ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପରେ ଶନିବାର ପ୍ରାର୍ଥିପତ୍ର ଯାଞ୍ଚ ସରିଛି। ଏଥିରେ ମୋଟ୍ ୮୬୪୮ଟି ପ୍ରାର୍ଥିପତ୍ର ନାକଚ ହୋଇଛି। ବହୁ ସଂଖ୍ୟାରେ ପ୍ରାର୍ଥିପତ୍ର ନାକଚ ହୋଇଥିବାରୁ ରବିବାର ବିଭିନ୍ନ ଜିଲ୍ଲାରେ ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି। କିଛି ପ୍ରାର୍ଥୀ ଦୀର୍ଘ ବର୍ଷ ହେଲା ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଏବେ ସାମାନ୍ୟ ତ୍ରୁଟି ପାଇଁ ଲଢେଇରୁ ବାଦ୍ ପଡ଼ିଥିବା ଦେଖିବାକୁ ମିଳିଛି।
ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଜାଲ୍ ଜାତି ପ୍ରମାଣ ପତ୍ର ଦେଇଥିବା ବେଳେ କିଛି ପ୍ରାର୍ଥୀଙ୍କର ଜାତି ପ୍ରମାଣପତ୍ର ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତି ବର୍ଗ ପାଇଁ ଧାର୍ଯ୍ୟ ହୋଇଥିବା ଜାତି ମଧ୍ୟରେ ନଥିଲା। ସେହିପରି କେତେକ ପ୍ରାର୍ଥୀ ପ୍ରାର୍ଥିପତ୍ର ପୂରଣ ସମୟରେ କିଛି ତ୍ରୁଟି କରିଥିବାରୁ ସେଗୁଡ଼ିକ କଟିଯାଇଛି।
ରାଜ୍ୟ ନିର୍ବାଚନ କମିସନରଙ୍କ ସୂଚନା ଅନୁଯାୟୀ ୱାର୍ଡମେମ୍ବରରେ ୫୫୪୪ଜଣ, ସରପଞ୍ଚରେ ୧୭୫୩, ପଞ୍ଚାୟତ ସମିତିରେ ୧୧୧୯, ଜିଲ୍ଲା ପରିଷଦ ସଦସ୍ୟ ପଦବିରେ ୨୩୨ଜଣଙ୍କର ନାମାଙ୍କନ ପତ୍ର ନାକଚ ହୋଇଛି। ଏହାପରେ ଏବେ ୱାର୍ଡମେମ୍ବର ପାଇଁ ୧୫୬୭୫୩, ସରପଞ୍ଚ ପାଇଁ ୩୨୮୬୦, ପଞ୍ଚାୟତ ସମିତି ପାଇଁ ୨୭୦୩୪ ଏବଂ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୩୭୬୭ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି।
ଅପରପକ୍ଷେ ଆଜିଠାରୁ ୨୫ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ଅଛି। ୨୫ତାରିଖ ଅପରାହ୍ନ ୩ଟା ପରେ ଚୂଡ଼ାନ୍ତ ତାଲିକା ଘୋଷଣା ହେବ। ଏହାପରେ କେତେ ପ୍ରାର୍ଥୀଙ୍କ ମଧ୍ୟରେ କେଉଁଠି ଲଢେଇ ହେବ ତାହା ଚୂଡ଼ାନ୍ତ ହେବ।
ସୂଚନାଯୋଗ୍ୟ ଯେ ଚଳିତବର୍ଷ ୯୧୮୯୦ଟି ୱାର୍ଡମେମ୍ବର, ୬୭୯୩ଟି ସରପଞ୍ଚ, ୬୭୯୩ଟି ସମିତି ସଭ୍ୟ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ରେ ନିର୍ବାଚନ ହେବ।