ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମୁଖ୍ୟ ମାର୍କେଟ ନିବାସୀ ଅଭିଜିତ ମଜୁମଦାରଙ୍କଠାରୁ ଏସ୍ବିଆଇ ୟୁନୋ ଅପ୍ଡେଟ୍ ନାଁରେ ସାଇବର ଲୁଟେରା ୮୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଗତ ୨୦ ତାରିଖରେ ଏସ୍ବିଆଇ ୟୁନୋ ଅପ୍ଡେଟ୍ କରିବାକୁ ଅଭିଜିତଙ୍କ ମୋବାଇଲକୁ ଏକ ଲିଙ୍କ ଆସିଥିଲା। ସେ ଏହି ଲିଙ୍କ ଅନୁସାରେ ଓଟିପି ଦେଇ ଆଗକୁ ବଢ଼ିଥିଲେ। ଏହା ପରେ ୩ଟି ଦଫାରେ ଯଥାକ୍ରମେ ୬୦ ହଜାର, ୨୫ ହଜାର ଓ ୧୦ ହଜାର ଟଙ୍କା କଟି ଯାଇଥିଲା।
ସେ ତୁରନ୍ତ ବ୍ରଜରାଜନଗର ଷ୍ଟେଟ୍ ବ୍ୟାଙ୍କକୁ ଖବର ଦେଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଯୋଗୁଁ ତୃତୀୟ ଦଫାରେ ଲୁଟ୍ ହୋଇଥିବା ୧୦ ହଜାର ଟଙ୍କା ବ୍ୟାଙ୍କ ଖାତାକୁ ଫେରିଥିଲା ବୋଲି ଅଭିଜିତଙ୍କ କାକା ଡ. ସ୍ୱଜନ ମଜୁମଦାର ସୂଚନା ଦେଇଛନ୍ତି। ଅଭିଜିତ କାଂଶବାହାଲରେ ରହୁଥିବାରୁ ସେ ପ୍ରଥମେ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ ଷ୍ଟେଟ୍ବ୍ୟାଙ୍କ ଖାତା ବ୍ରଜରାଜନଗର ଥାନା ଅଧୀନରେ ଥିବାରୁ ରାଜଗାଙ୍ଗପୁର ପୁଲିସ ସେଠାକୁ ମାମଲା ସ୍ଥାନାନ୍ତର କରିଛି। ବୁଧବାର ଅଭିଜିତଙ୍କ ବାପା ଓ କାକା ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁଙ୍କୁ ଭେଟି ମାମଲା ସମ୍ପର୍କରେ ଅବଗତ କରିଥିଲେ। ମାମଲା ବ୍ରଜରାଜନଗର ଥାନାକୁ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/15-21.jpg)