ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ଜିଲ୍ଲାର ମଲ୍ଟି ଡିସିପ୍ଲିନାରି ସ୍କ୍ବାଡ ବଡ଼ଗଡ ଥାନା ଇଲାକାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ପୁଲିସ୍, ଅବକାରୀ, ଗୁଇନ୍ଦା ସଂସ୍ଥା, ବନ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର କର୍ମଚାରୀମାନଙ୍କୁ ନେଇ ଏହି ବଡ଼ଧରଣର ଚଢ଼ଉ ବେଳେ ପ୍ରାୟ ୮୫ ଏକର ଜାଗାରେ ବେଆଇନ୍ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛ କଟାଯିବା ସହ ପୋଡ଼ାଯାଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଡିଏସ୍ପି ଅଭିରାମ ବେହେରା ସୂଚନା ଦେଇଛନ୍ତି।
ଗଞ୍ଜାମ ଓ ଗଜପତି ସୀମାନ୍ତ ଇଲାକାରେ ଏଭଳି ଭାବେ ବେଆଇନ ଭାବେ ଏକର ଏକର ଜାଗାରେ ଗଞ୍ଜେଇ ଚାଷ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଆଜି ସକାଳୁ ମିଳିତ ଭାବେ ବଡ଼ଗଡ଼ ଥାନା ଅଧୀନ ବୁରୁପଡା ଏବଂ ପତଶଳା ଗ୍ରାମରେ ପ୍ରାୟ ୮୫ ଏକର ଜାଗାରେ ବେଆଇନ ଭାବେ ଲଗାଯାଇଥିବା ୮୫୦୦୦ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିଲା। ସୋରଡ଼ା ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ମାଜିଷ୍ଟ୍ରେଟ୍ ଭାବେ ଉପସ୍ଥିତ ଥିବା ବେଳେ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ବଡ଼ଗଡ ଥାନାଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସୋରଡ଼ା ଥାନାଧିକାରୀ ରମେଶ କୁମାର ପ୍ରଧାନ, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ବଡ଼ଗଡ଼ ରେଞ୍ଜର ନରସିଂହ ବେହେରା, ଆସିକା ଅବକାରୀ ଅଧିକାରୀ ଧିରେନ୍ ବେହେରା, ଷ୍ଟ୍ରାଇକିଂ ଫୋର୍ସ ଅଧିକାରୀ ପ୍ରୀତିଧରା ନାୟକ ଓ ଛତ୍ରପୁର ସଦର ଅବକାରୀ ଅଧିକାରୀ ଦୀପ୍ତିମୟୀ ସହୁଙ୍କ ସମେତ ଗୁଇନ୍ଦା ସଂସ୍ଥାର କର୍ମଚାରୀ ଏବଂ ୫ ପ୍ଳାଟୁନ୍ ଫୋର୍ସ ଚଢ଼ଉରେ ସାମିଲ ହୋଇଥିଲେ। ଏନେଇ ୪ଟି ଅବକାରୀ ମାମଲା ରୁଜୁ ହୋଇଥିବା ଡିଏସ୍ପି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/BNJ-BJ-excise-raid.jpg)