୫ ଟଙ୍କାର ଖାଦ୍ୟ ଦେଇ ୮୫ ଟଙ୍କା ବିଲ୍‌

ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ରୋଗୀଙ୍କୁ ଫାଳେ ପାଉଁରୁଟି

ବ୍ୟାସନଗର: ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ କମ୍ ଓ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଏଠି ୫ ଟଙ୍କାର ଖାଦ୍ୟ ଦେଇ ରୋଗୀ ପିଛା ୮୫ ଟଙ୍କାର ବିଲ୍‌ ହେଉଥିବା ଅଭିଯୋଗ ହେଉଛି। ଏଭଳି କି ଏଠାରେ ୪ ବର୍ଷ ହେଲା ଖାଦ୍ୟ ଯୋଗାଉଥିବା ଭେଣ୍ଡର ବଦଳି ନାହାନ୍ତି। ଟେଣ୍ଡର ନଡାକି ଜଣେ ବ୍ୟକ୍ତିଙ୍କ ହାତରେ ଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ଟେକି ଦିଆଯାଇ ଥିବାରୁ ଏଭଳି ଅବ୍ୟବସ୍ଥା ହେଉଥିବା କୁହାଯାଉଛି।

ଆଜି ଏକ ଜରି ପ୍ୟାକେଟରେ ୫୦ ଗ୍ରାମ୍‌ରୁ କମ୍ ଓଜନର ଫାଳେ ଲେଖାଏଁ ପାଉଁରୁଟି ରୋଗୀମାନଙ୍କୁ ଦିଆଯାଇଥିଲା।‌ ‌ରୋଗୀମାନଙ୍କ କହିବା ଅନୁସାରେ ଗତକାଲି ମଧ୍ୟ ସେମିତି ‌ଛୋଟ ପାଉଁରୁଟି ଦିଆଯାଇଥିଲା। ଆଜି କେତେଜଣ ରୋଗୀଙ୍କ ସଂପର୍କୀୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଡ୍ୟୁଟିରେ ଥିବା ନର୍ସ ମଧ୍ୟ କହିଥ‌ିଲେ ଯେ ବଡ଼ ପ୍ୟାକେଟ ପାଉଁରୁଟି (୨ଶହ ଗ୍ରାମ୍‌) ଦିଆଯିବା କଥା। ଏ ବିଷୟରେ ରୋଗୀଙ୍କ ସମ୍ପର୍କୀୟ ଓ ଏହି ୱାର୍ଡର କାଉନସିଲର ଭରତ ଓଝା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପୃଷ୍ଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା କାଉନସିଲର ଓଝା ଅଭିଯୋଗ କରିଛନ୍ତି।

ନିୟମ ଅନୁସାରେ ଡାଇରିଆ ରୋଗୀମାନଙ୍କୁ ଚୁଡ଼ା, କଦଳୀ ଦେବା କଥା। ସେହିପରି ସାଧାରଣ ୱାର୍ଡ, ପ୍ରସୂତି ଓ ମହିଳା ୱାର୍ଡରେ ସକାଳ ଓ ସନ୍ଧ୍ୟାରେ ପାଉଁରୁଟି, କ୍ଷୀର, ଅଣ୍ଡା ଆଦି ଦେବାକୁ ଥିବାବେଳେ ଭେଣ୍ଡର ରୋଗୀମାନଙ୍କୁ ଫାଳେ ରୁଟି ଦେଇ କାମ ସାରି ଦେଉଛନ୍ତି। ଯେଉଁ ଖାଦ୍ୟ ଦିଆଯାଉଛି, ତାହା ଠିକ ସମୟରେ ଦିଆଯାଉନାହିଁ। ବଡ଼କଥା ହେଉଛି ରୋଗୀଙ୍କ ଖାଦ୍ୟ ବାବଦକୁ ପୂର୍ବରୁ ୫୫ ଟଙ୍କା ଦିଆଯାଉଥିଲା। ଏବେ ତାହା ୮୫ ଟଙ୍କା ହୋଇଛି। ଅଥଚ ଖାଦ୍ୟର ମାନ ଉନ୍ନତ ହେବା ପରିବର୍ତ୍ତେ ନିମ୍ନମାନର ହେଉଛି। ରୋଗୀଙ୍କୁ ନିର୍ଦ୍ଧାରିତ ଖାଦ୍ୟ ଦିଆଯାଉଛି କି ନାହିଁ ତାହା ତଦାଖର କରାଯାଉ ନଥିବା ଅଭିଯୋଗ ହେଉଛି।

ଖାଦ୍ୟର ମାନ ଠିକ୍ ରହିବା ତଥା ସ୍ବଚ୍ଛତା ରକ୍ଷା ନିମନ୍ତେ ପ୍ରତିବର୍ଷ ଟେଣ୍ଡର କରି ଭେଣ୍ଡର ପରିବର୍ତ୍ତନ କରିବାର ନିୟମ ଥିବା ବେଳେ ୪ ବର୍ଷ ହେଲା ଟେଣ୍ଡର ନକରି ଜଣେ ଭେଣ୍ଡରଙ୍କୁ ଖାଦ୍ୟ ଯୋଗାଇବାକୁ ଅନୁମତି ଦିଆଯାଉଛି। ସ୍ବଳ୍ପ ଏବଂ ନିମ୍ନମାନର ଖାଦ୍ୟ ଦେଇ ଭେଣ୍ଡର ଲୁଟୁଥିବା ବେଳେ ରୋଗୀ କଲ୍ୟାଣ ସମିତିଠାରୁ ଆରମ୍ଭ କରି ଅଧିକାରୀମାନେ ମୁହଁ ଖୋଲୁ ନାହାନ୍ତି। ଏହାର ତଦନ୍ତ କରିବା ସହ ଭେଣ୍ଡରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉକ୍ତ ୱାର୍ଡର କାଉନସିଲର ଶ୍ରୀ ଓଝା ଦାବି କରିଛନ୍ତି। ନିମ୍ନମାନର ଖାଦ୍ୟ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ପୃଷ୍ଟିଙ୍କୁ ପଚାରିବାରୁ ଗତ ରବିବାର ଭେଣ୍ଡର ଫାଳେ ରୁଟି ଦେଇଥିବା ସ୍ୱୀକାର କରିଛନ୍ତି। ତାଗିଦ କରିବାରୁ ଏବେ ଠିକ ଖାଦ୍ୟ ସେ ଦେଉଥିବା ସୂଚନା ଦେଇଛନ୍ତି।

ଉଲ୍ଲେଖନୀୟ ଯେ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୋଟ ୩୦ ଶଯ୍ୟା ଥିବାବେଳେ ଅଧିକ ୭ ଗୋଟି ବେଡ୍ ପଡ଼ିଛି। ଜେନେରାଲ ଓ ଡାଇରିଆ ୱାର୍ଡରେ ୨୩, ପ୍ରସୂତି ବିଭାଗରେ ୬ ଗୋଟି, ମହିଳା ୱାର୍ଡରେ ୮ ଗୋଟି, ପ୍ରସୂତି କକ୍ଷରେ ୨ ଗୋଟି, ୱାର୍ଡ ନମ୍ବର ୯ ଏସି ରୁମ୍‌ରେ ୨ ଗୋଟି ବେଡ୍ ପଡ଼ିଛି।

ସମ୍ବନ୍ଧିତ ଖବର