ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସର୍ଭେ: ୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ

ଭୁବନେଶ୍ବର: ରାଜ୍ୟରେ ଦିନକ ପରେ ସ୍କୁଲ ଖୋଲିବ। ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲା ସ୍କୁଲକୁ ଯାଇ ଅଫ୍‌ଲାଇନ୍‌ରେ ପାଠପଢ଼ିବେ। କିନ୍ତୁ ରାଜ୍ୟ ସରକାର ଯେଉଁ ଦିନଠାରୁ ସ୍କୁଲ ଖୋଲିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି, ସେହିଦିନ ଠାରୁ ଉଭୟ ଛାତ୍ରଛାତ୍ରୀଙ୍କର ଚିନ୍ତା ବଢ଼ିଯାଇଛି ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରକୃତ ମତ କ’ଣ ତାହା ଜାଣିବା ଲାଗି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଆଧାରରେ ଆୟୋଗ ସ୍କୁଲ ଖୋଲିବା ନେଇ କେଉଁ ସବୁ ପଦ‌କ୍ଷେପ ଜରୁରୀ ତାହା ସରକାରଙ୍କୁ ସୁପାରିସ କରିଛନ୍ତି।

ସ୍କୁଲ ଖୋଲିବା ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସର୍ଭେରୁ ସ୍ପଷ୍ଟ ହୋଇଛି ପିଲାଙ୍କ ମତ । ୮୫ ପ୍ରତିଶତ ଛାତ୍ରଛାତ୍ରୀ ଚାହାନ୍ତି ସ୍କୁଲ ଖୋଲୁ। ସ୍କୁଲ ଖୋଲିବା ପୂର୍ବରୁ ୩ଟି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ । ମାସ୍କ, ହାତ ଧୋଇବା ଓ ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ ଦେବା ଲାଗି ସୁପାରିସ କରିଛି ଆୟୋଗ।

କରୋନା ଠାରୁ ଦୂରେଇ ରହିବାକୁ ସ୍କୁଲମାନେ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବା ଉଚିତ ବୋଲି କହିଛି ଆୟୋଗ । ଏ ପ୍ରସଙ୍ଗରେ  ଅଭିଭାବକଙ୍କ ସହ ସ୍କୁଲ୍ କର୍ତ୍ତୃପକ୍ଷ ଆଲୋଚନା କରନ୍ତୁ । ଆବଶ୍ୟକ ସମୟରେ ବିଶେଷଜ୍ଞଙ୍କ ସହାୟତା ନିଆଯାଉ ବୋଲି ମତ ରଖିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ।

ସୂଚନାଯୋଗ୍ୟ, ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି। ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ବି ନିର୍ଦ୍ଦେଶ ଜାରି ହୋଇଛି। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ। କରୋନା ଗାଇଡଲାଇନ ମାନି ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର