ତିନି ମାସରେ କିଣା ହେବ ୮୪ଟି ୧୦୮ ଆମ୍ବୁଲାନ୍ସ

ଦୁଇଟି ରାସ୍ତାରେ ମିଳିବ ଜରୁରୀକାଳୀନ ସେବା

ଭୁବନେଶ୍ୱର : ସାରା ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ବର୍ଷକୁ ବର୍ଷ ବଢ଼ୁଥିବାରୁ ଏହାକୁ କମାଇବା ପାଇଁ ରାଜ୍ୟ ସରକାର ସଡ଼କ ସୁରକ୍ଷା ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଏଥିରେ କିପରି ଦୁର୍ଘଟଣା କମିବ ସେନେଇ ବ୍ୟାପକ ପଦକ୍ଷେପ ନିଆଯିବାକୁ ଥିବାବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ କିପରି ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯିବ ଏବଂ ତତ୍‌କ୍ଷଣାତ ଆଶୁ ଚିକିତ୍ସା ମିଳିବ ତାହାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ଆବଶ୍ୟକ ୧୦୮ ଆମ୍ବୁଲାନ୍ସ ନଥିବାରୁ ସଡ଼କ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେଉଛି। ଗୋଲଡେନ୍‌ ଆୱାରରେ ଚିକିତ୍ସା ମିଳୁନଥିବାରୁ ବହୁ ଲୋକଙ୍କର ମୃତ୍ୟୁ ହେଉଛି। ତେଣୁ ଖୁବ୍‌ ଶୀଘ୍ର ୮୪ଟି ୧୦୮ ଆମ୍ବୁଲାନ୍ସ କିଣିବାକୁ ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଛି।

ଏବେ ରାଜ୍ୟରେ ୫୨୦ଟି ୧୦୮ ଆମ୍ବୁଲାନ୍ସ ଗଡ଼ୁଥିବାବେଳେ ତିନି ମାସ ମଧ୍ୟରେ ଆଉ ୮୪ଟି ୧୦୮ ଆମ୍ବୁଲାନ୍ସ କିଣାଯିବ। ଏଗୁଡ଼ିକୁ ମୁଖ୍ୟତଃ ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକରେ ରଖାଯିବ। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଯେଉଁଠି ଅଧିକ ଦୁର୍ଘଟଣା ଘଟୁଛି ସେହି ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଯେପରି ତୁରନ୍ତ ମିଳିବ ସେନେଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଆମ୍ବୁଲାନ୍ସଗୁଡ଼ିକ ଏଆଇଏସ୍‌-୧୨୫ ମାନର ହୋଇଥିବା ଦରକାର ବୋଲି କୁହାଯାଇଛି।

କେବଳ ଏତିକି ନୁହେଁ। ଜାତୀୟ ରାଜପଥରେ କୌଣସି ଦୁର୍ଘଟଣା ହେଲେ ଯେପରି ନିକଟସ୍ଥ ଗ୍ରାମର ବାସିନ୍ଦା, ଦୋକାନୀ, ଢାବାର କର୍ମଚାରୀ ତୁରନ୍ତ ଆଶୁ ଚିକିତ୍ସା ଯୋଗାଇବେ ସେନେଇ ୩୫୦ଗ୍ରାମର ଗ୍ରାମବାସୀଙ୍କୁ ପ୍ରଶିକ୍ଷଣ ଦେବାକୁ ବିଭିନ୍ନ ଆରଟିଓଙ୍କୁ କୁହାଯାଇଛି। ସେହିପରି ଦୁଇଟି ପ୍ରମୁଖ ରାସ୍ତାର ଗୋଟିଏ ଲେଖାଏଁ ଲେନ୍‌କୁ ମଡେଲ୍‌ ଷ୍ଟ୍ରେଚ୍‌ କରିବାକୁ ନିଷ୍ପତ୍ତି ହୋଇଛି। ଏଠାରେ ସମସ୍ତ ଜରୁରୀକାଳୀନ ସେବା ମିଳିବ। ଯାହାଦ୍ବାରା ଦୁର୍ଘଟଣାଗ୍ରସ୍ତଙ୍କୁ ରାସ୍ତାରେ ବି ଚିକିତ୍ସିତ କରାଯାଇପାରିବ। ମାର୍ଚ୍ଚ ୨୦୨୧ ସୁଦ୍ଧା ଆଦର୍ଶ ଷ୍ଟ୍ରେଚ୍‌ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ କୁହାଯାଇଛି। ଟ୍ରମା କେୟାରରେ କିପରି ଚିକିତ୍ସା କରାଯାଇପାରିବ ସେନେଇ ଅଧିକ ଡାକ୍ତର ଓ ପାରମେଡିକ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବ ଏବଂ ପରିବହନ ବିଭାଗ ଆବଶ୍ୟକସ୍ଥଳେ ସଡ଼କ ସୁରକ୍ଷା ପାଣ୍ଠିରୁ ଅର୍ଥ ଯୋଗାଇବ। ଏହାକୁ ବି ମାର୍ଚ୍ଚ, ୨୦୨୧ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ସେହିପରି ଅଧିକରୁ ଅଧିକ ପିଲା ଯେପରି ସଡ଼କ ସୁରକ୍ଷା ନିୟମ ନେଇ ସଚେତନ ହେବେ ସେଥିପାଇଁ ପ୍ରତି ସପ୍ତାହରେ ସ୍କୁଲରେ ସଡ଼କ ସୁରକ୍ଷା ଦିନ ପାଳନ ହେବ। ଏଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, କୁଇଜ୍‌ ଆଦି ପ୍ରତିଯୋଗିତା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ କୁହାଯାଇଛି। ଚଳିତ ଶିକ୍ଷା ବର୍ଷରେ ସ୍କୁଲ ଖୋଲିଲେ ସପ୍ତାହକରେ ଏନେଇ ଗୋଟିଏ ପିରିୟଡ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ରାଜ୍ୟ ରାଜପଥରେ ୨୯ଟି ବ୍ଲାକ୍‌ସ୍ପଟ୍‌ ଥିବାବେଳେ ଜାତୀୟ ରାଜପଥରେ ୧୪୦ଟି ବ୍ଲାକ୍‌ ସ୍ପଟ୍‌ ଅଛି। ଯେଉଁଠି ନିୟମିତ ବ୍ୟବଧାନରେ ଦୁର୍ଘଟଣା ହେଉଛି।

ସମ୍ବନ୍ଧିତ ଖବର