ଭୁବନେଶ୍ବର: ଏଥର ବିଧାନସଭାରେ ନବାଗତ ବିଧାୟକଙ୍କ ସଂଖ୍ୟା ଅଧାରୁ ଅଧିକ ଅର୍ଥାତ ୫୭%। ମୋଟ୍‌ ୮୪ ଜଣ ପ୍ରଥମ ଥର ପାଇଁ ବିଧାନସଭାକୁ ପ୍ରବେଶ କରିଛନ୍ତି। ରାଜ୍ୟରେ ଗଣତନ୍ତ୍ରର ସର୍ବୋଚ୍ଚ ଗୃହର ଗରିମା ବଢ଼ାଇବାର ଭାର ଏବେ ଏମାନଙ୍କ ଉପରେ। ବରିଷ୍ଠଙ୍କ ସଂଖ୍ୟା କମ୍ ଥିଲେ ବି ସେମାନଙ୍କ ଆଚରଣ ଓ ଉଚ୍ଚାରଣ ବହୁତ ଗୁରୁତ୍ବ ରଖୁଛି। କାରଣ ସେମାନଙ୍କ ଠାରୁ ନବାଗତମାନେ ବିଧାନସଭା ଗୃହ ଭିତରର ଶିଷ୍ଟାଚାର ଓ କାର୍ଯ୍ୟଧାରା ଶିଖିବେ। ତେଣୁ ବିଧାନସଭାର ପ୍ରଥମ ଅଧିବେଶନକୁ ରାଜନୈତିକ ମହଲ ‌ଅପେକ୍ଷା କରିଛନ୍ତି। ଏହି ଅଧିବେଶନରୁ ଜଣାପଡ଼ିଯିବ ବରିଷ୍ଠ ଓ କନିଷ୍ଠମାନେ ନିଜ ନିଜ ଦାୟିତ୍ବ କିପରି ନିର୍ବାହ କରୁଛନ୍ତି।

Advertisment

ଏଥର ବିଜୟୀ ହୋଇଥିବା ୮୪ ନବାଗତ ବିଧାୟକଙ୍କ ମଧ୍ୟରୁ ଶାସକ ଦଳ ବିଜେପିର ସର୍ବାଧିକ ୫୪ ଜଣ ଅଛନ୍ତି। ବିଜେଡିର ୧୮, କଂଗ୍ରେସର ୯ ଜଣ ବିଧାୟକ ପ୍ରଥମ ଥର ବିଧାନସଭାକୁ ଆସିଛନ୍ତି। ଏହା ବାଦ୍ ଚଳିତ ଥର ୩ ଜଣ ଯାକ ସ୍ବାଧୀନ ବିଧାୟକ ମଧ୍ୟ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଚଳିତ ବିଧାନସଭାରେ ସବୁଠାରୁ ବରିଷ୍ଠ ବିଧାୟକ ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେ ଆଠଗଡ଼ରୁ ୮ ଥର ବିଧାନସଭାକୁ ପ୍ରତିନିଧିତ୍ବ କଲେଣି। ତାଙ୍କ ପରେ ରହିଛନ୍ତି ପ୍ରମିଳା ମଲ୍ଲିକ। ସେ ବିଞ୍ଝାରପୁରରୁ ୭ ଥର ବିଧାନସଭାକୁ ବିଜୟୀ ହୋଇ ଆସିଲେଣି। ୬ ଥର ଜିତିଥିବା ୪ ଜଣ ବିଧାୟକ ହେ‌ଲେ ବିଜେପିର କନକ ବର୍ଦ୍ଧନ ସିଂହଦେଓ, ବିଜେଡିର ନବୀନ ପଟ୍ଟନାୟକ, ବଦ୍ରି ନାରାୟଣ ପାତ୍ର ଓ ନିରଞ୍ଜନ ପୂଜାରୀ। ୫ ଜଣ ବିଧାୟକ ବିଧାନସଭାରେ ୫ ଥର ପ୍ରତିନିଧିତ୍ବ କଲେଣି। ସେମାନେ ହେଲେ ବିଜେପିର ଜୟନାରାୟଣ ମିଶ୍ର, ବିଜେଡିର ଅଶ୍ବିନୀ ପାତ୍ର, ଅରୁଣ ସାହୁ ଓ ପ୍ରତାପ ଦେବ ଏବଂ କଂଗ୍ରେସର ତାରାପ୍ରସାଦ ବାହିନୀପତି। ଦ୍ବିତୀୟ ଥର ବିଧାନସଭାକୁ ଆସିଥିବା ବିଧାୟକଙ୍କ ସଂଖ୍ୟା ହେଉଛି ୩୩। ସେମାନଙ୍କ ମଧ୍ୟରେ ବିଜେପିର ୧୫, ବିଜେଡିର ୧୬ ଓ କଂଗ୍ରେସର ୨ ଜଣ ଅଛନ୍ତି। ତୃତୀୟ ଥର ବିଧାୟକ ହୋଇଥିବା ନେତାଙ୍କ ସଂଖ୍ୟା ୯। ସେମାନଙ୍କ ମଧ୍ୟରେ ବିଜେପିର ୩, ବିଜେଡିର ୪ ଓ କଂଗ୍ରେସର ୨ ଜଣ ଅଛନ୍ତି। ଚତୁର୍ଥ ଥର ବିଧାନସଭାକୁ ପ୍ରତିନିଧିତ୍ବ କରିଥିବା ବିଧାୟକଙ୍କ ସଂଖ୍ୟା ୧୦। ସେମାନଙ୍କ ମଧ୍ୟରେ ବିଜେପିର ୪, ବିଜେଡିର ୫ ଓ ସିପିଆଇ(ଏମ୍‌)ର ଜଣେ ଅଛନ୍ତି।

ଗତ କିଛି ବର୍ଷ ହେଲା ବିଧାନସଭାରେ ବିଭିନ୍ନ ଅଭାବନୀୟ ଘଟଣା ମାନ ଘଟି ଆସୁଛି। ବିନା ବିତର୍କରେ ବହୁ ବିଲ୍‌ ପାସ୍ କରାଯାଉଛି। କାଁ ଭାଁ ବିଧାୟକ ବିଲ୍‌ ଆଲୋଚନାରେ ଭାଗ ନେଉଛନ୍ତି। ପୁଣି ବିରୋଧୀ ଦଳର ଅନୁପସ୍ଥିତିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି। ପାରିତ ହେଉଥିବା ବିଲ୍‌ ସମ୍ପର୍କରେ ବହୁ ବିଧାୟକ ଅଜ୍ଞ ରହୁଛନ୍ତି। ଆଇନ ପ୍ରଣୟନ କେବଳ ଔପଚାରିକତା ପାଲଟୁଛି। ଠିକ୍ ଭାବେ ଆଲୋଚନା ହୋଇ ନଥିବାରୁ ଅତୀତରେ କିଛି ବିଲ୍ ବିଧାନସଭାରେ ପାରିତ ହେଲା ପରେ ବି ରାଷ୍ଟ୍ରପତି, ରାଜ୍ୟପାଳ ଫେରାଇ ଦେଇଛନ୍ତି। ପୁଣି କିଛି ବିଲ୍‌ କୋର୍ଟରେ ଚ୍ୟାଲେଞ୍ଜ୍‌ ହୋଇଛି। ଗୃହ ଭିତରେ ଏକ ସୁସ୍ଥ ପରମ୍ପରା ପ୍ରତି ଗୁରୁତ୍ବ ଦିଆଯାଉନି। ବିଧାନସଭାରେ ବିତର୍କ ଯେମିତି ଇତିହାସର ବିଷୟ ପାଲଟିଯାଉଛି। ଫଳରେ ବିଧାନସଭାର ଏକ ନକରାତ୍ମକ ଛବି ସର୍ବସାଧାରଣରେ ପ୍ରଦର୍ଶିତ ହେଉଛି। ଗଣତନ୍ତ୍ରର ବୟସ ବଢ଼ିବା ସହ ତାହା ଆହୁରି ମଜବୁତ ହେବାର ଆବଶ୍ୟକତା ରହିଛି। କିନ୍ତୁ ଜନପ୍ରତିନିଧିମାନଙ୍କ ବେପରୱା ମନୋଭାବ ଯୋଗୁଁ ଗଣତନ୍ତ୍ର ସଙ୍କଟରେ ପଡ଼ିଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ବିଧାନସଭା ଅଧିବେଶନ ବେଶ୍‌ ଗୁରୁତ୍ବ ରଖେ। ଯଦି ବରିଷ୍ଠମାନେ ନିଜ ଅଭିଜ୍ଞତା ଓ ଅନୁଭୂତିରୁ ଉଚ୍ଚକୋଟୀର ପ୍ରଦର୍ଶନ କରି ଗୃହରେ ଏକ ଭଲ ବାତାବରଣ ସୃଷ୍ଟି ନକରନ୍ତି, ତେବେ ନୂଆ ବିଧାୟକମାନେ ମଧ୍ୟ ସେହି ଢା‌ଞ୍ଚାରେ ପଡ଼ିଯିବେ। ବିଧାସନଭା ଗୃହରେ ଏକ ସୁସ୍ଥ ବିତର୍କର ଯେ ଆବଶ୍ୟକତା ରହିଛି, ତାହା ସେମାନେ ଅନୁଭବ କରିବେ ନାହିଁ। ବିଧାନସଭା ପରି ପବିତ୍ର ଗୃହର ଗରିମା ରକ୍ଷା କରିବାକୁ ଆଇନ ପ୍ରଣେତାମାନେ ସଚେତନ ହେବା ଉଚିତ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।