୮୫ ପ୍ରତିଶତ କୋଭିଡ୍‌ ହସପିଟାଲ ଶଯ୍ୟା ଖାଲି, ସଂକ୍ରମଣ ଓ ତଦ୍‌ଜନିତ ଜଟିଳତାରେ ଆଖିଦୃଶିଆ ହ୍ରାସ

ରାଉରକେଲା: ଏପ୍ରିଲ ପହିଲାରେ କରୋନା ଦ୍ବିତୀୟ ଲହର ଆସିବାପରଠାରୁ ଜିଲ୍ଲାରେ ସଂକ୍ରମଣ ହୁ ହୁ ହୋଇ ବଢ଼ିଥିଲା। ଉକ୍ତ ମାସ ତୃତୀୟ ସପ୍ତାହଠାରୁ ହସ୍‌ପିଟାଲରେ ରୋଗୀଙ୍କ ଭିଡ଼ ଲାଗିଥିଲା। ଏମିତିକି ବହୁ ରୋଗୀ ହସ୍‌ପିଟାଲରେ ଶଯ୍ୟା ନ ପାଇ ଘରେ ଚିକିତ୍ସିତ ହୋଇଥିବା ବି ଦେଖିବାକୁ ମିଳିଥିଲା। ରୋଗୀଙ୍କ ପାଇଁ ଥିବା ଜିଲ୍ଲାର ୫ଟି ହସପିଟାଲର ବେଡ୍‌ ପର୍ଯ୍ୟାପ୍ତ ନଥିବା ଅନୁଭୂତ ହୋଇଥିଲା। ବେଡ୍‌ ବୃଦ୍ଧି ନେଇ ବୁଦ୍ଧିଜୀବୀ ମତ ବି ଦେଇଥିଲେ।

ତେବେ, ଏଥିରେ ଏବେ ପରିବର୍ତ୍ତନ ଘଟିଛି। ସଂକ୍ରମଣ ତଳ ମୁହାଁ ହୋଇଥିବାବେଳେ ହସପିଟାଲରେ ବେଡ୍‌ ଖାଲି ପଡ଼ୁଛି। ଗତ ମେ’ ମାସରେ କୋଭିଡ୍‌ ହସପିଟାଲ ଗୁଡ଼ିକରେ ମାତ୍ର ୧୫/୨୦ ପ୍ରତିଶତ ବେଡ୍‌ ଖାଲି ପଡ଼ୁଥିବାବେଳେ ଏବେ ଏଥିରେ ବୃଦ୍ଧି ଘଟି ୮୫ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ୍‌, ଆଗାମୀ ଦିନରେ ଯଦି ସଂକ୍ରମଣରେ ଅହେତୁକ ବୃଦ୍ଧି ନ ଘଟେ ତା’ହେଲେ, ବେଡ୍‌ ସମସ୍ୟା ରହିବନି।

କୋଭିଡ୍‌ ରୋଗୀଙ୍କ ପାଇଁ ଜିଲ୍ଲାରେ ୫ଟି ହସ୍‌ପିଟାଲରେ ୧୦୭୦ଟି ଆଇସିୟୁ, ଏଚ୍‌ଡିୟୁ, ଜେନେରାଲ ବେଡ୍‌ ଆଦିର ବ୍ୟବସ୍ଥା କରାଯାଇଛି। ସେଗୁଡ଼ିକ ହେଲା,-ହାଇଟେକ୍‌ କୋଭିଡ୍‌ ହସପିଟାଲ(୨୧୦ ବେଡ୍‌), ଆଇଜିଏଚ୍‌ ସୁପରସ୍ପେଶାଲିଟି ହସପିଟାଲ(୧୦୦), ଶାନ୍ତି ମେମୋରିଆଲ କୋଭିଡ୍‌ ହସପିଟାଲ(୧୪୦), ଜୟ ପ୍ରକାଶ କୋଭିଡ୍‌ ହସପିଟାଲ(୨୦୦) ଓ ସୁନ୍ଦରଗଡ଼ ଏନ୍‌ଟିପିସି କୋଭିଡ୍‌ ହସପିଟାଲ(୪୨୦)। ପ୍ରାୟ ୨୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସୁନ୍ଦରଗଡ଼ ଜିଲ୍ଲା ଓ ଦିନିକିଆ ସଂକ୍ରମଣ ୨ ହଜାର ଟପିବା ଯୋଗୁଁ ଉପଲବ୍ଧ ବେଡ୍‌ ପର୍ଯ୍ୟାପ୍ତ ନ ଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ସଂକ୍ରମଣ କମିବା ସହ ବେଡ୍‌ର ଉପଲବ୍ଧତାରେ ମଧ୍ୟ ବୃଦ୍ଧି ଘଟିଛି।

ଗତକାଲି(ଜୁନ ୧୩ ତାରିଖ) ଜିଲ୍ଲାରେ ୯୦୬ (୮୪.୬୭%) ବେଡ୍‌ ଖାଲି ଥିଲା। ତେବେ ଠିକ୍‌ ମାସକ ପୂର୍ବେ, ଅର୍ଥାତ୍‌ ଗତ ମେ’ ୧୩ ତାରିଖରେ ଜିଲ୍ଲାରେ ମାତ୍ର ୨୧୦(୧୯.୬୨%) ବେଡ୍‌ ଖାଲିଥିଲା। ଅତଏବ, ଗତ ମାସକ ଭିତରେ ପ୍ରାୟ ୬୫ ପ୍ରତିଶତ ଅଧିକ ବେଡ୍‌ ଖାଲି ହୋଇଛି। ଏଥିରୁ ସ୍ପଷ୍ଟ ଯେ, ଜିଲ୍ଲାରେ ସଂକ୍ରମଣ ଓ ତଦ୍‌ଜନିତ ଜଟିଳତା ବି ବହୁମାତ୍ରାରେ ହ୍ରାସ ପାଇଛି। ପ୍ରକାଶଥାଉକି, ଗତ ୧୨ ତାରିଖରେ ଜିଲ୍ଲାରେ ୮୯୦ଟି ଶଯ୍ୟା ଖାଲିଥିବାବେଳେ ୧୧ ତାରିଖରେ ୮୭୮ଟି, ୮ ତାରିଖରେ ୮୪୧, ୭ ତାରିଖରେ ୮୫୧, ୬ ତାରିଖରେ ୮୫୧, ୪ ତାରିଖରେ ୭୯୬, ୩ ତାରିଖରେ ୭୮୨, ୨ ତାରିଖରେ ୭୬୪ ଓ ୧ ତାରିଖରେ ୭୪୧ଟି ଖାଲିଥିଲା। କିନ୍ତୁ ଗତ ମାସର ଅନୁରୂପ ସମୟରେ(ମେ’୧ରୁ ୧୩ ତାରିଖ) ଖାଲି ପଡ଼ିଥିବା ବେଡ୍‌ ସଂଖ୍ୟା ୩ ଶହ ଭିତରେ ରହୁଥିଲା।

ସମ୍ବନ୍ଧିତ ଖବର