୮୩୧ ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା

କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ

କଟକ : କୋଭିଡ-୧୯କୁ ନେଇ ସୃଷ୍ଟି ହୋଇଥିବା ସ୍ଥିତିରେ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଆଇନଜୀବୀଙ୍କୁ ଖୁବ୍‌ଶୀଘ୍ର ଆର୍ଥିକ ସହାୟତା ମିଳିବ।

ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଜରୁରୀ ଆର୍ଥିକ ସହାୟତା ନିୟମ ଅନୁସାରେ ଗଠିତ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅଧ୍ୟକ୍ଷ ଆଇନଜୀବୀ ଅଜୟ କୁମାର ବରାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଆଲୋଚନା ସମୟରେ ସ୍ପଷ୍ଟ ହୋଇଥିଲା ଯେ ଆର୍ଥିକ ସହାୟତା ପ୍ରସଂଗରେ ୮୩୧ଟି ଦରଖାସ୍ତ ନିୟମାବଳୀ ଅନୁସାରେ ଅନୁମୋଦନ ପାଇବା ପରେ କମିଟି ନିକଟରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ହାଇକୋର୍ଟ ବାର୍‌ର ୨୬୧ ଜଣ, ଯାଜପୁର ଜିଲ୍ଲା ବାର୍‌ର ୬୮ଜଣ, ବଗୁଡ଼ା ବାର୍‌ର ୧୨ଜଣ, ଖେମୁଣ୍ଡି ବାର୍‌ର ୧୭ ଜଣ, ନରସିଂହପୁର ବାରର ୨୬ ଜଣ, ରାଇରଙ୍ଗପୁର ବାରର ୧୪୧ଜଣ, ତିଗିରିଆ ବାରର ୧୮ଜଣ, କଟକ କ୍ୟାଟ୍ ବାରର ୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲା ବାରର ୧୦୨ଜଣ, ବାଙ୍କୀ ବାରର ୫୫ଜଣ, କଟକ ଜିଲ୍ଲା ବାରର ୮୨ଜଣ, ଯାଜପୁର ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନର ୩୬ଜଣ, ଏମ.ଭି.ଲୟର୍ସ ଆସୋସିଏସନର ୧୦ଜଣ ସଦସ୍ୟଙ୍କ ଦରଖାସ୍ତ ରହିଛି।

ପ୍ରତି ଆବେଦନକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବାକୁ ଥିବାବେଳେ ୮୩୧ ଜଣଙ୍କ ପାଇଁ ୪୧ ଲକ୍ଷ ୫୫ ହଜାର ଟଙ୍କା ଆବଶ୍ୟକ। ୩୧ ଲକ୍ଷ ଟଙ୍କା ଏ ସଂପର୍କିତ କର୍ପସ୍ ପାଣ୍ଠିରେ ଥିବାବେଳେ ଅବଶିଷ୍ଟ ୧୦ ଲକ୍ଷ ୫୫ ହଜାର ଟଙ୍କା ପ୍ରଦାନ ପାଇଁ ଆଡଭୋକେଟ୍ସ ୱେଲଫେୟାର ଟ୍ରଷ୍ଟ କମିଟିକୁ ଅନୁରୋଧ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏ ନେଇ ଆଡଭୋକେଟ୍ସ ୱେଲଫେୟାର ଟ୍ରଷ୍ଟ କମିଟିକୁ ତୁରନ୍ତ ଅବଗତ କରାଯାଇଛି। ଏହି ଅର୍ଥ ମିଳିବା ପରେ ଏହି ୮୩୧ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିସହିତ ଅନ୍ୟ ବାର୍ ଆସୋସିଏସନ୍ ଗୁଡିକୁ ଯଥାଶୀଘ୍ର ଆର୍ଥିକ ସହାୟତା ସଂପର୍କିତ ଦରଖାସ୍ତ ଗୁଡିକ ଅନୁମୋଦନ କରି ପଠାଇବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ବୈଠକରେ କମିଟି ସଦସ୍ୟ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ, ଭୂପେଶ ଚନ୍ଦ୍ର ମହାନ୍ତି, ସୁରେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏ କ୍ଷେତ୍ରରେ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜାଙ୍କୁ କମିଟି ସଦସ୍ୟମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର