବ କରିବା ପାଇଁ ଚାଲିଥିବା ସ୍ବତନ୍ତ୍ର ଅଭିଯାନ ‘ଅପରେସନ୍ ପରୀ-୩’ର ଦ୍ବିତୀୟ ପର୍ଯ୍ୟାୟରେ ୮୨ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ରାଜ୍ୟ ବାହାରକୁ ଗସ୍ତ କରିଥିବା ୮ଟି ଟିମ୍ ଏହି ଶିଶୁମାନଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୨୧ ଜଣ ବାଳିକା ଥିବାବେଳେ ୬୧ ଜଣ ବାଳକ ଅଛନ୍ତି। ମହିଳା ଓ ଶିଶୁ ବିକାଶ ଏବଂ ମିସନ୍ ଶକ୍ତି ବିଭାଗର ସୂଚନା ମୁତାବକ ଆନ୍ଧ୍ରପ୍ରଦେଶରୁ ୨୦, ତାମିଲନାଡ଼ୁରୁ ୧୫, ତେଲେଙ୍ଗାନାରୁ ୪, ମହାରାଷ୍ଟ୍ରରୁ ୫, ପଶ୍ଚିମବଙ୍ଗରୁ ୧୭, ଛତିଶଗଡ଼ରୁ ୮, ଝାଡ଼ଖଣ୍ଡରୁ ୯ ଓ ନୂଆଦିଲ୍ଲୀରୁ ୪ ଜଣ ଶିଶୁଙ୍କୁ ଉଦ୍ଧାର କରି ଫେରାଇ ଅଣାଯାଇଛି। ବିଭିନ୍ନ କାରଣରୁ ରାଜ୍ୟ ବାହାରକୁ ଚାଲିଯାଇଥିବା ଏହି ଶିଶୁମାନଙ୍କୁ ଉପରୋକ୍ତ ରାଜ୍ୟର ଶିଶୁ ଯତ୍ନ ଅନୁଷ୍ଠାନ, ରେଳ ଷ୍ଟେସନ୍, ଆଶ୍ରୟଗୃହ ଓ ବସ୍‌ଷ୍ଟାଣ୍ଡ୍‌ ଆଦିରୁ ଉଦ୍ଧାର କରାଯାଇଥିଲା। ନିୟମାନୁଯାୟୀ ଏହି ଶିଶୁମାନଙ୍କୁ ଭୁବନେଶ୍ବରର ଅତିରିକ୍ତ ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାନ କରାଯାଇ ସାମୟିକ ଭାବେ ଭୁବନେଶ୍ବର ଓ କଟକ ସହରରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନରେ ରହିବାର ବନ୍ଦୋବସ୍ତ କରାଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ସଂଯୋଜନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ଗୁଡ଼ିକୁ ଯୋଗାଯୋଗ କରି ଉଦ୍ଧାର ଶିଶୁମାନଙ୍କୁ ସେମାନଙ୍କ ପରିବାର ସହିତ ପୁନର୍ମିଳନ ପାଇଁ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସ୍ଥଳେ ଅଭିଭାବକ ନ ଥିବା ଶିଶୁଙ୍କୁ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଯତ୍ନ ସହାୟତା ଯୋଗାଇ ଦିଆଯିବ।

ଏଠାରେ ସୂଚନାଯୋଗ୍ୟ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ରାଜ୍ୟ ପୁଲିସ୍ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିସନ୍ ଶକ୍ତି ବିଭାଗର ମିଳିତ ସହଯୋଗରେ ପ୍ରତି ରାଜ୍ୟକୁ ଯାଉଥିବା ପ୍ରତି ଟିମ୍‌ରେ ଜଣେ ଲେଖାଏ ଅଧିକାରୀଙ୍କୁ ନି‌ୟୋଜିତ କରିବା ସହ ଯାତାୟତ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତି ଟିମ୍‌କୁ ଦେଢ଼ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର