ରାଜ୍ୟରେ ୧୩୧ ଶୀତଳ ଭଣ୍ଡାରରୁ ୮୨ ଅଚଳ

ଭୁବନେଶ୍ବର : ରାଜ୍ୟରେ ଥିବା ୧୩୧ଟି ଶୀତଳଭଣ୍ଡାର ମଧ୍ୟରୁ ୮୨ଟି ଅଚଳ ଅବସ୍ଥାରେ ଅଛି। କେବଳ ୪୯ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି। ଅଚଳ ଅବସ୍ଥାରେ ଥିବା ଶୀତଳଭଣ୍ଡାରକୁ ସଚଳ କରିବା ପାଇଁ ଏହାର ସମ୍ଭାବତ୍ୟତା, କରଣୀୟତା, ସାଧନଯୋଗ୍ୟତାକୁ ବିଚାରକୁ ନେଇ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ।

ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ସ୍ଥାପିତ ହୋଇଥିବା ୧୩୧ ଶୀଳତଭଣ୍ଡାର ଭିତରୁ ୨ଟି ଆଳୁ ମିସନ ଅଧୀନରେ ହୋଇଛି। ଶୀତଳ ଭଣ୍ଡାର ଗୁଡ଼ିକର ପୂର୍ଣ୍ଣ କ୍ଷମତା ଉପଯୋଗ କରିବା ହେଉଛି ସଂପୂର୍ଣ୍ଣଭାବେ ଉଦ୍ୟୋଗୀମାନଙ୍କର ଦାୟିତ୍ବ। ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟକ୍ଷମ ଶୀଳତ ଭଣ୍ଡାର ପାଇଁ ୩ବର୍ଷ ହେବ ବିଦ୍ୟୁତ ଶୁଳ୍କ ଉପରେ ରିହାତି ପ୍ରଦାନ କରାଯାଉଛି। ୨୦୨୧/୨୨, ୨୦୨୨/୨୩ ଓ ୨୦୨୩/୨୪ ପର୍ଯ୍ୟନ୍ତ ୫୦ ପ୍ରତିଶତ ହାରରେ ରିହାତି ଦିଆଯିବ। ଆଳୁ ମିସନ ବାବଦରେ ୩କୋଟି ୨ଲକ୍ଷ ଟଙ୍କା ଖର୍ଚ ହୋଇଛି। ଏହାବାଦ୍ ବିଦ୍ୟୁତ ଶୁଳ୍କ ରିହାତି ବାବଦରେ ୯୩.୭୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଆଳୁ ଓ ଆଳୁ ବିହନ ଉତ୍ପାଦନ ବୃଦ୍ଧି ଓ ରାଜ୍ୟକୁ ସ୍ବାବଲମ୍ବୀ କରିବା ପାଇଁ ଚାଷୀମାନଙ୍କୁ ହେକ୍ଟର ପିଛା ୫୮ହଜାର ଟଙ୍କାର ସହାୟତା ଦିଆଯାଉଛି। ଆଳୁ ଓ ଆଳୁ ବିହନ ଉତ୍ପାଦନ ବୃଦ୍ଧି, ରାଜ୍ୟକୁ ସ୍ବଳ୍ପ ଓ ବ୍ୟୟ ଉପଯୋଗୀ ମୂଲ୍ୟରେ ଆଳୁ ବିହନ ଚାଷୀଙ୍କୁ ଯୋଗାଇବା, ପ୍ରୟୋଗଶାଳାରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଆଳୁ ବିହନ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ସ୍ବାବଲମ୍ବୀ କରିବାକୁ ଅନ୍ତର୍ଜାତୀୟ ଘରୋଇ ସଂସ୍ଥା ଆଳୁ କେନ୍ଦ୍ର(ସିଆଇପି)କୁ ପ୍ରୋତ୍ସହନ ଦିଆଯାଉଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ରାଜ୍ୟରେ ଆଳୁ ମିସନ କାର୍ଯ୍ୟକାରୀ ହେବା ପୂର୍ବରୁ ୩୦ ଜିଲ୍ଲାରେ ୨୦୧୪/୧୫ ମସିହାରେ ୨.୬୯ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ରାଜ୍ୟରେ ଉତ୍ପାଦନ ହେଉଥିଲା। ଆଳୁ ମିସନ କାର୍ଯ୍ୟକାରୀ ହେବା ସମୟରେ ୨୦୧୫/୧୬ରେ ୨.୭୯, ୨୦୧୬/୧୭ରେ ୩.୦୨, ୨୦୧୭/୧୮ରେ ୨.୯୮ ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ ହୋଇଥିଲା। ଆଳୁ ମିସନର ପରବର୍ତୀ ବର୍ଷରେ ୨୦୧୮/୧୯ରେ ୨.୯୦, ୨୦୧୯/୨୦ରେ ୨.୯୫ ଓ ୨୦୨୦/୨୧ରେ ୩.୧ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦିତ ହୋଇଛି।

ସମ୍ବନ୍ଧିତ ଖବର