ଭୁବନେଶ୍ବର : ବାପ-ମା’ଛେଉଣ୍ଡ ପିଲାଙ୍କ ଲାଗି ରାଜ୍ୟରେ ୨୧୦ଟି ଆଶ୍ରମ ରହିଛି। ଯେଉଁଠାରେ ସେମାନଙ୍କ ପାଠପଢ଼ାଠାରୁ ଆରମ୍ଭ କରି ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଯାଉଛି। ୧୬୫ଟି ଶିଶୁ ଗୃହ ରହିଥିବା ବେଳେ ୧୨ଟି ମୁକ୍ତ ଆଶ୍ରୟସ୍ଥଳ, ୩୩ଟି ଏସ୍ଏଏରେ ଏବେ ୮୨୪୦ ପିଲା ରହୁଛନ୍ତି। ସେମାନଙ୍କ ଯତ୍ନ, ସୁରକ୍ଷା ଓ ଶିକ୍ଷା ଲାଗି ସୁବିଧା କରାଯାଇଛି। ୬ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ଶିଶୁମାନଙ୍କୁ ନିକଟସ୍ଥ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଯାଇ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ୬ ବର୍ଷରୁ କମ୍ ବୟସର ଶିଶୁଙ୍କୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ନାମ ଲେଖାଯାଇ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଦିଆଯାଉଛି।
ଅନୁଷ୍ଠାନରେ ଥିବା ସମୟରେ ଶିଶୁମାନଙ୍କର ଶିକ୍ଷାରେ ଉନ୍ନତି ଲାଗି ଶିଶୁମାନଙ୍କୁ ଟ୍ୟୁସନ ଶିକ୍ଷକ, କୋଚିଂ ସେଣ୍ଟର ସୁବିଧା ଉପଲବ୍ଧ କରାଯାଉଥିବା ନେଇ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଏକ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ବିଧାନସଭାରେ ଉତ୍ତର ରଖିଛନ୍ତି। ଶିଶୁମାନଙ୍କ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରତି ଅନୁଷ୍ଠାନରେ ୫ରୁ ୧୦ଟି ପର୍ସନାଲ ଲର୍ଣ୍ଣିଂ ଆପ୍ ଲୋଡେଡ୍ ଟାବଲେଟ୍(କମ୍ପ୍ୟୁଟର) ପ୍ରଦାନ କରାଯାଇ ଅନ୍ଲାଇନ୍ କୋଚିଂ ସୁବିଧା ହୋଇଛି। ଶିଶୁମାନଙ୍କ କମ୍ପ୍ୟୁଟର୍ ଜ୍ଞାନ ବଢ଼ାଇବା ଲାଗି ପ୍ରତି ଅନୁଷ୍ଠାନକୁ ଶିଶୁମାନଙ୍କ ସଂଖ୍ୟା ମୁତାବକ ୩ଟି ପର୍ଯ୍ୟନ୍ତ କମ୍ପ୍ୟୁଟର୍ ପ୍ରଦାନ କରାଯାଇଛି। ପ୍ରତି ଶିଶୁଙ୍କ ଶିକ୍ଷା, ମାନସିକ ଓ ଶାରୀରିକ ଅଭିବୃଦ୍ଧିର ବ୍ୟବସ୍ଥା ଲାଗି ଅନୁଷ୍ଠାଗୁଡ଼ିକରେ ଇଣ୍ଡିଭିଜୁଆଲ୍ କେୟାର ପ୍ଲାନ କରାଯାଇ ଏହାକୁ ୬ମାସକୁ ଥରେ ପର୍ଯ୍ୟାଲୋଚନା କରାଯାଉଛି। ଶିଶୁମାନଙ୍କ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ପାଇଁ ସମସ୍ତ ନାମଲେଖା ଫି’ ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ ପାଇଁ ବିଜୁ ଶିଶୁ ସୁରକ୍ଷା ଯୋଜନାର ବ୍ୟବସ୍ଥା କରାଯାଇଛି।