ରାଜ୍ୟରେ ୮୩୩୮ ଭିକ୍ଷୁକ, ଭିକ୍ଷୁକଙ୍କ ପାଇଁ ୩ ଜିଲ୍ଲାରେ ହେବ ପୁନର୍ବାସ କେନ୍ଦ୍ର

ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୮୩୩୮ ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି। ରାଜ୍ୟକୁ ଭିକାରୀମୁକ୍ତ କରିବା ପାଇଁ ପୁରୀ ତଥା ଖୋର୍ଦ୍ଧା ଜିଲ୍ଲାରେ ପୁନର୍ବାସ କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଏହା ବାଦ୍ ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାରେ ପୁନର୍ବାସ କେନ୍ଦ୍ର ସ୍ଥାପନ ପାଇଁ ମଞ୍ଜୁରି ଦିଆଯାଇଛି। ଆବଶ୍ୟକତା ଅନୁଯାୟୀ ପୁନର୍ବାସ କେନ୍ଦ୍ର ଖୋଲିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଆଜି ବିଧାନସଭାରେ ଭବାନୀ ଶଙ୍କର ଭୋଇ ଓ ସୁଧୀର କୁମାର ସାମଲଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି। ରାଜ୍ୟ ବାହାରର ଲୋକ ରାଜ୍ୟରେ ଭିକ୍ଷାବୃତ୍ତି କରୁଥିବାର କୌଣସି ତଥ୍ୟ ବିଭାଗର ହସ୍ତଗତ ହୋଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଶ୍ରୀ ପଣ୍ଡା ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ରାଜ୍ୟରେ ଥିବା ଭିକ୍ଷୁକମାନଙ୍କ କଲ୍ୟାଣ ପାଇଁ ‘ସହାୟ’ ନାମରେ ଏକ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କ ଥଇଥାନ ପାଇଁ ‘ହାଫ୍‌ୱେ ହୋମ୍‌’ ବ୍ୟବସ୍ଥା କରାଯାଇଛି। କିନ୍ନରମାନଙ୍କ ପାଇଁ ସ୍ବୀକୃତି ନାମରେ ଏକ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଭିକ୍ଷୁକ, ମାନସିକ ବିକୃତ ଓ କିନ୍ନରମାନଙ୍କ ପାଇଁ ସ୍ଥାପନ କରାଯାଉଥିବା ଆବାସିକ କେନ୍ଦ୍ରଗୁଡ଼ିକରେ ମାଗଣା ଖାଦ୍ୟ ଓ ଚିକିତ୍ସା ସୁବିଧା ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି। କିନ୍ନରମାନଙ୍କୁ ସାମାଜିକ ସ୍ବୀକୃତି ଦେବା ସହିତ ସେମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର କିନ୍ନର ବ୍ୟକ୍ତି(ଅଧିକାର ସଂରକ୍ଷଣ) ଅଧିନିୟମ,୨୦୧୯ କାର୍ଯ୍ୟକାରୀ କରିଛନ୍ତି। ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କ ପାଇଁ ବର୍ତ୍ତମାନ ୩ଟି ଜିଲ୍ଲା ସୁନ୍ଦରଗଡ଼, ପୁରୀ ଓ ଖୋର୍ଦ୍ଧାରେ ସରକାରୀ ଅନୁଦାନପ୍ରାପ୍ତ ଏନ୍‌ଜିଓ ଦ୍ବାରା ପରିଚାଳିତ ହାଫ୍‌ୱେ ହୋମ୍‌ ଜରିଆରେ ୫୦୦ ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କ ଥଇଥାନର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର