କ୍ଷୌରକାର ବାରିକଙ୍କୁ ଅତି କୁଶଳୀ କାରିଗର ମାନ୍ୟତା ଦାବି

ବାରିକ ସମିତିର ୮୩ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ରାଜ୍ୟରେ ୨୭ଲକ୍ଷ କ୍ଷୌରକାର ବାରିକମାନଙ୍କୁ ପ୍ରତିନିଧିତ୍ବ କରୁଥିବା ‘ନିଖିଳ ଉତ୍କଳ ବାରିକ ସମିତି’ର ପ୍ରତିଷ୍ଠା ଦିବସ ପୂର୍ବତଟ ରେଳ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସମିତି ପକ୍ଷରୁ କ୍ଷୌରକାରମାନଙ୍କୁ ଅତିକୁଶଳୀ କାରିଗରର ମାନ୍ୟତା ନେଇ ଦାବି କରାଯାଇଥିବା ବେଳେ ଏନେଇ ଏକ କମିଟି ଗଠନ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମତ ପ୍ରକାଶ ପାଇଥିଲା।

ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ, ଓପିଟିସିଏଲ୍‌ର ଉମେଶ ଚନ୍ଦ୍ର ସାହୁ, ସେନ୍‌ ରବିନ୍ଦର ରଣା ପ୍ରମୁଖ ବକ୍ତା ଭାବେ ଯୋଗଦେଇ ଅଭିଭାଷଣ ରଖିଥିଲେ। ଏହି ଅବସରରେ ଓଡ଼ିଶା ବାରିକ ସମାଜରୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଉପସଭାପତି ଭାବେ ରାଜ୍ୟର ସାଧାରଣ ସମ୍ପାଦକ କୁଳମଣି ବାରିକ, ସଦସ୍ୟ ରୂପେ ଇଂ ପ୍ରତାପ କିଶୋର ବାରିକ, ଦିଲ୍ଲୀପ କୁମାର ମହାପାତ୍ର ଏବଂ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ମନୋନୀତ କରାଯାଇଥିଲା। ସାଧାରଣ ସମ୍ପାଦକ କୁଳମଣି ବାରିକ ସମ୍ପାଦକୀୟ ବିବରଣୀ ପାଠ କରି‌ କ୍ଷୌରକାରଙ୍କୁ ଅତିକୁଶଳୀ କାରିଗରର ମାନ୍ୟତା ଦେବାକୁ ଦାବି କରିଥିଲେ। ଉତ୍ସବରେ କାଳୀପ୍ରସନ୍ନ ବାରିକ, ଧୀରେନ ବାରିକ, ଶରତ ଚନ୍ଦ୍ର ବାରିକ, ଲକ୍ଷ୍ମୀଧର ପୂଜାରି, କ୍ଷେତ୍ରବାସୀ ବାରିକ, ଯୁଧିଷ୍ଠିର ବାରିକଙ୍କୁ ବାରିକ ସମାଜ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ସମ୍ପାଦକ ମାୟାଧର ବାରିକ ‘ବାରିକ ସମାଜ’କୁ ସଂଗଠିତ ହେବାକୁ ଆହ୍ବାନ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର