ସବ୍‌ସିଡି ନାଁରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା: ରାଜ୍ୟରେ ଅଚଳ ପଡ଼ିଛି ୮୨ ଶୀତଳଭଣ୍ଡାର

୧୩ ଜିଲ୍ଲାରେ ଗୋଟିଏ ବି ନାହିଁ, ଶୀତଳଭଣ୍ଡାର ବ୍ୟବସାୟୀ ବି ଅସନ୍ତୁଷ୍ଟ

ଭୁବନେଶ୍ବର : ସବ୍‌ସିଡି ନାମରେ କୋଟି କୋଟି ଟଙ୍କା ଖର୍ଚ ହୋଇ ଶୀତଳଭଣ୍ଡାର ହୋଇଛି। ମାତ୍ର ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ସାରା ରାଜ୍ୟରେ ଏବେ ଅଚଳ ପଡ଼ିଛି ୮୨ଟି ଶୀତଳଭଣ୍ଡାର। ଏଥିଯୋଗୁଁ ସ୍ଥିତି ଏଭଳି ହେଉଛି ଯେ ଜାନୁଆରି ମାସରେ ଚାଷୀ ପରିବା ରାସ୍ତାରେ ଫୋପାଡ଼ୁଛି, ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ଗ୍ରାହକ ତାକୁ ଉଚ୍ଚଦରରେ କିଣୁଛି। ଅନ୍ୟଦିଗରେ ଶୀତଳଭଣ୍ଡାର ବ୍ୟବସାୟୀ ମଧ୍ୟ ସରକାରୀ ସବ୍‌ସିଡି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛନ୍ତି।

ରାଜ୍ୟ କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୩ ଲକ୍ଷ ୮୭ ହଜାର ୫୨୫ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ୧୩୧ଟି ଶୀତଳଭଣ୍ଡାର ରହିଛି। ଏଥି ମଧ୍ୟରୁ ସରକାରୀ ଭାବରେ ସମବାୟ ବିଭାଗର ୧୮, କୃଷି, ଉଦ୍ୟାନ ବିଭାଗର ୪ ଓ ବେସରକାରୀ ୧୦୯ଟି ଶୀତଳଭଣ୍ଡାର ରହିଛି। ୧୭ଟି ଜିଲ୍ଲାରେ ୨ ଲକ୍ଷ ୩୨ ହଜାର ୮୮୦ ମେଟ୍ରିକ ଟନ୍‌ କ୍ଷମତାବିଶିଷ୍ଟ ୪୯ଟି ଶୀତଳ ଭଣ୍ଡାର କାର୍ଯ୍ୟ କରୁଛି। ଏଥିମଧ୍ୟରୁ ସମବାୟ ବିଭାଗର ୫ ଏବଂ ବେସରକାରୀ ୪୪ଟି ରହିଛି। ଅର୍ଥାତ ୮୨ଟି ଶୀତଳଭଣ୍ଡାରରେ ୧ ଲକ୍ଷ ୫୪ ହଜାର ୬୪୫ ମେଟ୍ରିକ ଟନ୍‌ର ପରିବା ଏବଂ ଫଳ ସଂରକ୍ଷିତ କରି ରଖିବାର ସୁବିଧା ଥାଇ ମଧ୍ୟ ଏହା କାର୍ଯ୍ୟ କରୁନାହିଁ। ଅଚଳ ଶୀତଳଭଣ୍ଡାର ମଧ୍ୟରେ ବେସରକାରୀ ୬୫, ସମବାୟ ବିଭାଗର ୧୩ ଏବଂ ଉଦ୍ୟାନ ଓ କୃଷି ବିଭାଗର ସମସ୍ତ ୪ଟି ରହିଛି। ୧୩ଟି ଜିଲ୍ଲା ଶୀତଳଭଣ୍ଡାର ଶୂନ୍ୟ ହୋଇ ରହିଛି।

ନିର୍ଦିଷ୍ଟ ଋତୁରେ ବହୁଳ ଭାବେ ଉତ୍ପାଦିତ ପନିପରିବାକୁ ସଂରକ୍ଷିତ କରି ସଙ୍କଟ ସମୟରେ ଯୋଗାଣ ପାଇଁ ଶୀତଳଭଣ୍ଡାରକୁ ପ୍ରୋତ୍ସାହନ ଦିଆଯାଏ। ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସବ୍‌ସିଡି ବା ରିହାତି ବ୍ୟବସ୍ଥା ରହିଛି। ଏଥିରେ ସମନ୍ବିତ ଉଦ୍ୟାନ ବିକାଶ ବିଭାଗ ପକ୍ଷରୁ ୪୦୦ ଲକ୍ଷ ଟଙ୍କା ବିଶିଷ୍ଟ ଶୀତଳଭଣ୍ଡାର ପାଇଁ ୩୫%ରୁ ୧୪୦ ଲକ୍ଷ, ଅନୁସୂଚିତ ଜାତି ଅଞ୍ଚଳରେ ୫୦%ରୁ ୨୦୦ ଲକ୍ଷ, ଉଦ୍ୟାନ ମିସନ ପକ୍ଷରୁ ୨୦%ରୁ ୮୦ ଲକ୍ଷ, ଏପିକଲ ପକ୍ଷରୁ ୧୦୦ ଲକ୍ଷ ବିଶିଷ୍ଟ ପ୍ରକଳ୍ପ ପାଇଁ ରିହାତି ୪୦ରୁ ୫୦%ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଦିଆଯିବାର ବ୍ୟବସ୍ଥା ରହିଛି। ଆଳୁ ସଂରକ୍ଷଣ ପାଇଁ ବିଜୁଳି ବିଲ୍‌ରେ ମଧ୍ୟ ରିହାତି ବ୍ୟବସ୍ଥା ରହିଛି। ଚାଷୀଙ୍କ ଉନ୍ନତି ପାଇଁ କୋଟିକୋଟି ଟଙ୍କା ଖର୍ଚ କରାଯାଉଥିବା ନେଇ ସରକାର କହୁଥିଲେ ମଧ୍ୟ ଉଭୟ ସରକାରୀ ଏବଂ ବେସରକାରୀ ଶୀତଳଭଣ୍ଡାର କାମକୁ ଆସୁ ନାହିଁ। ଚାଷୀ ପୂର୍ବ ଭଳି ଆଜି ବି ଅଭାବୀ ବିକ୍ରିର ଶିକାର ହେଉଥିବାବେଳେ ଗ୍ରାହକ ଉଚ୍ଚଦରରେ କିଣି ଶୋଷିତ ହେଉଛି।

ଏଣେ ଶୀତଳଭଣ୍ଡାର ବ୍ୟବସାୟୀ ସଂଘ ଶୀତଳଭଣ୍ଡାର ଚଳାଇ ରଖିବା କଷ୍ଟକର ହୋଇଥିବା ଦର୍ଶା‌ଇ ଆହୁରି ରିହାତି ପାଇଁ ଦାବି କରୁଛି। ଜଣେ ଶୀତଳଭଣ୍ଡାର ବ୍ୟବସାୟୀଙ୍କ କହିବା ଅନୁସାରେ, ୮ କୋଟି ଟଙ୍କା ଖର୍ଚରେ ୫ ହଜାର ମେଟ୍ରିକ ଟନ୍‌ର ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇପାରେ। ଏହାକୁ ଚଳାଇ ରଖିବା ପାଇଁ ବାର୍ଷିକ ଦେଢ଼ରୁ ୨ କୋଟି ଟଙ୍କା ଖର୍ଚ ହୁଏ। ଏଥିରେ ସରକାରୀ ରିହାତି ବିଜ୍ଞାପନ ବେଶି ଏବଂ ପ୍ରକୃତ ସହାୟତା କମ୍‌ ବୋଲି ଅଭିଯୋଗ କରାଯାଉଛି। ସେପଟେ ରାଜ୍ୟର ଆଳୁ ଚାଷୀଙ୍କୁ ନିମ୍ନମାନର ବିହନ ଦିଆଯାଉଥିବାରୁ ଏଠାରେ ଉତ୍ପାଦନ ବିଶେଷ ଭାବରେ ହୁଏ ନାହିଁ। ଚାଷୀଙ୍କ ଆର୍ଥିକ ଅବସ୍ଥା ଏଭଳି ଯେ ସେମାନେ ଶୀତଳଭଣ୍ଡାରରେ ସଂରକ୍ଷିତ ରଖି ଖର୍ଚ ତୁଲାଇ ପାରନ୍ତି ନାହିଁ। ଅନେକ ଶୀତଳଭଣ୍ଡାର ଅଚଳ ହୁଏ କିମ୍ବା ପଶ୍ଚିମବଙ୍ଗର ଉତ୍ପାଦନ ରଖିବାକୁ ବାଧ୍ୟ ହୁଏ। ଏଥିଯୋଗୁଁ ବିଜୁଳି ଦର ରିହାତି ମିଳେ ନାହିଁ। ବର୍ତ୍ତମାନ ପଶ୍ଚିମବଙ୍ଗ ଆଳୁ ସଂରକ୍ଷଣ ପାଇଁ ବିଜୁଳି ବକେୟା ପ୍ରଦାନରେ ରିହାତି ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା ବାର୍ଷିକ କରାଯାଉଥିବାରୁ ବ୍ୟବସାୟୀଙ୍କ ପାଇଁ ସୁବିଧାଜନକ ହେଉ ନାହିଁ। ଶୀତଳଭଣ୍ଡରେ ସଂରକ୍ଷିତ କରି ରଖୁଥିବା ଓଡ଼ିଆ ଚାଷୀଙ୍କ ଉତ୍ପାଦନ ବିକ୍ରି ପାଇଁ ବଜାର ଲିଙ୍କେଜ୍‌ର ଆବଶ୍ୟକତା ରହିଛି।

ବ୍ୟବସାୟୀଙ୍କ ଅଭିଯୋଗ ନେଇ କୃଷି ବିଭାଗ କହିଛି, ସରକାର କେବଳ ଶୀତଳଭଣ୍ଡାର ଖୋଲିବାରେ ସହାୟତା କରିପାରିବେ; କିନ୍ତୁ ତାକୁ ଚଳାଇ ରଖିବା ଦାୟିତ୍ବ ବ୍ୟବସାୟୀଙ୍କର। ବ୍ୟବସାୟୀ ଆଉ ଟିକିଏ ଉଦ୍ୟମୀ ହେବା ଉଚିତ। ରାଜ୍ୟରେ ଉତ୍ପାଦନ ସ୍ଥଳରେ ଶୀତଳଭଣ୍ଡାର ପ୍ରତିଷ୍ଠା ନହୋଇ ବିକ୍ରୟ ସ୍ଥଳରେ ରହୁଥିବାରୁ ଚାଷୀ ଏତେ ଖର୍ଚ କରି ରଖିବାକୁ ଆଗ୍ରହ କରୁନାହିଁ।

କୋଟି କୋଟି ଟଙ୍କା ଖର୍ଚ କରି ପ୍ରତିଷ୍ଠା କରାଯାଉଥିବା ଶୀତଳଭଣ୍ଡାର ଅଚଳ ହେବା ଯୋଗୁଁ ଚାଷ ଏବଂ ଚାଷୀର ଅବସ୍ଥାରେ ସୁଧାର, ଗ୍ରାହକଙ୍କ ପାଇଁ ସୁବିଧାଜନକ ହୋଇ ପାରୁନାହିଁ। ଏଥିପ୍ରତି ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର