ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ସବ୍-ଜେଲ୍ରେ ୮୩ ଜଣଙ୍କ କରୋନା ପଜିଟିଭ୍ ବାହାରିଛି। ଫଳରେ ଉଭୟ ପ୍ରଶାସନ ଏବଂ ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ସବ୍-ଜେଲ୍ରେ ୧୨୪ ଜଣ କଏଦୀଙ୍କ ସହ ୮ ଜଣ ଷ୍ଟାପ୍ଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୩ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା।
ଅନ୍ୟ ପଟେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ତନ୍ମଧ୍ୟରୁ ଜଣଙ୍କୁ ଅକ୍ସିଜେନ ଲଗାଯାଇଛି। କିନ୍ତୁ ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ମିଳିଛି l ଅନ୍ୟ ଆକ୍ରାନ୍ତମାନେ ଜେଲ୍ ଭିତରେ ଆଇସୋଲେସନରେ ରହିଛନ୍ତି। ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଉପଖଣ୍ଡ ଚିକିତ୍ସାଧିକାରୀ ଡା. ତହସିଲ ସାହୁ, ଏସ୍ଡିପିଓ ପ୍ରଦୀପ ସାହୁ, ଆଇଆଇସି ରାଜେନ୍ଦ୍ର ସିଆଲ ପ୍ରମୁଖ ଉପକାରଗାରରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।