ଚିନ୍ତା ବଢ଼ାଇଲେ ରାଜ୍ୟର ୮୩ତମ କରୋନା ଆକ୍ରାନ୍ତ : ପ୍ରାୟ ୫୦ଜଣଙ୍କ ସହ ମିଳାମିଶା କରିଥିବା ସୂଚନା ଦେଲା ଜିଲ୍ଲା ପ୍ରଶାସନ

ଯାଜପୁରରେ ଆଉ ଜଣେ କୋଲକାତା ଫେରନ୍ତା କରୋନାରେ ଆକ୍ରାନ୍ତ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ଯାଜପୁର:  ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅଞ୍ଚଳରେ ଚିହ୍ନଟ ହୋଇଥିବା ଜିଲ୍ଲାର ଅଷ୍ଟମ କରୋନା ରୋଗୀ ତଥା ରାଜ୍ୟର ୮୩ତମ ଆକ୍ରାନ୍ତ ଗତ ମାସ ୨୯ତାରିଖରେ କୋଲକାତାର ଗଙ୍ଗାଘାଟରୁ ଫେରି ୩୦ତାରିଖରେ ଷଠିପୁରରେ ଓହ୍ଲାଇ ମେଡ଼ିକାଲରେ ପ୍ରାଥମିକ ପରୀକ୍ଷା କରିଥିଲେ। ତାଙ୍କ ସହିତ ୧୧ଜଣ ଆସିଥିଲେ। ତାଙ୍କୁ ଘରେ ସଙ୍ଗରୋଧ ହୋଇ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେତେ ବେଳେ ତାଙ୍କର ରିପୋର୍ଟ ନେଗେଟିଭ୍ ବାହାରିଥିଲା। ଏବେ ପୁଣି ନମୁନା ପରୀକ୍ଷାରୁ ପଜିଟିଭ୍ ବାହାରିବା ଚିନ୍ତାର କରଣ ହୋଇଛି। ଏହି ୩୮ବର୍ଷ ବୟସ୍କ ଯୁବକଙ୍କ ଘର ଦଶରଥପୁର ବ୍ଲକର ଅନ୍ତର୍ଗତ ଏକ ଗ୍ରାମରେ । ଯୁବକ ଜଣକ ଘରେ ରହିବା ଭିତରେ ପ୍ରାୟ ୫୦ଜଣଙ୍କ ସହ ମିଳାମିଶା କରିଛନ୍ତି। ତାଙ୍କ ପରିବାରର ୩୧ଜଣଙ୍କ ସହ ମିଶିବା ସହିତ ସେଲୁନ୍, ପାନ ଦୋକାନ ଓ ତାସଖେଳ ସମୟରେ ଅନେକ ଲୋକଙ୍କ ସହିତ ମିଳାମିଶା କରିଛନ୍ତି ବୋଲି ଜଣାପଡ଼ିଛି।

ସମ୍ପୃକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ଟାଟା ମେଡ଼ିକା କୋଭିଡ-୧୯ ହସ୍ପିଟାଲକୁ ପଠାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଗଣମାଧ୍ୟମକୁ କହିଛନ୍ତି। ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ବିଷୟରେ ସବିଶେଷ ବିବରଣୀ ପାଇଁ ଭ୍ରମଣ ଇତିହାସର ସମୀକ୍ଷା ଚାଲିଛି। ଘଟଣାସ୍ଥଳରେ ଦଶରଥପୁର ତହସିଲଦାର ସୌଭାଗ୍ୟ କୁମାର ବେହେରା, ଅତିରିକ୍ତ ତହସିଲଦାର କୈଳାସ ଚନ୍ଦ୍ର ମହାଲିକ, ମଙ୍ଗଳପୁର ଡାକ୍ତରଖାନାର ଡାକ୍ତର ଉମାକାନ୍ତ ମଲିକ ଓ ଟାଉନ ଥାନା ଅଧିକାରୀ ଆଶିଷ ସାହୁ ପହଞ୍ଚି ସଂପୃକ୍ତ ଅଞ୍ଚଳକୁ ସିଲ୍ କରିବା ଓ ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଜୋର ଦେଇଛନ୍ତି।

ଯାଜପୁରର ମୋଟ ୮ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଦିଲ୍ଲୀ ନିଜାମୁଦ୍ଦିନ୍ ଫେରନ୍ତା ହୋଇଥିବା ବେଳେ ଆଉ ୭ଜଣ କୋଲକାତା ଫେରନ୍ତା। ଯାଜପୁର ଜିଲ୍ଲାକୁ ୭ଶହ ଲୋକ କୋଲକାତାରୁ ଫେରି ପଞ୍ଜୀକରଣ କରିଥିବା ବେଳେ ଅନେକ ଲୁଚି ରହିଥିବାରୁ ଆଗକୁ ଜଟିଳ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ବର ସହିତ ପଡ଼ୋଶୀ ଜିଲ୍ଲା ଭଦ୍ରକ ଓ ଯାଜପୁରକୁ ହଜାର ହଜାର ଲୋକ କୋଲକାତାରୁ ଫେରିଛନ୍ତି।

ପ୍ରକାଶ ଥାଉକି ଏବେ ସୁଦ୍ଧା ଯାଜପୁର ଜିଲ୍ଲାର ୮ଜଣ ରୋଗୀଙ୍କ ମଧ୍ୟରୁ ବ୍ରହ୍ମବରଦାର ନିଜାମୁଦ୍ଦିନ ଫେରନ୍ତା କରୋନା ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ଅବଶିଷ୍ଟ ୭ଜଣ ମଧ୍ୟରୁ ଦଶରଥପୁର ବ୍ଲକ୍ ୨ଜଣ, କୋରେଇର ଜଣେ ଓ ଯାଜପୁର ବ୍ଲକ୍ର ୪ଜଣ ଚିକିତ୍ସାଧୀନ ରହିଛନ୍ତି। ବିଶେଷ କରି କୋଲକାତାରୁ ଗଳାବାଟରେ ଜିଲ୍ଲାକୁ ହଜାର ହଜାର ଲୋକ ଫେରିଥିବା ସତ୍ତ୍ବେ ଅନେକ ଜିଲ୍ଲା ପ୍ରଶାସନକୁ ଜଣାଇ ନାହାନ୍ତି। ଧର୍ମଶାଳା ତହସିଲ ଅଞ୍ଚଳର ରଥିଆ ଗ୍ରାମରେ ଏକାଧିକ ଲୋକ କୋଲକାତା ଓ ଅନ୍ୟ ଅଞ୍ଚଳରୁ ଫେରିଥିବା ସତ୍ତ୍ବେ ଘରେ ଲୁଚି ରହିଛନ୍ତି। ଏପରିକି ଲୋକମାନେ ସୂଚନା ଦେବା ସତ୍ତ୍ବେ ପଞ୍ଚାୟତ ପକ୍ଷରୁ ସେପରି ତତ୍ପରତା ଦେଖାଯାଉ ନାହିଁ। କୋଲକାତା ଫେରନ୍ତାକୁ ନେଇ ଗାଁ ଗାଁରେ ପ୍ରତିକ୍ରିୟା ଦେଖାଦେଇଛି। ପଞ୍ଚାୟତଗୁଡ଼ିକ ପକ୍ଷରୁ ହୋଇଥିବା ସଂଗରୋଧ କେନ୍ଦ୍ରଗୁଡ଼ିକୁ କାର୍ୟ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର