ଅନୁଦାନ ଅଭାବ: ୮୪୬୦ ପ୍ରକଳ୍ପ ଅଧାନ୍ତରିଆ, ମଜୁରି ଓ ସାମଗ୍ରୀ ବକେୟା ଟପିଲାଣି ୫୦ କୋଟି

କାମ ଅଭାବରୁ ପ୍ରବାସୀ ଶ୍ରମିକ ପୁଣି ଦାଦନ ମୁହାଁ, ପ୍ରକଳ୍ପ ପାଇଁ ୧୧ ବ୍ଲକରେ ନାହିଁ ଟଙ୍କାଟିଏ ଅନୁଦାନ

ରାୟଗଡ଼ା(ନବୀନ ଚନ୍ଦ୍ର ସାହୁ): ରାୟଗଡ଼ାରେ ବାକିରେ ଚାଲିଛି ମନରେଗା (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)। ମାସ ମାସ ଧରି ଅନୁଦାନ ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁ ନିର୍ମାଣଧୀନ ପ୍ରକଳ୍ପର ଅଗ୍ରଗତି ଠପ୍ ହୋଇ ପଡିଛି। ଠିକ୍ ସମୟରେ ମଜୁରି ମିଳୁନଥିବାରୁ କାମ ଆବେଦନ ନ କରି ଶ୍ରମିକମାନେ ପୁଣି ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ମୁହାଁ ହେଲେଣି। ‌ଜିଲ୍ଲାରେ ଶ୍ରମିକଙ୍କ ମଜୁରି ଓ ନିର୍ମାଣ ସାମଗ୍ରୀ ବକେୟା ୫୦ କୋଟି ଟପିଥିବା ବେଳେ ନିର୍ମାଣଧୀନ ପ୍ରକଳ୍ପର ଅଗ୍ରଗତି ପାଇଁ ‌୧୧ ବ୍ଲକରେ ନାହିଁ ଟଙ୍କାଟିଏ ଅନୁଦାନ।

କରୋନା କାଳରେ ଜୀବିକା ହରାଇ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କୁ କର୍ମ ନିଯୁକ୍ତି ଯୋଗାଇବାରେ ପ୍ରମୁଖ ଭୂମିକା ନେଇଥିଲା ମନରେଗା। କୁଶଳୀ ଓ ଅଣକୁଶଳୀ ଶ୍ରମିକ ପରିବାରକୁ ଶହେ ଦିନର କାମ ଯୋଗାଇ ଦେବା ଉପରେ ଗୁରୁତ୍ବାରୋପ କରିଥିଲେ ସରକାର। ସରକାରଙ୍କ ନିର୍ଦେଶରେ ବ୍ଲକ, ପଞ୍ଚାୟତସ୍ତରରେ ବହୁ ପ୍ରକଳ୍ପ ହାତକୁ ‌ନିଆଯିବା ପରେ ନିର୍ମାଣ କାମରେ ନିଯୁକ୍ତ ହୋଇଥିଲେ ଶ୍ରମିକ।

୨୦୨୧-୨୨ ଆର୍ଥିକ ବର୍ଷରେ ୧୧ଟି ବ୍ଲକର ୧୩୨୨୩୦ ପରିବାରକୁ କର୍ମ ନିଯୁକ୍ତି ମିଳିଥିବା ବେଳେ ୭୯୦୩୨୦୫ ଶ୍ରମ ଦିବସ ସୃଷ୍ଟି ହୋଇଛି। ୬୯୬୩ ପରିବାର ଶହେ ଦିନ ଏବଂ ୫୧୨ ପରିବାର ୧୫୦ରୁ ଉର୍ଧ୍ବ ଦିନ କାମ କରିଛନ୍ତି। କରୋନା ଯୋଗୁ ଚଳିତ ଆର୍ଥିକ ବର୍ଷରେ ଜିଲ୍ଲା ପ୍ରଶାସନ ମନରେଗା ଯୋଜନାରେ ୯୦୦୩ ପ୍ରକଳ୍ପର ନିର୍ମାଣ କାମ ହାତକୁ ନେଇଥିଲା। ଜିଲ୍ଲାର ୪୫୦ରୁ ଉର୍ଧ୍ବ ଗାଁକୁ ରାସ୍ତାନଥିବାରୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାସ୍ତା ନିର୍ମାଣ, ଘାଟ କଟିଂ, ରାସ୍ତା ପ୍ରଶସ୍ତିକରଣ, ବିଚ୍ଛିନ୍ନାଞ୍ଚଳ ରାସ୍ତାରେ କଲର୍ଭଟ ଓ ଗାର୍ଡୱାଲ୍ ନିର୍ମାଣକୁ ଗୁରୁତ୍ବ ଦିଆଯାଇଥିଲା। ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୨୨ ଦିନ ବାକିଥିବା ବେଳେ ଅନୁଦାନ ଓ ଶ୍ରମିକ ଅଭାବ କାରଣରୁ ୫୪୩ ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି।

୮୪୬୦ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିଛି। ଯୋଜନାରେ କାମ କରିଥିବା ଅଣକୁଶଳୀ ଶ୍ରମିକଙ୍କ ମଜୁରି ବକେୟା ୨ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ଥିବା ବ‌େଳେ  କୁଶଳୀ ଶ୍ରମିକଙ୍କ ମଜୁରି ବକେୟା ୫୮ ଲକ୍ଷ ୩୭ ହଜାର ଏବଂ ନିର୍ମାଣ ସାମଗ୍ରୀ ବାବଦକୁ ସର୍ବାଧିକ ବକେୟା ୪୫ କୋଟି ୪୭ ଲକ୍ଷ ୧୫ ହଜାର ଟଙ୍କା ରହିଛି। ନିର୍ମାଣ ସାମଗ୍ରୀ ସିମେଣ୍ଟ୍, ଗୁଡ଼ି, ବାଲି, ଇଟା, ପଥର, ଲୁହା ଛଡ, ମେଟାଲ୍, ଚିପସ୍ ଯୋଗାଇଥିବା ଭେଣ୍ଡର ବକେୟା ଟଙ୍କା ପାଇବାକୁ ବ୍ଲକ୍ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଚିଠି ଲେଖି ନିରାଶ ହେବା ପରେ ଗତ ଦୁଇ ମାସ ହେଲା ଆଉ କୌଣସି ସାମଗ୍ରୀ ଯୋଗାଉ ନାହାନ୍ତି। ଯାହା ପ୍ରକଳ୍ପ ଅଗ୍ରଗତିରେ ମୁଖ୍ୟ ବାଧକ ସାଜିଛି।

ଚଳିତ ଆର୍ଥିକ ବର୍ଷ ଆରମ୍ଭ ସମୟରେ ମନରେଗା କାର୍ଯ୍ୟକାରୀ ପାଇଁ ୧୧ ବ୍ଲକ୍ ନିକଟରେ ୧୬୪୫୦.୪୯ ଲକ୍ଷ ଟଙ୍କା ଓ ଲାଇନ୍ ଡିପାର୍ଟମେଣ୍ଟ୍ ଗୁଡ଼ିକରେ ୯୭୩୮.୪୪ ଲକ୍ଷ, ଡିପିସିରେ ୩୭.୬୮ ଲକ୍ଷ ମୋଟ ୨୬୨୨୬.୬୧ ଲକ୍ଷ ମହଜୁଦ୍ ଥିଲା। ଆଜି ସୁଦ୍ଧା ବ୍ଲକ୍ ଗୁଡ଼ିକରେ ଶ୍ରମିକଙ୍କ ମଜୁରି  ଓ ନିର୍ମାଣଧୀନ ସାମଗ୍ରୀ ବାବଦକୁ ବ୍ୟୟ ଅଟ୍ଟକଳ ୨୫୪୭୧.୬୨ ଲକ୍ଷ, ଲାଇନ୍ ଡିପାର୍ଟମେଣ୍ଟର ବ୍ୟୟ ଅଟ୍ଟକଳ ୧୩୭୦.୭୩ ଲକ୍ଷ, ଡିପିସିର ୩୬.୯୭ ଲକ୍ଷକୁ ମିଶାଇ ଖର୍ଚ୍ଚ ପରିମାଣ ୨୬୮୭୯.୩୨ ଲକ୍ଷରେ ପହଞ୍ଚିଲାଣି। ବ୍ୟୟ ଅଟ୍ଟକଳକୁ ଭରଣା ପାଇଁ ଆହୁରି ୪୯ କୋଟି ୮୭ ଲକ୍ଷ ୫୭ ହଜାର ଟଙ୍କାର ଆବଶ୍ୟକତା ରହିଛି। କିନ୍ତୁ କେନ୍ଦ୍ରରୁ ଅନୁଦାନ ଆସିପାରିନଥିବାରୁ ଜିଲ୍ଲାରେ ମନରେଗା ଯୋଜନା ବାଟବଣା ହେବାରେ ଲାଗିଛି।

ସମ୍ବନ୍ଧିତ ଖବର