ନୂଆପଡ଼ାର ୫୨ଜଣ ଓ ବଲାଙ୍ଗୀରର ୩୦ ପ୍ରବାସୀ ଶ୍ରମିକ ଉଦ୍ଧାର
ତେଲେଙ୍ଗାନା ଇଟାଭାଟିରେ ନିର୍ଯାତିତ ହେଉଥିଲେ, ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଗଲା
ନୂଆପଡ଼ା : ତେଲେଙ୍ଗନା ରାଜ୍ୟକୁ ଦାଦନ ଖଟିଯାଇ ସେଠିକାର ଇଟାଭାଟି ମାଲିକଙ୍କ ଦ୍ବାରା ନିର୍ଯାତିତ ହେଉଥିବା ୮୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଚନାବେଡ଼ା ପଂଚାୟତ ରୋହେନପଦର, ଅଂଚଲପୁର ଓ ସିନାପାଲି ବ୍ଲକ୍ ହାତୀବନ୍ଧା ଗାଁର ୫୨ ଜଣ ଏବଂ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ୩୦ ଜଣ ଶ୍ରମିକ ରହିଛନ୍ତି।
ପ୍ରକାଶ ଯେ ଏହି ଶ୍ରମିକମାନେ ତେଲେଙ୍ଗନା ରାଜ୍ୟ ମେଡକ ଜିଲ୍ଲାର ଇଟାଭାଟି ମାଲିକ ଆର୍. ବି. ଶଙ୍କରଙ୍କ ଭାଟିରେ କାମ କରୁଥିଲେ। କଥା କଥାରେ ମାଲିକ ଓ ତାଙ୍କ କର୍ମଚାରୀ ଏମାନଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ଏନେଇ ଶ୍ରମିକମାନେ ଉଦ୍ଧାର କରିବାକୁ ତାଙ୍କ ପରିଜନମାନଙ୍କୁ ଜଣାଇଥିଲେ। ପରିବାର ଲୋକେ ପ୍ରଥମେ ଜିଲ୍ଲା ଶ୍ରମ ଅଧିକାରୀ ଓ ପରେ ଖଡ଼ିଆଳ ଥାନାରେ ଏତଲା ଦେଇଥିଲେ। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ଓ ତେଲେଙ୍ଗାନା ପୁଲିସ ଓ ସେଠିକାର ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲେ। ଉକ୍ତ ୮୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ବସ୍ ଯୋଗେ ଖଡ଼ିଆଳ ପଠାଇଥିଲେ। ନୂଆପଡ଼ା ଜିଲ୍ଲା ପ୍ରଶାସନ ନୂଆପଡ଼ାର ୫୨ ଜଣ ପ୍ରବାସୀ ଶ୍ରମିକଙ୍କୁ ସ୍ଥାନୀୟ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛି। ସମସ୍ତ ପ୍ରବାସୀ ଶ୍ରମିକଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି। ରିପୋର୍ଟ ନେଗେଟିଭ ଆସିଲେ ଘରେ ଏକାନ୍ତବାସରେ ରହିବାକୁ ପରାମର୍ଶ ଦେଇ ପଠାଯିବ ବୋଲି କୁହାଯାଇଛି। ସେହିପରି ବଲାଙ୍ଗୀର ଜିଲ୍ଲାର ୩୦ ଜଣ ଶ୍ରମିକଙ୍କୁ ମଧ୍ୟ ସେମାନଙ୍କ ଗାଁକୁ ପଠାଇବା ସହ ଗାଁରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କରି ରଖାଯିବ ବୋଲି ସୂଚନା ମିଳିଛି।
ତେଲେଙ୍ଗାନାରୁ ଆସିଥିବା ୩୭ ଶ୍ରମିକ କରୋନା ପଜିଟିଭ୍
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅମଲାପାଲି ଗ୍ରାମସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ତେଲେଙ୍ଗାନା ରାଜ୍ୟରୁ ଆସିଥିବା ୫୩ଜଣ ପ୍ରବାସୀ ଶ୍ରମିକଙ୍କୁ ରଖାଯାଇଛି। ସେମାନଙ୍କ ଏଣ୍ଟିଜେନ ପରୀକ୍ଷା ପରେ ତାଙ୍କ ଘରକୁ ପଠାଇବା ବ୍ୟବସ୍ଥା କରାଯାଇଛି। ରବିବାର ଅପରାହ୍ଣରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଯାଇ ୫୩ ଜଣଙ୍କ ଏଣ୍ଟିଜେନ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୩୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ଔଷଧ ପ୍ରଦାନ କରି ଘରକୁ ଛାଡ଼ି ଦିଆଯିବା ବ୍ୟବସ୍ଥା କରାଯାଇଛି। ସମସ୍ତେ ଗୃହ ସଂଘରୋଧରେ ରହି ଚିକିତ୍ସିତ ହେବେ।