୮୩ % ସ୍ବାସ୍ଥ୍ୟକର୍ମୀ ନେଲେଣି ଟିକା, ଆଜି ସରିବ ଟିକାକରଣର ବର୍ଦ୍ଧିତ ଅବଧି

ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୫୭ % ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ପଞ୍ଜୀକୃତ ୮୩ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ହେଲେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଥମ ଡୋଜ୍ ଟିକାକରଣ ପାଇଁ ବଢ଼ା ଯାଇଥିବା ଅବଧି ଆଜି ଶେଷ ହେଉଛି। ଏବେ ବି ଆହୁରି ୧୭ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେବାକୁ ବାକି ରହିଥିବାରୁ  ରାଜ୍ୟ ସରକାର ଏହି ଅବଧିକୁ ପୁଣିଥରେ ବୃଦ୍ଧି କରି‌ବେ କି ନାହିଁ, ତାହା ସ୍ପଷ୍ଟ ହେବ।

ଆଜି ରାଜ୍ୟରେ ସମୁଦାୟ ୮୩ ପ୍ରତିଶତ ଟିକାକରଣ ହୋଇଛି। ୧୭୭ଟି ଅଧିବେଶନରେ ୨୦,୦୫୦ଜଣଙ୍କୁ ଟିକାଦାନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୬,୬୪୭ଜଣ ଟିକା ନେଇଛନ୍ତି। ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୨୬୭ ପ୍ରତିଶତ ଟିକାକରଣ ହୋଇଛି। ଏହାବାଦ୍ ଗଞ୍ଜାମରେ ୨୪୭ ପ୍ରତିଶତ, ଯାଜପୁରରେ ୨ଶହ ପ୍ରତିଶତ, ମାଲକାନଗିରିରେ ୧୫୩ ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିଛି। ଗଜପତିରେ ସର୍ବନିମ୍ନ ୨୮ ପ୍ରତିଶତ, ଭଦ୍ରକରେ ୪୦, କଳାହାଣ୍ଡିରେ ୪୫, କେନ୍ଦ୍ରାପଡ଼ାରେ ୪୮ ଓ ଦେବଗଡ଼ରେ ୫୫ ପ୍ରତିଶତ ଟିକାକରଣ ହୋଇପାରିଛି।

ରାଜ୍ୟରେ ସମୁଦାୟ ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଥିବା ବେଳେ ୨ଲକ୍ଷ ୮୧ହଜାର ୬୦୪ଜଣ ଟିକା ନେଇଛନ୍ତି। ସେହିପରି ୨ଲକ୍ଷ ୪ହଜାର ୪୬୯ଜଣ ଆଗଧାଡ଼ିର ଯୋଦ୍ଧା ଏ ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା ବେଳେ ୧ଲକ୍ଷ ୧୮ହଜାର ୬୬ଜଣ ଟିକା ନେଇଛନ୍ତି। ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ଟିକାକରଣ ପ୍ରତିଶତ ୫୮ ପ୍ରତିଶତ ରହିଛି। ତେବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଆଗଧାଡ଼ିର ଯୋଦ୍ଧାଙ୍କ ପଞ୍ଜୀକରଣ ସମୟକୁ ବୃଦ୍ଧି କରିଥିବାରୁ ଆହୁରି ଯୋଦ୍ଧା ଏଥିରେ ସାମିଲ ହେବେ ବୋଲି ଅନୁମାନ କରାଯାଉଛି। ଚଳିତ ମାସ ୧୫ ତାରିଖରୁ ରାଜ୍ୟ ଦ୍ବିତୀୟ ପର୍ଯ୍ୟାୟ ଡୋଜ୍ ଟିକାକରଣ ଆରମ୍ଭ ହେବ।

ସମ୍ବନ୍ଧିତ ଖବର