ଏତେ ପରେ ବି ଚେତୁ ନାହାନ୍ତି : ୩ ମାସରେ ଗିରଫ ହେଲେଣି ୮୫୮୩ ମଦ୍ୟପ ଚାଳକ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ, ପୁରୀରେ ସର୍ବନିମ୍ନ

ଭୁବନେଶ୍ବର : ନୂଆ ମୋଟର ଯାନ ଆଇନ ଲାଗୁ ହେ‌ବ ବୋଲି ଅନେକ ସଚେତନତା କାର୍ଯ୍ୟକ୍ରମ ହେଲା। ନିୟମ ମାନି ନ ଚଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ଚେତାଇ ଦିଆଗଲା। ରାଜ୍ୟ ସରକାର ଦୁଇ ଦଫାରେ ଦୁଇ ଥର ନିୟମ କୋହଳ କଲେ। କିନ୍ତୁ ଏତେ ସବୁ ସତ୍ତ୍ବେ ଚେତି ନାହାନ୍ତି ମଦ୍ୟପ ଚାଳକ। ମଦ୍ୟପାନ କରି କିଏ ଭାରୀଯାନ ଚଳାଇଲାଣି ତ ଆଉ କିଏ ମଦ୍ୟପାନ କରି ଦ୍ରୁତବେଗରେ ବାଇକ୍‌ ଓ କାର୍‌ ଚଳାଉଛି। ନୂଆ ଆଇନ ବା କାର୍ଯ୍ୟାନୁଷ୍ଠାନର ଭୟର ସତେ‌ ଯେମିତି କୌଣସି ପ୍ରଭାବ ଏମାନଙ୍କ ଉପରେ ପଡ଼ୁନାହିଁ। ଗତ ୩ ମାସ ମଧ୍ୟରେ ରାଜ୍ୟରେ ୮୫୮୩ ମଦ୍ୟପ ଚାଳକ ଧରା ପଡ଼ିଛନ୍ତି। କେବଳ ସେମାନଙ୍କୁ ଧରା ଯାଇଛି ତାହା ନୁହେଁ; ମୋଟା ଅଙ୍କର ଜରିମାନା ଆଦାୟ ପରେ ଜେଲ ପଠାଇ ଦିଆଯାଇଛି। ମଦ୍ୟପ ଚାଳକ ଜେଲ ଯିବା ତାଲିକାର ଶୀର୍ଷରେ ରହିଛି ଗଞ୍ଜାମ ଜିଲ୍ଲା। ଆଉ ସବା ତଳେ ରହିଛି ପୁରୀ। ବଡ଼ କଥା ହେଉଛି; ରାଜ୍ୟର ସବୁଠାରୁ ଅଧିକ ସଂଖ୍ୟକ ମଦ ଦୋକାନ ଓ ବାର୍‌ ଭୁବନେଶ୍ବରରେ ଥିବାବେଳେ ଏଠାରେ ଗତ ୩ ମାସରେ ଯେତିକି ମଦ୍ୟପ ଚାଳକ ଧରା ପଡ଼ିଛନ୍ତି; ତାହା ଅତ୍ୟନ୍ତ ନଗଣ୍ୟ।

ପୁଲିସ ଡିଜି (ଭାରପ୍ରାପ୍ତ) ସତ୍ୟଜିତ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗତ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ୨୩୯୪ ଜଣ ମଦ୍ୟପ ଚାଳକ ଧରା ପଡ଼ିଥିଲେ। ସେଥିମଧ୍ୟରୁ ଗଞ୍ଜାମରେ ୪୭୫, ପୁରୀରେ ୯ ଓ ରାଜଧାନୀ ଭୁବନେଶ୍ବରରେ ୧୬ ଜଣ ଧରା ପଡ଼ିଥିଲେ। ଅକ୍ଟୋବର ମାସରେ ସାରା ରାଜ୍ୟରେ ୩୪୬୨ ଜଣ ମଦ୍ୟପ ଚାଳକ ଧରା ପଡ଼ିଥିଲେ। ସେଥିମଧ୍ୟରୁ କେବଳ ଗଞ୍ଜାମରେ ଧରା ପଡ଼ିଥିଲେ ୭୧୬ ଜଣ। ପୁରୀରେ ମାତ୍ର ୨ ଜଣ ଓ ଭୁବନେଶ୍ବରରେ ୨ ଜଣ। ନଭେମ୍ବର ମାସରେ ସମୁଦାୟ ୨୭୨୭ ଜଣ ମଦ୍ୟପ ଚାଳକ ଧରା ପଡ଼ିଥିଲେ। ଏହି ମାସରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୦୮ ଜଣ ମଦ୍ୟପ ଚାଳକ ଧରା ପଡ଼ିଥିଲେ, ପୁରୀରେ କେହି ଧରା ପଡ଼ି ନ ଥିଲେ ଓ ଭୁବନେଶ୍ବରରୁ ଧରା ପଡ଼ିଥିଲେ ୨ ଜଣ। ତେବେ ଗତ ଦୁଇ ମାସ (ସେ‌ପ୍ଟେମ୍ବର ଓ ଅକ୍ଟୋବର)ରେ କଟକ ପୁଲିସ ୩୬ ଜଣ ମଦ୍ୟପ ଚାଳକଙ୍କୁ ଗିରଫ କରିଥିବାବେଳେ ଗତ ନଭେମ୍ବର ମାସରେ ୧୧୧ ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଅଧିକାଂଶ ଚାଳକ ବିଳମ୍ବିତ ରାତିରେ ମଦ୍ୟପାନ କରି ଭାରୀଯାନ ଚଳାଉଥିବା ଜଣା ପଡ଼ିଛି। ପୁଲିସ ପକ୍ଷରୁ ବିଭିନ୍ନ ଟୋଲଗେଟ୍‌ ଫାଟକ ନିକଟରେ ମଧ୍ୟ ଯାଞ୍ଚ କରାଯାଇଥିଲା। ଆଗାମୀ ଦିନରେ ଏଭଳି ଯାଞ୍ଚ ଓ ଗିରଫଦାରି ଆହୁରି ଅଧିକ ହେବ ବୋଲି ଡିଜି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର